ସମ୍ବଲପୁର : ଚଳିତ ବର୍ଷ ପ୍ରଥମଥର ପାଇଁ ସମ୍ବଲପୁର ସହର ଉପକଣ୍ଠ ଜମାଦାରପାଲି ଏୟାର୍‌ଷ୍ଟ୍ରିପ୍‌ ନିକଟ ବଲବସ୍‌ପୁରଠାରେ ହୀରାକୁଦ ଜଳଭଣ୍ଡାର କୂଳରେ ‘ଇକୋ ରି‌ଟ୍ରିଟ୍‌’ ଆୟୋଜିତ ହେବ। ପଶ୍ଚିମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନର ବିକାଶ ପାଇଁ ଡିସେମ୍ବର ପହିଲାରୁ ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ତିନି ମାସ ଧରି ଚାଲିବାକୁ ଥିବା ଏହି ‘ଇକୋ ରିଟ୍ରିଟ୍’ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍‌ ଯାଦବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତ ବର୍ଷ କୋଣାର୍କ ମେରାଇନ୍ ଡ୍ରାଇଭ୍ ଠାରେ ‘ଇକୋ ରିଟ୍ରିଟ୍’ର ସଫଳତା ପରେ ଚଳିତ ବର୍ଷ ରାଜ୍ୟ ସରକାର ହୀରାକୁଦ ଜଳଭଣ୍ଡାର ସମେତ ୫ଟି ସ୍ଥାନରେ ଏହା ଆୟୋଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରକ୍ଷୀରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଯାଦବ ଶନିବାର ସମ୍ବଲପୁର ଗସ୍ତରେ ଆସି ଜମାଦାରପାଲି ଏୟାରଷ୍ଟ୍ରିପ୍‌ ନିକଟରେ ଏହି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିଥିଲେ। ତାଙ୍କ ସହ ଜିଲ୍ଲାପାଳ ଶୁଭମ୍ ସକସେନା, ସଦର ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, କ୍ଷେତ୍ର ଡିଏଫ୍ଓ ସଂଜିତ କୁମାର, ବନ୍ୟପ୍ରାଣୀ ଡିଏଫ୍ଓ ପ୍ରତାପ କେ ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Advertisment

ଏହି ଇକୋ ରିଟ୍ରିଟ୍‌ରେ ଅତିଥିଙ୍କ ପାଇଁ କଟେଜ୍, ସମ୍ମିଳନୀ କକ୍ଷ, ଅଭ୍ୟର୍ଥନା ଗୃହ, ରେସ୍ତୋରାଁ ଆଦିର ବ୍ୟବସ୍ଥା କରା ଯାଉଛି। ଅଥିତି ମାନେ ବିଭିନ୍ନ ଜଳକ୍ରୀଡ଼ା ଯଥା ଜେଟ୍ ସ୍କି’, ବନାନା ରାଇଡ୍, ବୋଟିଂ ଆଦିର ମଜା ନେଇ ପାରିବେ। ଏହାଛଡ଼ା ଇକୋ ରିଟ୍ରିଟ୍‌ ପର୍ଯ୍ୟଟକଙ୍କ ଲାଗି ରେ ଡେବ୍ରିଗଡ଼ ଅଭୟାରଣ୍ୟରେ ସଫାରିରେ ବୁଲିବା, ହୀରାକୁଦ ରୋପ୍ ୱେ’ ରାଇଡ୍‌ର ଅତିରିକ୍ତ ଆକର୍ଷଣ ରହିଛି। ଏଥିସହ ସାଇକଲ ରାଇଡିଂ, ରାଇଫଲ୍ ସୁଟିଂର ବ୍ୟବସ୍ଥା ରହିବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ଅତିଥିଙ୍କୁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇ ଦେଖାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ପର୍ଯ୍ୟଟନର ଏହି ମନୋରଂଜକ ପ୍ୟାକେଜ୍‌ ପାଇଁ ଅତିଥି ମାନଙ୍କୁ ନିର୍ଧାରିତ ତାରିଖ ପୂର୍ବରୁ ବୁକିଂ କରିବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କହାଯାଇଛି।