ଏସ୍‌ସିବି ‌ସମେତ କ୍ୟାପିଟାଲ ହସ୍ପିଟାଲରେ ଲାଗିବ ଏକ୍‌ମୋ‌ ମେସିନ୍

ମେସିନ୍ କିଣା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ୬ଟି ଏକ୍‌ମୋ( ଏକ୍ସଟ୍ରା କର୍ପୋରିଲ ମେମ୍ବ୍ରେନ୍ ଅକ୍ସିଜେନେସନ୍) ପାଇଁ ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସସିବି ମେଡିକାଲ କଲେଜ ସମେତ କ୍ୟାପିଟାଲ ହସ୍ପିଟାଲରେ ଏହି ଏକ୍‌ମୋ ମେସିନ୍‌କୁ ଲଗାଯିବାର ଯୋଜନା ରହିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ସିଏସ୍‌ଆର ପାଣ୍ଠିରୁ ଏହି ଜୀବନ ରକ୍ଷାକାରୀ ଯନ୍ତ୍ରାପାତି କିଣାଯିବାକୁ ଯୋଜନା କରାଯାଇଥିବା ସେ କହିଛନ୍ତି। କରୋନାର ଦ୍ବିତୀୟ ଲହରରେ ହଠାତ୍ ଏକ୍‌ମୋ ମେସିନ୍‌ର ଚାହିଦା ବଢ଼ି ଯାଇଛି। କରୋନାରେ ସଂକ୍ରମିତ ହେବା ପରେ ଅନେକଙ୍କ ଫୁସଫୁସ୍ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଥିବା ବେଳେ ଏଥିପାଇଁ ଏକ୍‌ମୋ ମେସିନ୍‌ର ଆବଶ୍ୟକତା ପଡ଼ୁଛି। ରାଜ୍ୟରେ ଏକ୍‌ମୋ ମେସିନ୍ ନ ଥିବାରୁ ଏକାଧିକ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିଛି। ତେଣୁ ରାଜ୍ୟ ସରକାର ୬ଟି ଏକ୍‌ମୋ ମେସିନ୍ କିଣିବା ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଏହା ଏକ ବ୍ୟୟବହୁଳ ଚିକିତ୍ସା। ପ୍ରଥମେ ଏହାକୁ ବ୍ୟବାହାର କରିବା ଲାଗି ୪/୫ଲକ୍ଷ ଟଙ୍କା ଦରକାର ପଡ଼ୁଛି। ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ୧-୨ଲକ୍ଷ ଟଙ୍କା ଖର୍ଚ ହେଉଛି। ଆଗରୁ ଫୁସଫୁସ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା। କୋଭିଡ୍‌ ପରିସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି, ଭେଣ୍ଟିଲେଟର ବିଫଳ ହେଉଛି ସେତବେଳେ ଏକ୍‌ମୋ ମେସିନ୍‌ର ଆବଶ୍ୟକତା ପଡ଼ୁଛି। ଏବେ ଏହାର ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ି ଯାଇଛି। ଏକ୍‌ମୋ ମେସିନ୍‌ ସାମୟିକ ଭାବେ କିଛିଦିନ ରୋଗୀଙ୍କୁ ବଞ୍ଚାଇ ଦେଇପାରେ। ଏହା ଏକ ଜୀବନ ରକ୍ଷାକାରୀ ଯନ୍ତ୍ରାପତି। ମାତ୍ର ଏଥିପାଇଁ ଯେତିକି ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ନ ଥିଲେ କେବଳ ମେସିନ୍‌ ଆଣିଦେଲେ କିଛି ଲାଭ ନାହିଁ। ଏଥିପାଇଁ ମାନବ ସମ୍ବଳ ସୃଷ୍ଟି କରିବା ବହୁତ କଷ୍ଟ। କୋଭିଡ୍‌ ଆସିବା ପୂର୍ବରୁ ଏହାର ଉପଯୋଗିତା ବହୁତ କମ୍ ଥିଲା। ଭାରତରେ ଏହି ମେସିନ୍‌ର ଉତ୍ପାଦନ କରାଯାଉନି। ତେଣୁ ଏହାକୁ ବିଦେଶରୁ ଆଣିବା ଲାଗି ପ୍ରକ୍ରିୟା ଜାରି ରହିଥିବା ଡା. ମହାନ୍ତି କହିଛନ୍ତି। ଏକ୍‌ମୋ ମେସିନ୍‌ କିଣିବା ଲାଗି ରାଜ୍ୟ ସରକାର ୬ଜଣିଆ ବୈଷୟିକ କମିଟି ଗଠନ କରିଛନ୍ତି। ଏହି କମିଟି ମେସିନ୍ କିଣାଠାରୁ ଏହାର ବୈଷୟିକ ବିଶେଷତା ଉପରେ ନଜର ରଖିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର