ନିର୍ବାଚନ କମିସନଙ୍କ ତିନି ଦିନିଆ ଗସ୍ତ ଶେଷ : ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପ୍ରତିଶ୍ରୁତି

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନକୁ ସବୁ ଦିଗରୁ ମୁକ୍ତ, ଅବାଧ, ଶାନ୍ତିପୂର୍ଣ୍ଣ, ସ୍ବଚ୍ଛ ଓ ନିୟମାନୁଯାୟୀ କରିବାକୁ ଭାରତ ନିର୍ବାଚନ କମିସନ ପ୍ରତିଶ୍ରୁତିବଦ୍ଧ। ତିନିଦିନିଆ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରି ଦିଲ୍ଲୀ ଫେରିବା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାରତ ନିର୍ବାଚନ କମିସନର ଅଶୋକ ଲାଭାସା।

ଆଜି ଗଣମାଧ୍ୟମକୁ େଭଟି ଶ୍ରୀ ଲାଭାସା କହିଥିଲେ, ନିର୍ବାଚନ ସମୟରେ ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନସି, ଆମ୍ବୁଲାନ୍ସ ଓ ପୁଲିସ ଭ୍ୟାନ୍ ଜରିଆରେ ଭୋଟରଙ୍କୁ ପ୍ରଭାବିତ ଲାଗି ଟଙ୍କା ବଣ୍ଟନକୁ ରୋକିବା ପାଇଁ ମୋବାଇଲ ୟୁନିଟ୍ ନିୟୋଜିତ ହେବ। ସେହିପରି ସୋସିଆଲ ମିଡିଆରେ ପ୍ରାର୍ଥୀ ନିଜର ପ୍ରଚାର କଲେ ସେସବୁ ଖର୍ଚ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ତାଲିକାରେ ମିଶାଯିବ। ଯେ କୌଣସି ମୂହୁର୍ତ୍ତରେ ଯେଉଁଠି ବି ଆଚରଣ ବିଧି ଉଲଂଘନ ହେବା ଘଟଣା ସାମାନାକୁ ଆସିବ ସାଧାରଣ ଲୋକଟିଏ ବି ତତ୍କାଳ ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ ଦାଖଲ କରିପାରିବ।

ନିର୍ବାଚନ କମିସନର କହିଥିଲେ, ସ୍ବଚ୍ଛତା ବଜାୟ ରଖିବା ପାଇଁ ପ୍ରାର୍ଥୀ, ଦଳ ଓ ସଚେତନ ନାଗରିକ ନିର୍ବାଚନ ଅଧିକାରୀଙ୍କ ପାଖକୁ ନଯାଇ ସିଧାସଳଖ ନିର୍ବାଚନ କମିସନଙ୍କ ପାଖରେ ଅଭିଯୋଗ ଦାଖଲ କରିପାରିବେ। ଏଥିପାଇଁ ସମାଧାନ, ସୁବିଧା ଓ ଇ-ଭିଜିଲ ଆପର ବିକାଶ କରାଯାଇଛି। ସଚେତନ ନାଗରିକଙ୍କୁ ସ୍ମାର୍ଟ ଫୋନରେ ଏହି ୩ଟି ଆପକୁ ଡାଉନ ଲୋଡ କରିବାକୁ ପଡ଼ିବ। ଯେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କିମ୍ବା ନାଗରିକ ନିର୍ବାଚନୀ ସଂକ୍ରାନ୍ତ ଅଭିଯୋଗ ଲିଖିତ ଭାବେ କମିସନଙ୍କୁ ନଜଣାଇ ‘ସମାଧାନ’ ଜରିଆରେ ଜଣାଇପାରିବେ। ସେହିପରି ‘ସୁବିଧା’ ଜରିଆରେ ପ୍ରାର୍ଥିପତ୍ର ଦାଖଲ ସଂକ୍ରାନ୍ତ ଅଭିଯୋଗ ପ୍ରତିବିଧାନ ମିଳିବା ସହ ଅନୁମତି ପତ୍ର, ଭୋଟ ଗଣତିର ଫଳାଫଳ ମଧ୍ୟ ମିଳିପାରିବ। ଆଦର୍ଶ ଆଚରଣ ବିଧି ଉଲଂଘନ ନେଇ ଯେ କୌଣସି ବ୍ୟକ୍ତି ନିଜ ପରିଚୟ ଓ ଇ-ମେଲ ଠିକଣା ଦେଇ ଇ-ଭିଜିଲ ଆପ ଜରିଆରେ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗ ମିଳିବା ପରେ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ନିଆଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜଣାଇଦିଆଯିବ। ଯଦି ଅଭିଯୋଗକାରୀ ନିଜ ନାମ ଗୋପନ ରଖିବାକୁ ଚାହାନ୍ତି କିମ୍ବା ନିଜ ଠିକଣା ନ ଦିଅନ୍ତି ତେବେ ସମ୍ପୃକ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିର୍ବାଚନ କମିସନଙ୍କ େଵବସାଇଟରେ ଉପଲବ୍ଧ କରାଯିବ। ଗତ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଇ-ଭିଜିଲ ଆପ ବ୍ୟବହାର ଦ୍ବାରା ୨୦ ହଜାର ଅଭିଯୋଗ ମିଳିଥିଲା। ନିର୍ବାଚନରେ ସରକାରୀ ଅଧିକାରୀଙ୍କ କୌଣସି ପ୍ରକାର ପାତରଅନ୍ତର ନୀତିକୁ କମିସନ ବରଦାସ୍ତ କରିବେ ନାହିଁ।

ନିର୍ବାଚନରେ ଅର୍ଥ, ବାହୁବଳ ଓ ସରକାରୀ କଳର ଅପବ୍ୟବାର ନେଇ ରାଜନୈତିକ ଦଳର ଅଭିଯୋଗ ଉପରେ ନିଷ୍ପତ୍ତି ନେଇ କମିସନ କହିଥିଲେ, ସୀମାବର୍ତ୍ତୀ ଅଞ୍ଚଳରୁ ଅପରାଧୀଙ୍କୁ ବ୍ୟବହାର କରି ହିଂସାକାଣ୍ଡ ଘଟାଇ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ସାରା ରାଜ୍ୟରେ ନିର୍ବାଚନ କମିସନଙ୍କ ପକ୍ଷରୁ ଫ୍ଲାଇଂ ସ୍କାର୍ଡ଼ ସହିତ ମୋବାଇଲ ୟୁନିଟ ବି ନିୟୋଜିତ କରାଯିବ। ଆକାଶ ମାର୍ଗରେ ଆସୁଥିବା ଟଙ୍କାକୁ ଧରିବା ପାଇଁ ସବୁ ବିମାନବନ୍ଦରରେ ଏୟାର ଗୁଇନ୍ଦା ୟୁନିଟ ମୁତୟନ ହେବା ସହ ଆୟକର ବିଭାଗର ଅଧିକାରୀଙ୍କୁ ନିୟୋଜିତ କରାଯିବ। ସୀମାନ୍ତରେ ମଦ, ନିଶାଦ୍ରବ୍ୟ ଓ ସମ୍ବେଦନଶୀଳ ପଦାର୍ଥଗୁଡ଼ିକର ବ୍ୟବହାରକୁ ଫ୍ଲାଇଂ ସ୍କ୍ବାର୍ଡ଼ ଧରିବେ। ବ୍ୟାଙ୍କ ଜରିଆରେ କଳାଧନ ନେଣଦେଣ ଉପରେ ମଧ୍ୟ ତୀକ୍ଷଣ ଦୃଷ୍ଟି ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ନିର୍ବାଚନ ସମୟରେ କୌଣସି ପ୍ରାର୍ଥୀଙ୍କ ପ୍ରତି ଜାତି, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ ନେଇ ବ୍ୟକ୍ତିଗତ ଟିପ୍ପଣୀ ଓ ଆକ୍ଷେପକୁ ଧରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି। ପ୍ରତି ଜିଲ୍ଲାର ନିର୍ବାଚନ ଅଧିକାରୀ ସମ୍ପୃକ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚ ତାଲିକା ରଖିବା ପାଇଁ ହିସାବ ଖର୍ଚ୍ଚ ଅନୁଧ୍ୟାନକାରି ଦଳ ଗଠନ କରିବେ। ନିର୍ବାଚନ ସମୟରେ ଜେଲରେ ଥିବା ବନ୍ଦୀମାନଙ୍କ କୋଠରୀ ତଦନ୍ତ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାରୀ ଅଧିକାରୀ ଓ କର୍ମଚାରୀ ଅଧିକ ଦିନ ଗୋଟିଏ ସ୍ଥାନରେ ରହିବା ନେଇ ଉଠିଥିବା ଆପତ୍ତି ଉପରେ ବିଚାର କରି କମିସନ କହିଥିଲେ, ରାଜ୍ୟ ସରକାର ଆସନ୍ତା ୨୦ ତାରିଖ ଭିତରେ ଜିଲ୍ଲା ସ୍ତରରେ ଥିବା କର୍ମଚାରୀ ଓ ଅଧିକାରୀଙ୍କୁ ବଦଳି କରିବା ନେଇ ମୁଖ୍ୟଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି।ଏେବସୁଦ୍ଧା ରାଜ୍ୟରେ ମୋଟ ୩ କୋଟି ୧୮ ଲକ୍ଷ ୩୮ ହଜାର ୨୧୦ ଜଣ ଭୋଟର ପଞ୍ଜିକୃତ ହୋଇଛନ୍ତି। ଆସନ୍ତା ୧୭ ଓ ୨୩ ତାରିଖ ଦୁଇଦିନ ଧରି ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ମଧ୍ୟ କମିସନ ଦିନ ଧାର୍ଯ୍ୟ କରିଛନ୍ତି। କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ଭୋଟର ତାଲିକାରୁ ବାଦ ନପଡ଼ନ୍ତି ସେଥିପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖର ୧୦ ଦିନ ପୂର୍ବରୁ ନାମ ପଞ୍ଜିକରଣ କରିବାକୁ ବ୍ୟବସ୍ଥା କରାଯାଇଛି।

କମିସନ କହିଥିଲେ, ଏହି ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବଦଳରେ ଇଲେକ୍ଟ୍ରୋନିକ ବ୍ୟାଲଟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟରେ ମୋଟ ୩୭ ହଜାର ୬୦୬ଟି ପୁଲିଂ ବୁଥ ନିର୍ଦ୍ଧାରଣ ହୋଇଛି। ନୂଆକରି ୧୭୧୦ଟି ବୁଥ୍ ସାମିଲ କରାଯାଇଛି। ୧୬ଟି ମାଓ ପ୍ରବଣ ଜିଲ୍ଲାରେ ସମ୍ବେଦନଶୀଳ ବୁଥ୍ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଶ୍ରୀ ଲାଭାସା କହିଥିଲେ। ସବୁ ପୁଲିଂ ବୁଥରେ ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ରାଜ୍ୟ ମୁଖ୍ୟଶାସନ ସଚିବ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ନିର୍ବାଚନ କମିସନର।

ନୂଆକରି ରାଜ୍ୟରେ ଏଥିପାଇଁ ସୁଗମ ନିର୍ବାଚନ ନିରୀକ୍ଷକଙ୍କୁ ନିୟୋଜିତ କରାଯିବ। ଦିବ୍ୟାଙ୍ଗଙ୍କୁ ପୁଲିଂ ବୁଥରେ ପହଞ୍ଚାଇବା ପାଇଁ ଗାଡ଼ି ବ୍ୟବସ୍ଥା ସହ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସମେତ ଭାରତ ନିର୍ବାଚନ କମିସନଙ୍କ ୪ଜଣ ଅଧିକାରୀ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ସୂଚନା ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତିଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର