ହୋର୍ଡିଂ, ବ୍ୟାନର ହଟାଇବାକୁ ତାଗିଦ୍‌ କଲେ ନିର୍ବାଚନ କମିସନର

ଭୁବନେଶ୍ବର : ସରକାରୀ କୋଠା, ସର୍ବସାଧାରଣ ସ୍ଥାନରେ ଲାଗିଥିବା ହୋର୍ଡିଂ, ବ୍ୟାନର, ପୋଷ୍ଟର ଆଦିକୁ ତୁରନ୍ତ ହଟାଇବାକୁ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସା‌ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ଲାଗୁ ହେବା ଦିନଠାରୁ ହୋର୍ଡିଂ, ବ୍ୟାନର ଆଦିକୁ ହଟାଇବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଥିଲେ ହେଁ ଏହାକୁ କାହିଁକି ଜିଲ୍ଲାପାଳମାନେ ମାନିନାହାନ୍ତି ସେନେଇ କମିସନର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ କହିଛନ୍ତି ଯେ ଦିନେରୁ ଦୁଇ ଦିନ ଭିତରେ ସରକାରୀ ବିଜ୍ଞାପନ, ହୋର୍ଡିଂ ଆଦି ଯେପରି ସର୍ବସାଧାରଣ ସ୍ଥାନରେ ରହିବନି ସେନେଇ ଜିଲ୍ଲାପାଳମାନେ ନିଶ୍ଚିତ କରିବେ।

ସେହିପରି ବଲାଙ୍ଗୀର ଜିଲ୍ଲାର ବିଲେଇସରଦା ଗ୍ରାମପଞ୍ଚାୟତର ସରପଞ୍ଚ ପଦବି ନିଲାମ ହେବା ନେଇ ଅଭିଯୋଗ ଆସିଥିବାରୁ ଏଠାରେ ଯେପରି କୌଣସି ଇଚ୍ଛୁକ ପ୍ରାର୍ଥୀଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବାରେ କିଛି ପ୍ରତିବନ୍ଧକ ସୃଷ୍ଟି ନହୁଏ କି କେହି ବାରଣ ନକରନ୍ତି ତାହା ଉପରେ ନଜର ରଖିବାକୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ଚାନ୍ଦବାଲି ବ୍ଲକ ଅଧୀନସ୍ଥ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ଜିଆର୍‌ଏସ୍‌ଙ୍କୁ କାର୍ଯ୍ୟରୁ ବାହାର କରିବା ସହ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟର ଅପବ୍ୟବହାର କରୁଥିବା ନେଇ ବିଜେପି ବୁଧବାର ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା। ଏହାସହ ସରକାରୀ କୋଠା ଓ ସର୍ବସାଧାରଣ ସ୍ଥାନରୁ ବିଜ୍ଞାପନ ଓ ହୋର୍ଡିଂ ତୁରନ୍ତ ଉଚ୍ଛେଦ ପାଇଁ ବିଜେପି ଓ ବି‌ଜେଡି ପୃଥକ ପୃଥକ ଭାବେ କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କମିସନର ଏହି ନିର୍ଦ୍ଦେଶ ଦେଇଛନ୍ତି।

କମିସନରଙ୍କ ତାଗିଦ୍‌ ପରେ ଆଜି କେତେକ ଜିଲ୍ଲାପାଳ କର୍ମଚାରୀ ଲଗାଇ ବିଭିନ୍ନ ସ୍ଥାନରେ ହୋର୍ଡିଂ, ଫଳକ ଆଦିକୁ ଘୋଡ଼ାଇଛନ୍ତି।

ସମ୍ବନ୍ଧିତ ଖବର