୧୭ ହଜାରକୁ, ବୃଦ୍ଧି ପାଇବ ଇକୋ-କ୍ଲବ୍‌ ସଂଖ୍ୟା

ସ୍ଥାପନ ହେବ ‘ପରିବେଶ ପାଠାଗାର’

ଭୁବନେଶ୍ବର: ପରିବେଶ ସହ ଛାତ୍ରଛାତ୍ରୀଙ୍କୁ ବ୍ୟାପକ ସଂଖ୍ୟାରେ ଯୋଡ଼ାଯିବ। ଏହା କେବଳ ସ୍କୁଲ୍‌ ପରିସରରେ ସୀମିତ ରହିବ ନାହିଁ। ଏଣିକି ବିଭିନ୍ନ କଲେଜ, ବୈଷୟିକ ଓ ମେଡିକାଲ୍‌ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଇକୋ-କ୍ଲବ୍‌ ଗଠନ ହେବ। ସମଗ୍ର ରାଜ୍ୟରେ ଏବେ ୯୫୦୦ ଇକୋ-କ୍ଲବ୍‌ ରହିଥିବା ବେଳେ ଏହି ସଂଖ୍ୟା ୧୭ ହଜାରକୁ ବୃଦ୍ଧି ପାଇବ। ପ୍ରତି ଜିଲ୍ଲାରେ ଆଉ ୨୫୦ ଲେଖାଏଁ ଇକୋ-କ୍ଲବ୍‌ ଯୋଡ଼ି ହେବ। ପରିବେଶ ସଂକ୍ରାନ୍ତୀୟ ସଚେତନତା ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସହ ଯୋଡ଼ିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନସ୍ଥ ‘ସେଣ୍ଟର ଫର୍‌ ଏନ୍‌ଭିରୋନ୍‌ମେଣ୍ଟାଲ୍‌ ଷ୍ଟଡିଜ୍‌’ର ନିର୍ଦେଶକ ଡ.ଆଶୁତୋଷ ଦେବତା। ଶିକ୍ଷାନୁଷ୍ଠାନ ପରିସରକୁ ସବୁଜ-ସୁସ୍ଥ-ନିର୍ମଳ କରିବା ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଇକୋ-କ୍ଲବ୍‌ ଥିବା ଶିକ୍ଷାନୁଷ୍ଠାନରେ ‘ପରିବେଶ ପାଠାଗାର’ ସ୍ଥାପନ ହେବ। ଏହି ବର୍ଧିତ ଇକୋ-କ୍ଲବ୍‌ ସଂକ୍ରାନ୍ତ ପ୍ରସ୍ତାବ ରାଜ୍ୟ ସରକାରଙ୍କଠାରୁ ଅନୁମୋଦନ ପାଇବା ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ମଧ୍ୟ ପାଇ ସାରିଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦେଶକଙ୍କ ସହ ଆଲୋଚନା ହୋଇସାରିଛି। ୨୦୧୯-୨୦ରେ ଏହା ପୂର୍ଣ୍ଣାଙ୍ଗ ରୂପରେଖ ନେବ। ଇକୋ-କ୍ଲବ୍‌ ସହ ସଂଶ୍ଳିଷ୍ଟ କାର୍ଯ୍ୟଧାରାରେ ଆଉ କିଛି ନୂଆ କାର୍ଯ୍ୟ ପନ୍ଥା ଯୋଡ଼ିହେବ। ଛାତ୍ରଛାତ୍ରୀମାନେ ନିଜ ସ୍କୁଲ୍‌ ସମେତ ଆଖପାଖ ଗାଁକୁ ସବୁଜ-ସୁସ୍ଥ-ନିର୍ମଳ ରଖିବା ଦିଗରେ ଅଂଶୀଦାର ହେବେ। ତୁଳସୀ, ବେଲ, ନିମ୍ବ, ‌ଅଁଳା ଭଳି ଧାର୍ମିକ ବୃକ୍ଷ ରୋପଣ କରିବା ସହ ଏହାର ଯତ୍ନ ନେବେ। ଇକୋ-କ୍ଲବ୍‌ ଦାୟିତ୍ବରେ ଥିବା ଶିକ୍ଷକମାନଙ୍କୁ ସେଣ୍ଟର ଫର୍‌ ଏନ୍‌ଭିରୋନ୍‌ମେଣ୍ଟାଲ୍‌ ଷ୍ଟଡିଜ୍‌ ପକ୍ଷରୁ ଇକୋ-କ୍ଲବ୍‌ର କାର୍ଯ୍ୟ ଧାରା ସହ ନୂତନ କୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ। ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ସଚେତନ କରାଯିବ। ଶିକ୍ଷାନୁଷ୍ଠାନଠାରୁ ୯ କିଲୋମିଟର ଅଞ୍ଚଳ ମଧ୍ୟରେ ପରିବେଶ ସମ୍ପର୍କିତ ଟିକିନିଖି ବିବରଣୀ ସଂଗ୍ରହ ପାଇଁ ଛାତ୍ରଛାତ୍ରୀଙ୍କୁ ଯୋଡ଼ାଯିବ। ‌୯ କିଲୋମିଟର ମଧ୍ୟରେ କେତେ ପୋଖରୀ, କେଉଁ ପ୍ରକାର କେତେ ଗଛ, ସ୍ବାସ୍ଥ୍ୟକେନ୍ଦ୍ର ଓ ମନ୍ଦିର ସମ୍ପର୍କରେ ସମସ୍ତ ବିବରଣୀ ସଂଗ୍ରହ କରାଯିବ। ଏଥିସହ ଛାତ୍ରଛାତ୍ରୀଙ୍କ ପାଇଁ ଜୈବ ବିବିଧ ପର୍ଯ୍ୟଟନ କେନ୍ଦ୍ର ଭ୍ରମଣର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର