କଳିଙ୍ଗା ଓ ଘୁ.ଉଦୟଗିରିର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଇକୋ ଟୁରିଜିମ ଦାବି ନାଲି ଫିତା ତଳେ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଂଚଳରେ ପର୍ଯ୍ୟାପ୍ତ ପର୍ଯ୍ୟଟନର ସୁବିଧା ଥିବା ସତ୍ତ୍ୱେ ସରକାର ଏବଂ ପ୍ରଶାସନ ଏହାର ସଦୁପଯୋଗ କରିନପାରିବା ଯୋଗୁଁ ପର୍ଯ୍ୟଟନସ୍ଥଳ ଗୁଡିକ ଅବହେଳିତ ହୋଇରହିଛି। ଫଳରେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ।

ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ନିମନ୍ତେ କୌଣସି ମୌଳିକ ସୁବିଧା ନାହିଁ। ଗଞ୍ଜାମ ଜିଲ୍ଲାର ସୀମାକୁ ଲାଗି ରହିଛି କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି। ଦଶ କିଲୋମିଟର ଲମ୍ବ ରାସ୍ତାରେ ଜଙ୍ଗଲ, ସୁଉଚ୍ଚ ପର୍ବତ ଓ ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ସେହି ଭଳି କଳିଙ୍ଗା ଝାଉଁବଣ, ବଟାନିକାଲ ଗାର୍ଡେନ, କୁରୁମିଙ୍ଗିଆ ରାଜାଗଡ଼ ଜଳପ୍ରପାତ, ସିର୍କୀ ଡେମ, କଫି ବଗିଚା, କାକଲବାକି ଜଳପ୍ରପାତ ସହ ସ୍ଥାନୀୟ ଅଞ୍ଚଳରେ ସୂର୍ଯ୍ୟ ଉଦୟ ସୂର୍ଯ୍ୟାସ୍ତ ବେଶ ଆକର୍ଷଣୀୟ। ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟ ସରକାର ଇକୋ ଟୁରିଜିମରେ ଅନ୍ତର୍ଭୁକ୍ତ କରି ପର୍ଯ୍ୟଟନର ଉନ୍ନତି ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି।

ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନର ବିକାଶ ହେଲେ ବେକାର ଯୁବକଯୁବତୀ ମାନେ ରୋଜଗାର ପାଇବା ସହ ସବୁ କ୍ଷେତ୍ରରେ ଉନ୍ନତି ହେବା ସହ ହୋଟେଲ, ଲଜ୍‌ ବ୍ୟବସାୟର ଉନ୍ନତି ଘଟନ୍ତା ବୋଲି ମତ ପ୍ରକାଶ ପାଉଛି। ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନର ବିକାଶ ହୋଇପାରିନି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ହେତୁ ସ୍ଥାନୀୟ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୋଜିଭାତର ଆସର ସହ ଜଙ୍ଗଲ ପାହାଡ଼ ପର୍ବତ ବୁଲି ଫୋଟ ଉଠାଇ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୁର ମଜା ଉଠାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର