କୋଭିଡ୍‌ ଆକ୍ରାନ୍ତ ଶିଶୁଙ୍କ ପାଇଁ ୧୪ ଶଯ୍ୟା ବିଶିଷ୍ଟ ଆଇସିୟୁ ଯୋଜନା
୬ ମାସରେ କାର୍ଯ୍ୟକ୍ଷମ ହେବ ବର୍ଣ୍ଣ ୟୁନିଟ, ୫୦୦ ଶଯ୍ୟାର ଧର୍ମଶାଳା
ଶୀଘ୍ର ଆରମ୍ଭ ହେବ କିଡ୍‌ନି ପ୍ରତିରୋପଣ

Advertisment

ଭୁବନେଶ୍ବର : ଏମ୍ସ ଭୁବନେଶ୍ବରର ନବମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଦିନ ବହୁ ପ୍ରତୀକ୍ଷିତ ଏକ୍‌ମୋ ମେସିନ୍‌ର ଉଦ୍‌ଘାଟନ ହୋଇଥିବାବେଳେ କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ଶିଶୁରୋଗ ବିଭାଗରେ ୧୪ ଶଯ୍ୟା ବିଶିଷ୍ଟ ଆଇସିୟୁ ପ୍ରତିଷ୍ଠା ନେଇ ଘୋଷଣା କରାଯାଇଛି। ଏହାଛଡ଼ା ରାଜ୍ୟରେ ପ୍ରଥମ ଥର ପାଇଁ ଶିଶୁ ରୋଗ ବିଭାଗରେ ବ୍ରୋଙ୍କୋସ୍କୋପି କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ୬ ମାସ ମଧ୍ୟରେ ଏମ୍ସରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ, ୫୦୦ ଶଯ୍ୟା ବିଶିଷ୍ଟ ଧର୍ମଶାଳା, ଟ୍ରମା କେୟାର, ଲିଥୋଟ୍ରିପ୍ସ କାର୍ଯ୍ୟକ୍ଷମ ହେବା ସହିତ କିଡ୍‌ନି ପ୍ରତିରୋପଣ ମଧ୍ୟ ଆରମ୍ଭ ହେବ ବୋଲି ନିର୍ଦେଶକ ପ୍ରଫେସର ଗୀତାଞ୍ଜଳି ବି ଘୋଷଣା କରିଛନ୍ତି।

ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏମ୍ସ ଭୁବନେଶ୍ବରର ସଭାପତି ଡ.ସୁବ୍ରତ ଆଚାର୍ଯ୍ୟ ୯ ବର୍ଷର ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ରୋଗୀସେବା, ପାଠପଢା, ଗବେଷଣା ପ୍ରତ୍ୟେକ କ୍ଷେତ୍ରରେ ଏମ୍ସ ଅଗ୍ରଣୀ ହୋଇ ପାରିଛି ବୋଲି କହିଥିଲେ ଏବଂ ଏମ୍ସର ସଫଳତା ପାଇଁ ଅଧ୍ୟାପକ, ଆବାସିକ ଡାକ୍ତର, ବିଦ୍ୟାର୍ଥୀ ଏବଂ କର୍ମଚାରୀଙ୍କୁ ଶ୍ରେୟ ଦେଇଥିଲେ। ନିର୍ଦେଶକ ପ୍ରଫେସର ଗୀତାଞ୍ଜଳି ବି ସମସ୍ତଙ୍କୁ ସ୍ବାଗତ କରିବା ସହିତ ବିଗତ ଦିନରେ ଏମ୍ସରେ ନୂତନ ଭାବରେ ଆସିଥିବା ଆଇପିଡି, ଆଇସିୟୁ ଏବଂ ଭେଣ୍ଟିଲେଟର ସଂପର୍କରେ ସୂଚନା ଦେଇଥିଲେ ଏବଂ ଆଗାମୀ ୬ ମାସରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକାର ଯୋଜନା ବାବଦରେ ଘୋଷଣା କରିଥିଲେ। ଅନ୍ୟମାନଙ୍କ ମଧ୍ୟ ଡିନ୍‌ ପ୍ରଫେସର ଦେବାଶିଷ ହୋତା, ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍‌ (ଗବେଷଣା) ବିନୋଦ ପାତ୍ର, ଡିନ୍‌ (ପରୀକ୍ଷା) ମନୋଜ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

୭ ଦିନରେ କାର୍ଯ୍ୟକ୍ଷମ ହେବ ଏକ୍‌ମୋ
ଆଉ ମାତ୍ର ୭ ଦିନ ପରେ ପ୍ରଥମ ସରକାରୀ ଡାକ୍ତରଖାନା ଭାବରେ ଏମ୍ସ କାଡିଓଥେରାସିସ ଭାସ୍କୁଲାର ସର୍ଜରି ବିଭାଗ(ସିଟିଭିଏସ)ରେ କାର୍ଯ୍ୟକ୍ଷମ ହେବ ଏକମୋ ମେସିନ। କେବଳ ସେତିକି ନୁହେଁ, ଦ୍ବିତୀୟ ଏକମୋ ଗୋଟିଏ ମାସ ମଧ୍ୟରେ ଏମ୍ସରେ ପହଞ୍ଚିଯିବ। ଏକ୍‌ମୋ ପରିଚଳାନା ପାଇଁ ଆବଶ୍ୟକ ୩ ଜଣ ପରଫ୍ୟୁସନିଷ୍ଟଙ୍କ ଚୟନ ହୋଇଛି ବୋଲି ଏମ୍ସ ନିର୍ଦେଶକ ଗୀତାଞ୍ଜଳି ବି କହିଛନ୍ତି। କୌଣସି ରୋଗୀଙ୍କ ଚିକିତ୍ସା ପାଇଁ ଏକମୋ ଲଗାଇବାକୁ ୩ ଲକ୍ଷ ଟଙ୍କା ଏବଂ ସାପ୍ତାହିକ ଖର୍ଚ ପ୍ରାୟ ୧ ଲକ୍ଷ ଟଙ୍କା ହେବ। ତେବେ ଏବେ ଏମ୍ସରେ ରୋଗୀ ଚିକିତ୍ସାରେ ଏହାର ବ୍ୟବହାର ହେଲେ, ଏହି ଖର୍ଚ ରୋଗୀ କି ସରକାର କିଏ ବହନ କରିବେ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ। କୋଭିଡ୍ ଯୋଗୁଁ ଏବେ ଏକ୍‌ମୋ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ଅଧିକ ରହିବ ଏବଂ ମେସିନ ମାତ୍ର ଗୋଟିଏ ଆସିଥିବାରୁ ଏହାର ଚାହିଦା ମଧ୍ୟ ଅଧିକ ରହିବ। ଏହାକୁ ଦୃଷ୍ଟିରେ ରଖି ଏକ୍‌ମୋ ପରିଚାଳନା ପାଇଁ ନିଯୁକ୍ତ ଡାକ୍ତର ରୁଦ୍ରପ୍ରତାପ ମହାପାତ୍ର, ଡାକ୍ତର ସିଦ୍ଧାର୍ଥ ସାଠିଆ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର କ୍ରିଷ୍ଣା ଗୁଲା, ନିଶ୍ଚେତକ ବିଭାଗ ଏଚଓଡି ଡା.ସତ୍ୟଜିତ ମିଶ୍ରଙ୍କୁ ନେଇ ଏକ କମିଟି ଗଠନ ହୋଇଛି। କମିଟି ପକ୍ଷରୁ କେଉଁ ରୋଗୀଙ୍କୁ ଏକ୍‌ମୋ ଦିଆଯିବ ତାହା ସ୍ଥିର ହେବ। ଏକମୋ ସିଷ୍ଟର, ବ୍ରଦର ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯିବ। ତା’ଛଡ଼ା ବର୍ତ୍ତମାନ ପର୍ଯ୍ୟନ୍ତ ଏକମୋ ପାଇଁ ଆବଶ୍ୟକ ସ୍ବତନ୍ତ୍ର ଷ୍ଟେରଏଲ ଆଇସିୟୁର ବ୍ୟବସ୍ଥା ହୋଇ ପାରିନାହିଁ। ତେଣୁ କାଡିଓଥେରାସିସ ସର୍ଜରିର ଆଇସିୟୁ ବ୍ୟବହାର ହେବ। ତେବେ ଏହା କେତେଦୂର ଷ୍ଟେରଏଲ ଆଇସିୟୁର ବିକଳ୍ପ ହୋଇପାରିବ, ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ରହିଛି।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟରେ କେବଳ ଦୁଇଟି ଘରୋଇ ଡାକ୍ତରଖାନାରେ ଏକମୋ ରହିଛି। ରାଜ୍ୟ ବାହାରକୁ ରୋଗୀଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ନେବା ବେଳକୁ କୋଟିଏରୁ ଅଧିକ ଟଙ୍କା ଖର୍ଚ ହେଉଛି। ଦ୍ବିତୀୟ ଲହରରେ ଏକମୋ ଅଭାବ ଯୋଗୁଁ ଅନେକ ଅମୂଲ୍ୟ ଜୀବନ ଯାଇଥିଲା। ତେଣୁ ଏମ୍ସରେ ଏକ୍‌ମୋ ପ୍ରତିଷ୍ଠା ‌ନେଇ ଦାବି ଜୋର୍ ଧରିଥିଲା।

ଶିଶୁଙ୍କ ପାଇଁ ରାଜ୍ୟରେ ପ୍ରଥମ ବ୍ରାଙ୍କୋସ୍କୋପି
ତୃତୀୟ ଲହରରେ ଶିଶୁମାନେ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା ଥିବାରୁ ଏମ୍ସ ଶିଶୁ ରୋଗ ବିଭାଗରେ ୧୪ ଶଯ୍ୟା ବିଶିଷ୍ଟ ଆଇସିୟୁ ଖୋଲିବା ପାଇଁ ଯୋଜନା କରାଯାଉଛି। ଏଥିରୁ ୧୦ ଶିଶୁ ଏବଂ ୪ଟି ଶଯ୍ୟା ନବଜାତ(୪ ସପ୍ତାହରୁ କମ୍‌)ଶିଶୁଙ୍କ ପାଇଁ ରହିବ। ଏଥିରେ ଗୁରୁତର କୋଭିଡ ଆକ୍ରାନ୍ତଙ୍କ ସମେତ ଅନ୍ୟ ଗୁରୁତର ରୋଗ‌ରେ ପୀଡ଼ିତ ଶିଶୁ ଚିକିତ୍ସିତ ହେବେ। ଏହାଛଡ଼ା କୋଭିଡରୁ ମୁକ୍ତ ହେଲା ପରେ ଅନେକ ପୋଷ୍ଟ କୋଭିଡ୍‌ ଜଟିଳତାର ଶିକାର ହେଉଛନ୍ତି। ଶିଶୁଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ହେଲେ ଏହି ବିଭାଗ ତାର ମୁକାବିଲା କରିବ। ଏଥିପାଇଁ ବ୍ରୋଙ୍କୋସ୍କୋପି ବ୍ୟବହାରରେ ଆସିପାରିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ମେସିନ ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି। ଶିଶୁରୋଗୀଙ୍କ ନାକରୁ ଆରମ୍ଭ କରି ଫୁସଫୁସ ପର୍ଯ୍ୟନ୍ତ କୌଣସି ସମସ୍ୟା ଥିଲେ, ବ୍ରାଙ୍କୋସ୍କୋପି ଜରିଆରେ ରୋଗ ଚିହ୍ନଟ ହୋଇଥାଏ। ନବଜାତ ଶିଶୁଙ୍କ ପାଇଁ ମଧ୍ୟ ଏହା ବ୍ୟବହାର ହୋଇ ପାରିବ। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ମେଡିକାଲ କଲେଜର ପଲମୋନାରି ବିଭାଗରେ ବ୍ରୋଙ୍କୋସ୍କୋପି ରହିଛି, ଯାହା ପ୍ରାପ୍ତବୟସ୍କଙ୍କ ପାଇଁ ଉପଯୋଗୀ। ମାତ୍ର ନବଜାତକଙ୍କ ଠାରେ ପରୀକ୍ଷା କରିବା ସମ୍ଭବ ନୁହେଁ।