ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଓଡିଶାର ପର୍ଯ୍ୟଟକଙ୍କ ପାଇଁ ଖୁସିର ଖଵର । ଖୁବ ଶୀଘ୍ର ବଦଳିବ ପର୍ଯ୍ୟଟନ କ୍ଷେତ୍ରର ଚିତ୍ର। ମୟୁରଭଂଜବାସୀଙ୍କ ପାଇଁ ମଧ୍ୟ ଭେଟି ଦେଇଛନ୍ତି ଓଡିଶା ସରକାର । ଆଜି ମୁଖ୍ୟ ଶାସନ ସଚିବ ଓଡ଼ିଶାର ଦଶଟି ପର୍ଯ୍ୟଟନସ୍ଥଳୀ ଇକୋ ରିଟ୍ରିଟ ହେବା ନେଇ ଘୋଷଣା କରିଛନ୍ତି । ଏଥି ମଧ୍ୟରୁ ମୟୁରଭଂଜ ଜିଲ୍ଲା ଶିମିଳିପାଳର ନଅଣା ଓ ରାଇରଙ୍ଗପୁରର ଖଡ଼ଖାଇ ନଦୀ ବନ୍ଧ ଠାରେ ମଧ୍ୟ ଇକୋ ରିଟ୍ରିଟ ହେବା ନେଇ ସୂଚନା ଦେଇଛନ୍ତି ।
ମୟୁରଭଞ୍ଜ ଜିଲ୍ଲାର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ । ଶିମିଳିପାଳରେ ଘଞ୍ଚ ଜଙ୍ଗଲରେ ବନ୍ୟଜନ୍ତୁକୁ ପାଖରୁ ପର୍ଯ୍ୟଟକ ଦେଖିବାର ସୁଯୋଗ ପାଇଥାନ୍ତି । ବିଭିନ୍ନ ଜଳପ୍ରପାତ ସହିତ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲିଦେଖି ପର୍ଯ୍ୟଟକ ଉପଭୋଗ କରିଥାନ୍ତି । ପର୍ଯ୍ୟଟକକୁ ଆଖିଆଗରେ ରଖି ଉତ୍ତର ଶିମିଲିପାଳର ନଅଣାରେ ଆଠଟି କଟେଜ ନିର୍ମାଣ କରାଯିବ ବୋଲି ଆର ସି ସି ଏଫ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ନଅଣା ଠାରେ କାର୍ଯ୍ୟ ଆରମ୍ଭ ହେବ । ଏହି କଟେଜ ନିର୍ମାଣ ଶେଷ ହେଲା ପରେ ପର୍ଯ୍ୟଟକ ରାତି ଏବଂ ଦିନ ରେ ରହିବା ସହିତ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାର ସୁଯୋଗ ପାଇବେ ।
ସେହିପରି ରାଇରଙ୍ଗପୁର ଖଡ଼ଖାଇ ନଦୀ ବନ୍ଧ ପର୍ଯ୍ୟଟନସ୍ଥଳୀର ମଧ୍ୟ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଦୁଇ କୋଟି ଟଙ୍କାର ବଜେଟ ଆକଳନ ହୋଇଥିବା ସୂଚନା ଦେଇଛନ୍ତି ରାଇରଙ୍ଗପୁର ଜଳସେଚନ ବିଭାଜନ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୋଦାମ ସିଂ । ଖୁବ ଶୀଘ୍ର କାମ ମଧ୍ୟ ଆରମ୍ଭ ହେବ । ପୂର୍ବରୁ ଏହି ପର୍ଯ୍ୟଟନ ସ୍ଥଳୀ କୁ ରାଜ୍ୟ ତଥା ରାଜ୍ୟ ବହାରରୁ ଅସୁଥିବା ପର୍ଯ୍ୟଟକ ବନ୍ଧ ବୁଲିବା ସହ ସୁଲେଇପାଟ ଅଂଚଳର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରୁଥିଲେ । କିନ୍ତୁ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ ଯୋଗୁଁ ଅନେକ ପର୍ଯ୍ୟଟକ ଆସିବା ପରେ ଖଡ଼ଖାଇ ବନ୍ଧରୁ ମୁହଁ ଫେରାଉଥିବା ବେଳେ ଓଡିଶା ସରକାରଙ୍କ ଏହି ପର୍ଯ୍ୟଟନ ସ୍ଥଳୀଠାରେ ଇକୋ ରିଟ୍ରିଟ କରିବା ନିଶ୍ଚିତ ଭାବେ ପୁନଶ୍ଚ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସୁଅ ଛୁଟିବ ।
ସୂଚନାଯୋଗ୍ୟ ଯେ ମୟୁରଭଞ୍ଜ ବାମନଘାଟି ଉପଖଣ୍ଡ କୁସୁମୀ ବ୍ଲକ ହେଉଛି ଭାରତର ନବ ନିର୍ବାଚିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି, ଏଠାରେ ଅଛି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସୁଲେଇପାଟ ଡ୍ୟାମ | ଯଦି ଏହି ଡ୍ୟାମ ର ପାରିପାର୍ଶ୍ଵିକ ଉନ୍ନତି କରି ରୋପୱେ ସୁବିଧା,ବୋଟ ହାଉସର ସୁବିଧା, ଜଳକ୍ରୀଡା ସାମଗ୍ରୀ ଉପଲବ୍ଧ ହୋଇପାରେ ତେବେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହେବ ଏବଂ ଏହାଦ୍ୱାରା ଏହି ଅଞ୍ଚଳର ଅର୍ଥନୀତି ଅଭିବୃଦ୍ଧି ହେବା ସହିତ ବହୁମାତ୍ରାରେ ବେକାରୀ ସମସ୍ୟା ଦୂର ମଧ୍ୟ ହୋଇପାରିବ |