ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନର ସବୁଠାରୁ ବଡ଼ ଆକର୍ଷଣ ବେଳାଭୂମି ମହୋତ୍ସବ ‘ଇକୋ-ରିଟ୍ରିଟ୍’ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କୁ ଆଉ ୧ ମାସ ଅପେକ୍ଷା କରିବାକୁ ପଡ଼ିବ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍। ଇତିମଧ୍ୟରେ ଇକୋ-ରିଟ୍ରିଟ୍ ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ଏହାପରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଶିବିର ସଂଖ୍ୟା, କେତେ ପରିମିତ ସ୍ଥାନରେ ଏହାର ଆୟୋଜନ କରାଯିବ, ଅଧିକ କ’ଣ ସବୁ ଏଥିରେ ଯୋଡ଼ା ଯାଇପାରିବ ସେ ନେଇ ନିଷ୍ପତ୍ତି ନିଆଯିବ।
ତେବେ ମିଳିଥିବା ସୂଚନା ଅନୁସାରେ, ଗତ ୨ ବର୍ଷରେ ଇକୋ-ରିଟ୍ରିଟ୍ର ସଫଳତାକୁ ଦେଖି ଚଳିତ ବର୍ଷ ଏହାକୁ ଅଧିକ ସଂପ୍ରସାରିତ କରିବାକୁ ବିଭାଗ ଯୋଜନା କରିଛି। ଗତବର୍ଷ କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି ଓ ହୀରାକୁଦ ଆଦି ସ୍ଥାନରେ ଇକୋ-ରିଟ୍ରିଟ୍ର ଆୟୋଜନ କରାଯାଇଥିବା ବେଳେ ଚଳିତ ବର୍ଷ ଆଉ ୨ଟି ସ୍ଥାନ ଏହି ତାଲିକାରେ ଯୋଡ଼ି ହୋଇଛି। ଗଞ୍ଜାମ ଜିଲ୍ଲାର ପତି ସୋନପୁର ବେଳାଭୂମି ସହ କୋରାପୁଟର ପାହାଡ଼ ପାଦଦେଶରେ ଥିବା ପୁଟ୍ସିଲ୍ରେ ଏଥର ଇକୋ-ରିଟ୍ରିଟ୍ର ଆୟୋଜନ କରାଯିବ। ସେହିପରି ଗତବର୍ଷ କେନ୍ଦ୍ରାପଡ଼ାର ଭିତରକନିକାରେ ଏକ ଘରୋଇ ଅନୁଷ୍ଠାନର ଜାଗାରେ ଇକୋ-ରିଟ୍ରିଟ୍ର ଆୟୋଜନ କରାଯାଇଥିବା ବେଳେ ଏଥର ପେଣ୍ଠ ବେଳାଭୂମିରେ ଇକୋ-ରିଟ୍ରିଟ୍ ଆୟୋଜିତ ହେବ ବୋଲି ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି।
ଅନ୍ୟପଟେ ଇକୋ-ରିଟ୍ରିଟ୍ ଓଡ଼ିଶା ପର୍ଯ୍ୟଟନର ଏକ ସଫଳ ଅଧ୍ୟାୟ ବୋଲି ସରକାର ବିଚାର କରୁଛନ୍ତି। ଏଣୁ ଏହାକୁ ଅଧିକ ଚଳଚଞ୍ଚଳ ଓ ଉପଯୋଗୀ କରିବାକୁ ଇକୋ-ରିଟ୍ରିଟ୍ରେ ବିଭିନ୍ନ ସମ୍ମିଳନୀ, କାର୍ଯ୍ୟକ୍ରମ ଆଦି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ତେବେ କୋଣାର୍କରେ ଏଯାଏ ସମୁଦ୍ର ପାଣି ଖସିନଥିବାରୁ ଏବେ ସେଠାରେ ଶିବିର ବାନ୍ଧିବା ସମ୍ଭବ ନୁହେଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କେବଳ ସେତିକି ନୁହେଁ, କୋଣାର୍କରେ ବାଲିଶଯ୍ୟାର ଅବକ୍ଷୟ ଫଳରେ ଚଳିତ ବର୍ଷ କୋଣାର୍କ ଇକୋ-ରିଟ୍ରିଟ୍ ପାଇଁ ଅପେକ୍ଷାକୃତ କମ୍ ଜାଗା ମିଳିବ ବୋଲି ବିଭାଗ କହିଛି।
ଏବେ ବି କଳ୍ପନାରେ କାରାଭାନ୍ ପର୍ଯ୍ୟଟନ
ଓଡ଼ିଶାକୁ ଆସିବ ୫ଟି ଲକ୍ଜୁରି ବସ୍। ଏଥିରେ ହୋଟେଲ ଭଳି ସମସ୍ତ ସୁବିଧା ଉପଲବ୍ଧ ହେବ। କିଚେନ୍ଠାରୁ ବେଡ୍ରୁମ୍, ଶୌଚାଳୟଠାରୁ ଲିଭିଂ ଡାଇନିଂ ପର୍ଯ୍ୟନ୍ତ ସବୁ ସୁବିଧା ନିଜ ସାଙ୍ଗରେ ନେଇ ପର୍ଯ୍ୟଟକ ବୁଲିପାରିବେ ରାଜ୍ୟର କୋଣଅନୁକୋଣ। ପର୍ଯ୍ୟଟକମାନେ ଏହି ବସ୍ ବୁକ୍ କରି ନିଜ ଇଚ୍ଛା ମୁତାବକ ବୁଲିପାରିବେ। ଆତିଥେୟ ଶିଳ୍ପଜଗତ ସହ ଟୁର୍ ଅପରେଟର୍ମାନଙ୍କ ସହବନ୍ଧିତାରେ ଏହା ଆଗକୁ ବଢ଼ିବ। କରୋନା ଯୋଗୁଁ ଭୁଶୁଡ଼ି ପଡ଼ିଥିବା ରାଜ୍ୟ ପର୍ଯ୍ୟଟନକୁ ଅଣ୍ଟା ସଳଖି ଠିଆ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଏମିତି ସ୍ବପ୍ନ ଦେଖାଇଥିଲା ପର୍ଯ୍ୟଯକମାନଙ୍କୁ। କର୍ଣ୍ଣାଟକରେ କାରାଭାନ ପର୍ଯ୍ୟଟନର ସଫଳତା ପରେ ଏଭଳି କିଛି କରିବାକୁ ଖସଡ଼ା ପ୍ରସ୍ତୁତ କରିଥିଲା ପର୍ଯ୍ୟଟନ ବିଭାଗ। କିନ୍ତୁ ଦେଢ଼ ବର୍ଷ ପରେ ବି ଏହି ଯୋଜନାର ସଫଳ ରୂପରେଖ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନଥିବା ବେଳେ ଏନେଇ ନୀତି ନିର୍ଧାରଣ କରାଯାଉଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/rajnagar-eco-retreat-2_6-1.jpg)