ସବୁ ଦଳ ପରସ୍ପରର ଦୋଷ ଦେଖାଇଲେ

ଭୁବନେଶ୍ବରରେ ଭାରତ ନିର୍ବାନଚନ କମିସନର୍, ୮ଟି ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ବର : ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ନିର୍ବାଚନ କମିସର୍‌ ଅଶୋକ ଲାଭାସାଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ପ୍ରତିନିଧି ଦଳ। ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିବା ପୂର୍ବରୁ କମିସନର୍ ୮ଟି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟିଥିଲେ। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କମିସନର୍‌ଙ୍କ ନିକଟରେ ପରସ୍ପରର ଦୋଷ ଦେଖାଇଥିଲେ। କେଉଁ ଦଳ କେଉଁ ବାଟରେ ଭୋଟର୍‌ଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି, ତାହାର ଏକ ବ୍ଲୁ ପ୍ରିଣ୍ଟ୍ ବିରୋଧୀ କମିସନର୍‌ଙ୍କୁ ଦେଇଥିଲେ। ବିଜେଡି ଓ ବିଜେପି ସିଧାସଳଖ ଆରୋପ ପ୍ରତ୍ୟାରୋପ କରିଥିଲା ବେଳେ କଂଗ୍ରେସ ମାପିଚୁପି ବାସ୍ତବ ସମସ୍ୟାକୁ ରଖିଥିଲା।

ବିଜେଡି, କଂଗ୍ରେସ, ବିଜେପି, ସିପିଆଇ, ସିପିଆଇ(ଏମ୍‌), ତୃଣମୂଳ କଂଗ୍ରେସ, ବହୁ ଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଓ ଏନ୍‌ସିପିର ପ୍ରତିନିଧି ପୃଥକ୍ ପୃଥକ୍ ଭାବେ ନିର୍ବାଚନ କମିସନରଙ୍କୁ ଭେଟି ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ କରିବାକୁ ନେଇ ଦାବିପତ୍ର ଦେଇଛନ୍ତି । କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟ ନିର୍ବାଚନ କମିସନର୍‌ଙ୍କୁ ଜଣାଇଥିଲେ, ଇଭିଏମ-ଭିଭିପାଟ ଦ୍ବାରା ଭୋଟ ଗ୍ରହଣ କରିବାକୁ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ । କିନ୍ତୁ, ଯଦି ଭୋଟ ଗ୍ରହଣ ବେଳେ ଉଭୟ ମେସିନ ଖରାପ ହୋଇଯାଏ ତା ହେଲେ ବିକଳ୍ପ ଭାବେ କିପରି ଭୋଟ ଗ୍ରହଣ କରାଯିବ? ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଡାକି ଇଭିଏମ-ଭିଭିପାଟ ମେସିନରେ ଭୋଟ ଦେବା ପ୍ରକ୍ରିୟା ବିଷୟରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ଏବେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ ଓ ଗରିବମାନଙ୍କୁ ପ୍ରଭାବିତ କରିବା ଭଳି ବହୁ ପ୍ରକାର ଯୋଜନା କରି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଏସବୁ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯେପରି ଟଙ୍କା ନ ଯାଏ ସେଥିପ୍ରତି ଅନୁଧ୍ୟାନ କରିବାକୁ ବିରୋଧୀ ଦଳ ନେତା ଅନୁରୋଧ କରିଛନ୍ତି। ଜିଲ୍ଲା ସ୍ତରରେ ବହୁ ସରକାରୀ ଅଧିକାରୀ ୩ ବର୍ଷରୁ ଉର୍ଦ୍ଧ୍ବ କାଳ ହେଲା ରହିଛନ୍ତି ଓ ସେମାନଙ୍କୁ ସ୍ଥାନାନ୍ତର କରାଯାଉନି। ନିର୍ବାଚନରେ ସେମାନେ ଯେ, ନିରପେକ୍ଷ ଭାବେ କାର୍ଯ୍ୟ ସମ୍ପାଦନ କରିବେ ସେ ଆଶା କମ୍ ବୋଲି ନରସିଂହ କହିଛନ୍ତି।

ସେହିପରି ଯେଉଁ ସରକାରୀ ଅଧିକାରୀ ନିରପେକ୍ଷ ଭାବେ କାମ କରନ୍ତି, ଆଉ ବର୍ତ୍ତମାନରେ ଥିବା ସରକାର ପୁଣି ଥରେ ନିର୍ବାଚିତ ହୁଅନ୍ତି ତାହେଲେ ସେମାନଙ୍କ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେବାର ଆଶଙ୍କା ରହିଛି। ଏପରି ‌େହଲେ ନିର୍ବାଚନ କମିସନ୍‌ ସେମାନଙ୍କୁ କିପରି ନ୍ୟାୟ ଦେବେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଜବାବରେ ନିର୍ବାଚନ କମିସନର୍ କହିଥିଲେ, ନିର୍ବାଚନରେ ନିରପେକ୍ଷ ଭାବେ ଦାୟିତ୍ବ ସମ୍ପାଦନ କରିଥିବା ଅଫିସରଙ୍କୁ ଯଦି ସରକାର ହଇରାଣ କରନ୍ତି ତାହେଲେ ନିର୍ବାଚନ ସରିବା ପରେ ବି ସମ୍ପୃକ୍ତ ଅଧିକାରୀ ନିର୍ବାଚନ କମିସନଙ୍କ ପାଖରେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ।

ବିଜେଡି ପକ୍ଷରୁ ଆଇଟି ସେଲ ମୁଖ୍ୟ ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନିର୍ବାଚନ କମିସନରଙ୍କୁ ଭେଟି ୧୪ଟି ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି। ଦଳ ପକ୍ଷରୁ କୁହାଯାଇଛି, ଆସନ୍ତା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ବିରୋଧୀ ଦଳ ଦ୍ବାରା ପ୍ରଚୁର ଅର୍ଥ ଖର୍ଚ୍ଚ, ହିଂସା ଆଚରଣ କରିବାର ଆଶଙ୍କା ରହିଛି। ରାଜ୍ୟକୁ ଲାଗିରହିଥିବା ସୀମାବର୍ତ୍ତୀ ଅଞ୍ଚଳରେ ବିରୋଧୀ କଳା ଟଙ୍କା ଓ ଅପରାଧିକ ତତ୍ତ୍ବକୁ ବ୍ୟବହାର କରିପାରନ୍ତି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବରେ ପେଟ୍ରୋଲ ପମ୍ପ୍, ଗ୍ୟାସ୍ ଏଜେନସି ଗୁଡ଼ିକ ଦ୍ବାରା ପ୍ରଚୁର ଅର୍ଥ ଠୁଳ କରାଯାଇ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ଆଶଙ୍କା ଥିବାରୁ ସେସବୁ ଉପରେ ତୀକ୍ଷଣ ଦୃଷ୍ଟି ଦିଆଯାଉ। ବିଜେପିର ପ୍ରତିଶ୍ରୁତି ପତ୍ର ଏକ ପ୍ରକାର ନିର୍ବାଚନୀ ଲାଞ୍ଚ। ବିଜେପି କ୍ଷମତାରେ ନ ଥାଇ କ୍ଷମତାକୁ ଆସିଲେ ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କରିବାକୁ ପ୍ରତିଶ୍ରୁତି ପତ୍ରରେ ଘୋଷଣା କରିବା ନିର୍ବାଚନ ଆଗରୁ ଭୋଟରଙ୍କୁ ପ୍ରଭାବିତ କରିବା ସଙ୍ଗେ ସମାନ ବୋଲି ବିଜେଡି ଅଭିଯୋଗ କରିଛି। ହେଲିକପ୍ଟରେ ଆସୁଥିବା ବିରୋଧୀ ଦଳର କେନ୍ଦ୍ରୀୟ ନେତାଙ୍କ ଖର୍ଚ୍ଚ ଓ ସେଥିରେ ବି ଟଙ୍କା ଆସୁଥିବା ସମ୍ଭାବନା ଥିବାରୁ ତା ଉପରେ ନଜର ରଖିବାକୁ ନିର୍ବାଚନ କମିସନରଙ୍କୁ ଦଳ ଅବଗତ କରାଇଛି। କୌଣସି ନିର୍ବାଚନୀ ଖର୍ଚ୍ଚ ଅଭିଯୋଗ ଆସିଲେ ବିରୋଧୀଙ୍କ କଥାକୁ କେବଳ ଗୁରୁତ୍ବ ନ ଦେଇ ଅଭିଯୋଗ ଆସିଥିବା ପ୍ରାର୍ଥୀଙ୍କ ପକ୍ଷ ଶୁଣିବାକୁ ସୁଯୋଗ ଦେବା ଦରକାର ବୋଲି ବିଜେଡି ଅନୁରୋଧ କରିଛି। ଅନେକ ସମୟରେ ଅନ୍ୟ ଦଳର କେନ୍ଦ୍ରୀୟ ନେତା ଅଣତାରକା ପ୍ରଚାରକ ଭାବେ ବହୁ ଲୋକଙ୍କୁ ଆଣୁଛନ୍ତି ଓ ସେମାନଙ୍କ ଗସ୍ତ ଖର୍ଚ୍ଚକୁ ଦଳର ପ୍ରାର୍ଥୀଙ୍କ ହିସାବ ତାଲିକାରେ ଯୋଡ଼ିବାକୁ ନିର୍ବାଚନ କମିସନ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଶ୍ରୀ ଲାଭାସାଙ୍କୁ ଅନୁରୋଧ କରାଯାଇଥିଲା।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ଦଳ ବିଜେଡି ବିରୋଧରେ ଅଭିଯୋଗ କରିବା ସହ ୧୦ ଜଣ ବରିଷ୍ଠ ଅଧିକାରୀଙ୍କ ନାମ କମିସନର୍‌ଙ୍କୁ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍‌ଙ୍କ ନେତୃତ୍ବରେ ଡି ଏସ୍ କୁଟ୍ଟେ, ରୂପା ରୋଶନ ସାହୁ, ଆଶିଷ ସିଂହ, ଗୋପବନ୍ଧୁ ଦାସ, ସାର୍ଥକ ବର୍ମା, ବିଶାଲ ଦେବ, ପ୍ରେମଚନ୍ଦ୍ର ଚୌଧୁରୀ, କ୍ରିଷନ୍ କୁମାର, ହେମନ୍ତ ଶର୍ମା ଓ ନଳିନୀ ପ୍ରଧାନ ପ୍ରମୁଖ ନିର୍ବାଚନ ନିମନ୍ତେ ସରକାରୀ ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଅଫିସର୍ ବିଜେଡି ପାଇଁ ଅର୍ଥ ଆଦାୟ କରୁଛନ୍ତି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମଧ୍ୟ ବିଜେପୁର ଉପନିର୍ବାଚନରେ ବିଜେଡିକୁ ଖୋଲାଖୋଲି ସମର୍ଥନ କରୁଥିଲେ। ଏପରି ଅଫିସର୍‌ମାନେ ରହିଲେ ଅବାଧ ନିର୍ବ‌ାଚନ ପରିଚାଳନା ଅସମ୍ଭବ। ନିର୍ବାଚନ ବେଳେ ଏମାନଙ୍କୁ ସରକାରୀ କାମରୁ ଅବ୍ୟାହତି ଦେଇ କଡ଼ା ନଜରରେ ରଖିବାକୁ ଦଳ ଦାବି କରିଛି। ରାଜ୍ୟର ପୁଲିସ ବାହିନୀ ଓ ବିଜୁ ଯୁବ ବାହିନୀ ସରକାରୀ ଦଳର ଗୁଣ୍ଡା ସାଜି କାର୍ଯ୍ୟ କରୁଛି। ନିର୍ବାଚନ ସରିଲା ପର୍ଯ୍ୟନ୍ତ ବିଜୁ ଯୁବ ବାହିନୀର ଦରମାକୁ ବନ୍ଦ କରିବାକୁ ବିଜେପି ପ୍ରତିନିଧିମାନେ ଦାବି କରିଥିଲେ।

ସିପିଆଇ ନେତା ନାରାୟଣ ରେଡ୍ଡି ଇଭିଏମ ଓ ଭିଭିପାଟ ଦ୍ବାରା ଭୋଟ ଗ୍ରହଣ ନ କରି ବ୍ୟାଲଟ ପତ୍ର ଜରିଆରେ ଭୋଟ ଗ୍ରହଣ କରିବାକୁ ବ୍ୟବସ୍ଥା କରିବାକୁ ମୁଖ୍ୟ ନିର୍ବାଚନ କମିସନରଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର