ଏମ୍ସକୁ ଆସିଲା ଏକମୋ ମେସିନ, ଷ୍ଟେରଏଲ ଆଇସିୟୁ, ପ୍ରଶିକ୍ଷଣ ପାଇଁ ଆଲୋଚନା

ଭୁବନେଶ୍ବର : ଏମ୍ସ ଭୁବନେଶ୍ବରକୁ ଆସିଲା ଏକ୍‌ମୋ ମେସିନ। ବଜାରରେ ବର୍ତ୍ତମାନ ଏକ୍‌ମୋ ମେସିନ ସଙ୍କଟ ରହିଥିବାରୁ ଏମ୍ସକୁ ଏହା ଆସିବା ନେଇ ଅନିଶ୍ଚିତତା ଥିଲା। ବର୍ତ୍ତମାନ ଏକ୍‌ମୋ କାର୍ଯ୍ୟକ୍ଷମ କରିବା ପାଇଁ ଏକ୍‌ମୋ ପ୍ରଶିକ୍ଷଣ ନେଇଥିବା ହୃଦରୋଗ ବିଶେଷଜ୍ଞ ଡାକ୍ତର ରୁଦ୍ରପ୍ରତାପ ମହାପାତ୍ର, ଡାକ୍ତର ସିଦ୍ଧାର୍ଥ ସାଠିଆ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କ୍ରିଷ୍ଣା, ନିଶ୍ଚେତକ ବିଭାଗ ଏଚଓଡି ଡା. ସତ୍ୟଜିତ ମିଶ୍ର ରହିଛନ୍ତି। ମାତ୍ର ନର୍ସିଂ ଷ୍ଟାଫଙ୍କୁ ଏଥିସଂକ୍ରାନ୍ତରେ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇ ନାହିଁ। ଯଥାଶୀଘ୍ର ନର୍ସିଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ପାଇଁ ନିର୍ଦେଶ ହୋଇଛି।

ଷ୍ଟେରଏଲ ଆଇସିୟୁ ବିନା ରୋଗୀଙ୍କ ଶରୀରରେ ଏକ୍‌ମୋ ଲଗାଇଲେ ଇନଫେକ୍ସନ ହେବାର ଆଶଙ୍କା ରହିଥାଏ। ଲକ୍ଷାଧିକ ଟଙ୍କା ଖର୍ଚ ପରେ ରୋଗୀଙ୍କ ମୃତ୍ୟୁ ହୋଇଯାଏ। ବିନା ଷ୍ଟେରଏଲ ଆଇସିୟୁରେ ଏମ୍ସରେ କିଭଳି ଏକମୋ ଚିକିତ୍ସା ହୋଇ ପାରିବ ଏହାକୁ ନେଇ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ। ଏମ୍ସ କର୍ତ୍ତୃପକ୍ଷ ଗୁରୁତ୍ବର ସହିତ ଏହାକୁ ବିଚାର କରିଛନ୍ତି। ଏହାର ବ୍ୟବସ୍ଥା କିଭଳି ହୋଇ ପାରିବ ସେ ନେଇ ଆଲୋଚନା ହୋଇଛି। ଏମ୍ସରେ ଏକ୍‌ମୋ ଅଭାବ ଯୋଗୁଁ ବିରୋଧୀ ଦଳ ନେତାଙ୍କ ପାଇଁ ଆବଶ୍ୟକ ହେବାରୁ ଏକ ଘରୋଇ ଡାକ୍ତରଖାନାରୁ ଏକ୍‌ମୋ ମେସିନ ଅଣାଯାଇଥିଲା।

ସମ୍ବନ୍ଧିତ ଖବର