ଇକୋ ରିଟ୍ରିଟ୍‌କୁ ବଡ଼ ସଫଳତା: ପର୍ଯ୍ୟଟନ ମନ୍ତ୍ରୀ

୬୦%ରୁ ଅଧିକ ବୁକିଂ ହେଲାଣି, ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ

ଭୁବନେଶ୍ବର : ଇକୋ ରିଟ୍ରିଟ୍ ଜରିଆରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସରକାରଙ୍କୁ ସଫଳତା ମିଳିଛି। ଆଜି ଏ ନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

ମନ୍ତ୍ରୀ କହିଥିଲେ, ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ରେ ଆୟୋଜିତ ଇକୋ-ରିଟ୍ରିଟ୍ ଅସ୍ଥାୟୀ ତମ୍ବୁରେ ରହିବା ପାଇଁ ୬୦%ରୁ ଅଧିକ ବୁକିଂ ହେଲାଣି। ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆରମ୍ଭ ହେବା ଦିନ ୧୫୦ଟି ବୁକିଂ ହୋଇଥିଲା। ଏବେ ଏହି ସଂଖ୍ୟା ୧୫୦୦ରେ ପହଞ୍ଚିଛି। ପର୍ଯ୍ୟଟକମାନଙ୍କ ପାଇଁ ସେଠାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଟୁରିଜିମ୍ ପୁଲିସ ସଜାଗ ଅଛି। ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯିବ। ପୁଲିସକୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଉଛି। ସ୍ଥାନୀୟ ଏସ୍‌ପି ମଧ୍ୟ ଏ ଦିଗରେ ସଚେତନ ଅଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ସରକାର ମେରାଇନ୍ ଡ୍ରାଇଭରେ ଇକୋ ରିଟ୍ରିଟ୍ ଉତ୍ସବ ଆରମ୍ଭ କରିଥିଲେ। ପର୍ଯ୍ୟଟକମାନଙ୍କ ଆଗ୍ରହକୁ ଦେଖି ଏହି କାର୍ଯ୍ୟକ୍ରମକୁ ବଡ଼ ସଫଳତା ମିଳିଥିବା ମନ୍ତ୍ରୀ କହିଥିଲେ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ଼ ସମୁଦ୍ର କୂଳରେ ଥିବା ରାମଚଣ୍ଡୀ ବେଳାଭୂମିରେ ପର୍ଯ୍ୟଟକମାନଙ୍କୁ ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ବିଳାସପୂର୍ଣ୍ଣ ୫୦ଟି ତମ୍ବୁରେ ଅସ୍ଥାୟୀ ରହଣି ବ୍ୟବସ୍ଥା କରାଯାଇଛି। ଗୋଟିଏ ରାତି ରହଣି ପାଇଁ ୬ ହଜାର ଟଙ୍କାରୁ ୨୨ ହଜାର ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସ୍ପୋର୍ଟସ୍ ଟୁରିଜିମ୍ ଜରିଆରେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ୪୯ ଦିନ ଧରି ଚାଲିବାକୁ ଥିବା ଏହି ଇକୋ-ରିଟ୍ରିଟ୍ ଉତ୍ସବକୁ ଗତ ୧୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ।

ସମ୍ବନ୍ଧିତ ଖବର