ଦୁଇ ଓଡ଼ିଆ ଯୁବକଙ୍କ କମାଲ : ପନିପରିବା, ଫୁଲ, ଫଳ ଏବଂ ଅଦରକାରୀ ଖବର କାଗଜରୁ ତିଆରି କଲେ ପ୍ଲାଷ୍ଟିକ୍ ଫ୍ରି ପେନ୍

ଭୁବନେଶ୍ୱର : ଆପଣଙ୍କ ଜୀବନରେ ଏମିତି ଅନେକ ଦାମୀ ଏବଂ କମ୍ ଦାମର ପେନ୍ ଦେଖିଥିବେ। ହେଲେ ଆଧୁନିକ ଯୁଗରେ ପନିପରିବା, ଫୁଲ, ଫଳ ଏବଂ ଅଦରକାରୀ ଖବର କାଗଜରୁ ତିଆରି ପେନ୍ କେବେ ଦେଖିନଥିବେ। କିନ୍ତୁ ଏଭଳି ଅବିଶ୍ୱସନୀୟ କାର୍ଯ୍ୟକୁ ବାସ୍ତବରେ ପଣିତ କରିଛନ୍ତି ଦୁଇ ଓଡ଼ିଶାର ଯୁବକ। ଭୁବନେଶ୍ୱରର ପ୍ରେମ୍ ପାଣ୍ଡେ ଏବଂ ଏମ.ଡି ଅହମଦ୍ ରାଜା ଏହି ପ୍ଲାଷ୍ଟିକ୍ ଫ୍ରୀ ‘ୟୁଜ୍ ଥ୍ରୋ ପେନ୍’କୁ ଉଦ୍ଭାବନ କରିଛନ୍ତି। ଯାହାକୁ ନେଇ ଏବେ ଜାତୀୟ ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଇକୋ ଫ୍ରେଣ୍ଡଳୀ ପେନ୍ ର ନାମ ‘ଲିଖନା’ ରଖାଯାଇଛି।

କେବଳ ରାଜ୍ୟ ନୁହେଁ ବରଂ ଦେଶ ବିଦେଶରେ ୟୁଜ୍ ଆଣ୍ଡ ଥ୍ରୋ ପେନର ଚାହିଦା ଏବେ ବଢ଼ିବାରେ ଲାଗିଛି। ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ବେଶ୍ ଚାହିଦା ରହିଛି। ହେଲେ ଏହି ‘ୟୁଜ୍ ଆଣ୍ଡ ଥ୍ରୋ’ ପେନ୍ ପ୍ଲାଷ୍ଟିକରେ ତିଆରି ହେଉଥିବାରୁ ପରିବେଷ ପ୍ରଦୂଷଣ ହେବାରେ ଲାଗୁଛି। ତେଣୁ ଏହି ସଙ୍କଟରୁ ମୁକୁଳିବା ପାଇଁ ଦୁଇ ଓଡ଼ିଶାର ଯୁବକ ବାହାର କରିଛନ୍ତି ଏକ ନୂଆ ଉପାୟ। ଆଉ ଉଦ୍ଭାବନ କରିଛନ୍ତି ଇକୋ ଫ୍ରେଣ୍ଡଲୀ ଅର୍ଥାତ୍ ପରିବେଶ ଅନୁକୂଳ ପେନ୍। ସବୁଠାରୁ ବଡ଼ କଥ ହେଲା କି, ମାତ୍ର ୫ ଟଙ୍କା ଓ ୭ ଟଙ୍କା ଦେଇ ଦୁଇ ପ୍ରକାରର ପ୍ଲାଷ୍ଟିକ୍ ମୁକ୍ତ ପେନର କିଣିପାରିବେ।

ଅନ୍ୟପଟେ ଏହି ପେନ୍‌ର ଆବିଷ୍କାରକ ପ୍ରେମ୍ ପାଣ୍ଡେ କହିଛନ୍ତି କି, ଦିନକୁ ଦିନ ପରିବେଶ ପ୍ରଦୂଷଣ ହେଉଥିବାରୁ ଏହି ପେନ୍ ତିଆରି କରିବାକୁ ଆମେ ଚିନ୍ତା କରିଥିଲୁ। ପୂର୍ବରୁ ବ୍ୟବହାର ହେଉଥିବା ୟୁଜ୍ ଆଣ୍ଡ୍ ଥ୍ରୋ ପେନ୍ ସହଜରେ ମାଟିରେ ନଷ୍ଟ ହୁଏ ନାହିଁ ଏବଂ ପରିବେଶକୁ ପ୍ରଦୂଷଣ କରିଥାଏ। ତେବେ ଏହି ପେନର ରିଫିଲକୁ ବାଦ୍ ଦେଲେ ପେନ୍ କଭରଟି ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ମୁକ୍ତ। ଅନ୍ୟପଟେ ଆଗାମୀ ଦିନରେ ଏହାର ରିଫିଲ୍ କୁ ମଧ୍ୟ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ପ୍ରେମ ପାଣ୍ଡେ।

ସେହିଭଳି ଅନ୍ୟ ଆବିଷ୍କାରକ ଏମ.ଡି ରାଜା କହିଛନ୍ତି ଯେ, ଏହି ୟୁଜ ଆଣ୍ଡ୍ ଥ୍ରୋ ପେନକୁ ବ୍ୟବହାର କରି ସପ୍ତାହକ ମଧ୍ୟରେ ଅତି ସହଜରେ ମାଟିରେ ପୋତି ନଷ୍ଟ କରିହେବ। ସବୁଠାରୁ ବଡ଼ କଥା ହେଲା କି, ଏହି ପେନ୍ ନଷ୍ଟ ହେବାପରେ ସେଥିରୁ ବିଭିନ୍ନ ଗଛ ଉଦ୍ଭିଦ ହୋଇପାରିବ। ଏହି ପେନ୍ କୁ ନେଇ କେବଳ ଭାରତ ନୁହେଁ ବରଂ ଜର୍ମାନୀ ଏବଂ ଅଷ୍ଟ୍ରେଲିଆରୁ ଭଲ ମତାମତ ମିଳିଛି। ଏହା ସେଠାକାର ବଜାରରେ ମଧ୍ୟ ଉପଲବ୍ଧ ହୋଇସାରିଛି ବୋଲି କହିଛନ୍ତି ରାଜା।

ସମ୍ବନ୍ଧିତ ଖବର