ସରକାର ମହୋଦୟ! କୋଭିଡ୍ ପାଇଁ ଏକ୍‌ମୋ ଯନ୍ତ୍ର ବି ଜରୁରୀ

କେବଳ ଟିକା, ଆଇସିୟୁ, ଭେଣ୍ଟିଲେଟର, ଅମ୍ଳଜାନ ରୋଗୀକୁ ବଞ୍ଚାଇପାରିବ ନାହିଁ
ପୁଅର ଜୀବନ ଭିକ୍ଷା କରି ନବୀନଙ୍କ ଟ୍ବିଟ୍ ପରେ ଚର୍ଚ୍ଚାରେ ସରକାରଙ୍କ କୋଭିଡ୍ ମୁକାବିଲା ପ୍ରସ୍ତୁତି
୨୦୨୦ ନଭେମ୍ବରରୁ ଏକ୍‌ମୋ ଯନ୍ତ୍ର କିଣିବାକୁ ଆସିଛି ପ୍ରସ୍ତାବ, ଏଯାଏ ଘୋଷଣା କରିନାହାନ୍ତି
ସ୍ବାସ୍ଥ୍ୟ ବିଭାଗର ଅତିରକ୍ତ ମୁଖ୍ୟ ସଚିବ କହିଲେ ନିଷ୍ପତ୍ତି ସରିଛି, ଖୁବ୍ ଶୀଘ୍ର କିଣାଯିବ ୧୦ ମେସିନ୍

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ) : ‘‘ଏକ୍‌ମୋ ମେସିନ୍ ଅଭାବରୁ ମୋର ପୁଅ ଖୁବ୍ ଶୀଘ୍ର ପ୍ରାଣ ହରାଇବ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡ଼ିକାଲରେ ଏକ୍‌ମୋ ମେସିନ୍ ବ୍ୟବସ୍ଥା କରନ୍ତୁ। ମୁଁ ପଛେ ମୋ ପୁଅକୁ ହରାଏ, କିନ୍ତୁ ଏହି ମହାମାରୀରେ ରାଜ୍ୟବାସୀ ଏହାର ଲାଭ ପାଆନ୍ତୁ।’’

ଏହା କୌଣସି ସାଧାରଣ ଲୋକର ନିବେଦନ ନୁହେଁ। ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ପୁଅ ସମ୍ବିତ ନନ୍ଦଙ୍କ ମୃତ୍ୟୁ ପୂର୍ବରୁ ହୃଦୟ ଥରାଇ ଦେବାଭଳି ଏଭଳି ଟ୍ବିଟ୍ କରିଛନ୍ତି। ଶ୍ରୀ ନନ୍ଦଙ୍କ ଏହି ଟ୍ବିଟ୍ ଆଜି ପ୍ରାୟ ସବୁ ମହଲକୁ ବିଚଳିତ କରିଦେଇଛି। ଯେତେବେଳେ କ୍ଲିନିକାଲ୍ ହସ୍ତକ୍ଷେପ ଦ୍ବାରା ରୋଗୀ ବଞ୍ଚିବାର ସୁଯୋଗ ରହିଛି, ସେବେ କାହିଁକି ଓ କେଉଁ ପରିସ୍ଥିତିରେ ରାଜ୍ୟ ସରକାର ଏଭଳି ସେବା ଦେଇପାରୁନାହାନ୍ତି, ତାହା ଏକ ବଡ଼ ପ୍ରଶ୍ନ। କେଉଁ ପରିସ୍ଥିତିରେ ପ୍ରଥମ କୋଭିଡ୍ ସଂକ୍ରମଣ ପରେ ବି ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ନେଲେ ନାହିଁ, ତାହା ମଧ୍ୟ ଆଚମ୍ବିତ କରେ। ପୁଣି ରାଜ୍ୟ ସରକାର ଯେତେବେଳେ ୨୦୨୪ ସୁଦ୍ଧା କଟକରେ ଏମ୍‌ସ ପ୍ଲସ୍ ସୁବିଧା ଦେବାକୁ ଯୋଜନା ଆରମ୍ଭ କରିଛନ୍ତି, ସେତେବେଳେ ଏଭଳି ଏକ ମେସିନ୍ କିଣାଯିବା କ୍ଷେତ୍ରରେ ‘‘ରାଜନୈତିକ ଇଚ୍ଛାଶକ୍ତି’’ର ଅଭାବ ସ୍ପୃହଣୀୟ କି? ଅନ୍ୟଥା ୨୦୨୦ ନଭେମ୍ବର ୧୬ ତାରିଖରୁ କଟକ ମେଡ଼ିକାଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଏକ୍‌ମୋ ଯନ୍ତ୍ର କିଣିବା ଲାଗି ପ୍ରସ୍ତାବ ଦେଇଥିଲେ ହେଁ, ଏଯାଏ ଫାଇଲ୍ ଭିତରେ ଏହା ଚାପି ହୋଇରହିଛି କାହିଁକି?

ସଂପ୍ରତି ରାଜ୍ୟରେ କୋଭିଡ୍‌ ସ୍ଥିତି ଅତି ଉଦ୍‌ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍‌ଫୁସ୍ ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି। ଯେବେ ଭାରତବର୍ଷରେ ରୋଗୀମାନଙ୍କ ଲାଗି ମେଡିକାଲ ଅମ୍ଳଜାନ, ଆଇସିୟୁ ଏବଂ ଭେଣ୍ଟିଲେଟର ଯୋଗାଣ ନେଇ ସଂଘର୍ଷ ଚାଲିଛି, ଠିକ୍ ସେତିକି ବେଳେ, ଶ୍ରୀ ନନ୍ଦଙ୍କ ଟ୍ବିଟ୍ ସମୁଦାୟ କୋଭିଡ୍ ମୁକାବିଲା ପ୍ରସଙ୍ଗକୁ ପୁଣି ଥରେ ତାଜା କରିଦେଇଛି। ଜିଲ୍ଲା ମୁଖ୍ୟାଳୟ କଥା ଦୂରେ ଥାଉ, ମେଡ଼ିକାଲ କଲେଜ, ଏପରିକି ଓଡ଼ିଶା ଏମ୍‌ସରେ ବି ଏହି ଯନ୍ତ୍ର ଉପଲବ୍ଧ ନାହିଁ। ଏକଥା ନୁହେଁ ଯେ ମେସିନ୍‌ର ଦାମ ଦୁର୍ମୂଲ୍ୟ, ପାଖାପାଖି ୪୦ଲକ୍ଷ ଟଙ୍କା ହେବ। କିନ୍ତୁ ଉପଯୁକ୍ତ ତଥା ଅଭିଜ୍ଞ ବା ପ୍ରଶିକ୍ଷିତ ମାନବସମ୍ବଳ ବଡ଼ ବାଧକ ସାଜିଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାରେ ସମ୍ ଏବଂ କିମ୍‌ସ ଭଳି ଘରୋଇ ସଂସ୍ଥା କିନ୍ତୁ ଏହି ଯନ୍ତ୍ର ରଖି ସେବା ଯୋଗାଉଛନ୍ତି।

ରାଜ୍ୟର ଜଣେ ବରିଷ୍ଠ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଗୁରୁତର ଅସୁସ୍ଥ ରୋଗୀମାନଙ୍କ ନିକଟରେ, ଯେତେବେଳେ ଅମ୍ଳଜାନ ସହାୟତା ବିଫଳ ହୁଏ, ଅମ୍ଳଜାନକୁ ବଜାୟ ରଖିବାରେ ବିଶେଷଜ୍ଞମାନେ ଯାନ୍ତ୍ରିକ ଭେଣ୍ଟିଲେସନ୍ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି। ଅର୍ଥାତ୍ ଅତି ଗୁରୁତର ପରିସ୍ଥିତିରେ, ଡାକ୍ତରମାନେ ଏକ୍‌ମୋ (ଏକ୍ସଟ୍ରାକୋରୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ) ପ୍ରୟୋଗ କରିବାକୁ ବାଛିପାରନ୍ତି। ଯାହା ଏକ କୃତ୍ରିମ ହୃଦୟ ବା ଆହୁରି ସରଳ ଭାବେ କହିଲେ ଶରୀର ବାହାରେ କୃତ୍ରିମ ଫୁସଫୁସ ଭାବରେ କାର୍ଯ୍ୟ କରିଥାଏ। ଏହା ରୋଗୀର ରକ୍ତରୁ ଅଙ୍ଗାରକାମ୍ଳ ବାହାର କରିଥାଏ ଏବଂ ଏଥିରେ ଅମ୍ଳଜାନ ଯୋଗ କରିଥାଏ।

ବିଶେଷଜ୍ଞଙ୍କ ମତରେ , କୋଭିଡ୍-୧୯ ରୋଗୀଙ୍କ ପାଇଁ ଏହା ବିଶେଷ ପ୍ରଭାବ ରଖେ। ଏହା ବ୍ୟକ୍ତିକୁ ଜୀବାଣୁ ମୁକାବିଲା ପାଇଁ ଅତିରିକ୍ତ ସମୟ ଦେଇଥାଏ। ଅତ୍ୟଧିକ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ଏହି ଅତିରିକ୍ତ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ବାରା ଜଣେ ରୋଗୀକୁ ୩୦ଦିନ ପର୍ଯ୍ୟନ୍ତ ରଖାଯାଇପାରିବ ବୋଲି ସଂପୃକ୍ତ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ କହିଛନ୍ତି। ଗୋଟିଏ ଧାଡ଼ିରେ କହିଲେ, ଯେଉଁ କୋଭିଡ-୧୯ ନିମୋନିଆରେ ପୀଡିତ ଗୁରୁତର ରୋଗୀଙ୍କ ରକ୍ତ ଅମ୍ଳଜାନ ସ୍ତର ବଜାୟ ରଖିବା ଲାଗି ଭେଣ୍ଟିଲେସନ୍ ପର୍ଯ୍ୟାପ୍ତ ହେଉନାହିଁ, ସେମାନଙ୍କୁ ବର୍ତ୍ତମାନ ଏହି ଚିକିତ୍ସା ଅନେକ ସାହାଯ୍ୟ କରିପାରିବ ବା ଅନେକଙ୍କ ଜୀବନରକ୍ଷା ହୋଇପାରିବ।

ସମ୍ ଅଲ୍‌ଟିମେଟ୍‌ରେ କାର୍ଯ୍ୟରତ ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ସାହୁଙ୍କ ମତରେ ଏହି ଚିକିତ୍ସା ଲାଗି ନିଶ୍ଚେତକ ବିଶେଷଜ୍ଞ, ହୃଦ୍‌ରୋଗ ବିଶେଷଜ୍ଞ, ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ, ଏକାଧିକ ରକ୍ତ ସଞ୍ଚାଳନ ସହାୟକ ପ୍ରମୁଖଙ୍କୁ ନେଇ ଗୋଟିଏ ଟିମ୍ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି। ୨୪ ଘଣ୍ଟିଆ ସେବା ରୋଗୀକୁ ଦରକାର।

ଜାତୀୟସ୍ତରରେ ଅନେକ ବିଶେଷଜ୍ଞଙ୍କ ମତ ହେଉଛି, ଠିକ୍ ସମୟରେ ଯଦି ଏକ୍‌ମୋ ଯନ୍ତ୍ର ବ୍ୟବହାର କରାଯାଏ ତେବେ ୫୫ ପ୍ରତିଶତ ରୋଗୀ ବଞ୍ଚିଯିବେ। ହେଲେ ସେମାନଙ୍କର ଅନ୍ୟ କୌଣସି ବିଶେଷ ସମସ୍ୟା ଯେମିତିକି ସେମାନେ ଅତ୍ୟନ୍ତ ବୟସ୍କ ହୋଇନଥିବେ କିମ୍ବା ଦୀର୍ଘସ୍ଥାୟୀ ରୋଗ ନଥିବ।

ଏତେ ଗୁରୁତର ସେବା ଯୋଗାଉଥିବା ଏଭଳି ଏକ ଉପଯୋଗୀ ଯନ୍ତ୍ର ଓଡ଼ିଶା କାହିଁକି କରିପାରିବ ନାହିଁ?

ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାରା ଭାରତରେ ମାତ୍ର ୨୧ଟି ସ୍ଥାନରେ ସରକାରୀ ଭାବେ ଏହି ଯନ୍ତ୍ର ଉପଲବ୍ଧ ଅଛି। ଏହା ହିଁ ସୂଚାଉଛି, ଏହି ଚିକିତ୍ସାରେ କେତେ ଜଟିଳତା ରହିଛି। ଏପରିକି ସବୁ ଏମ୍‌ସରେ ମଧ୍ୟ ଏହି ସେବା ଉପଲବ୍ଧ ନାହିଁ। ରାଜ୍ୟ ସରକାର ନୀତିଗତ ଭାବେ ଏହି ଯନ୍ତ୍ର କିଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସମସ୍ୟାଟି ହେଲା, ଓଡ଼ିଶାରେ ସରକାରୀସ୍ତରରେ ପର୍ଯ୍ୟାପ୍ତ ହୃଦ୍‌ବକ୍ଷ ଶଲ୍ୟ ବିଶେଷଜ୍ଞ ନାହାନ୍ତି। ଏଥିପାଇଁ ଆବଶ୍ୟକ ରକ୍ତ ସଞ୍ଚାଳନ ସହାୟକଙ୍କର ମଧ୍ୟ ରାଜ୍ୟରେ ଘୋର ଅଭାବ ରହିଛି ବା ସେମାନେ ଘରୋଇ କ୍ଷେତ୍ରରେ କାମ କରିବା ଲାଗି ଅଧିକ ଆଗ୍ରହ ରଖୁଛନ୍ତି। ଏହି ଯନ୍ତ୍ର ସାହାଯ୍ୟରେ ରୋଗୀକୁ ୨୪ ଘଣ୍ଟା ପର୍ଯ୍ୟବେକ୍ଷଣ କରିବାକୁ ପଡ଼ିଥାଏ। ଏଣୁ ଅଧିକ ସଂଖ୍ୟକ ରକ୍ତ ସଞ୍ଚାଳନ ସହାୟକଙ୍କର ଆବଶ୍ୟକତା ରହିଛି। ଏକଥା ସତ ଯେ ଏକ୍‌ମୋ ମେସିନ୍ ଏବଂ ଫୁସ୍‌ପୁସ୍ ପ୍ରତିରୋପଣ ବ୍ୟବସ୍ଥା ଉଭୟ କୋଭିଡ୍-୧୯ କ୍ଷେତ୍ରରେ ସଂଜୀବନୀ ହେବ, କିନ୍ତୁ ଏହା କାର୍ଯ୍ୟକାରୀ କରିବା ସେତେ ସହଜ ନୁହେଁ, ଯେମିତି କୁହାଯାଉଛି। ସରକାର ପୂର୍ବରୁ ହୃଦ୍‌ବକ୍ଷଶଲ୍ୟ ବିଶେଷଜ୍ଞ ପଦବି ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ ବି କେହି ଜଣେ ଆବେଦନ କରିନଥିଲେ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

‘ସମ୍ବାଦ’ ଅନୁସନ୍ଧାନରୁ ଜଣାପଡ଼ିଛି, କଟକ ମେଡ଼ିକାଲରେ ଯେଉଁ ହୃଦ୍‌ବକ୍ଷଶଲ୍ୟ ବିଭାଗ ରହିଛି, ସେଠାରେ ଏବେ ମାତ୍ର ୩ଜଣ ବିଶେଷଜ୍ଞ ଅଛନ୍ତି। ଜଣେ ମାତ୍ର ରକ୍ତ ସଞ୍ଚାଳକଙ୍କୁ ନେଇ କାର୍ଯ୍ୟ ହେଉଛି। ଏକ୍‌ମୋ ଯନ୍ତ୍ର ଆଣିବା ପାଇଁ ହେଲେ ଅତିକମ୍‌ରେ ଆଉ ୪ଜଣ ରକ୍ତସଞ୍ଚାଳକ ଏବଂ ଅଧିକ ହୃଦ୍‌ବକ୍ଷଶଲ୍ୟଙ୍କର ଆବଶ୍ୟକତା ରହିଛି।

ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ ରାଜ୍ୟ ସରକାର ଏକ୍‌ମୋ ଯନ୍ତ୍ର କିଣିବା ଲାଗି ନିଷ୍ପତ୍ତି ନେଇ ସାରିଛନ୍ତି। ବୈଷୟିକ ପରାମର୍ଶ ମଗାଯାଇଥିଲା, ଯାହା ଇତିମଧ୍ୟରେ ମିଳିସାରିଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ୧୦ଟି ଏକ୍‌ମୋ ଯନ୍ତ୍ର ଲଗାଯିବ। ହେଲେ ଦୁଇଟି ପର୍ଯ୍ୟାୟରେ। ଏବେ ଯେତିକି ସ୍ଥାନ ରହିଛି,ତାହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୬ଟି ଏକ୍‌ମୋ ଯନ୍ତ୍ର କିଣିବାକୁ ସ୍ଥିର ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ବାକି ୪ଟି ଲଗାଯିବ।

ଉଲ୍ଲେଖଥାଉକି, କେବଳ ଟିକା, ଅମ୍ଳଜାନ, ଆଇସିୟୁ ବା ଭେଣ୍ଟିଲେଟର ନୁହେଁ, ଫୁସପୁସ୍ ପ୍ରତିରୋପଣ ଏବଂ ଏକ୍‌ମୋ ଯନ୍ତ୍ର ଅଥବା କୃତ୍ରିମ ଫୁସ୍‌ଫୁସ୍ ବ୍ୟବସ୍ଥା କୋଭିଡ୍‌ କ୍ଷେତ୍ରରେ ବଡ଼ ଉପାଦେୟ ହେବ। ଯାହା ଉପରେ ରାଜ୍ୟ ସରକାର ଠୋସ୍ ପଦକ୍ଷେପ ନେବାର ବେଳ ଆସିଛି। କେବଳ କଟକ ବଡ଼ ମେଡ଼ିକାଲ ନୁହେଁ, ରାଜ୍ୟର ସମସ୍ତ ମେଡ଼ିକାଲ କଲେଜ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହେବା ଦରକାର।

ସମ୍ବନ୍ଧିତ ଖବର