ବ୍ୟାଘ୍ର ପ୍ରକଳ୍ପରେ ଇକୋ ଟୁରିଜିମ୍‌: ଶିମିଳିପାଳକୁ ପଛରେ ପକାଇଲା ସାତକୋଶିଆ

ବଡ଼ମୂଳ ସ୍ୟାଣ୍ଡ ରିସୋର୍ଟ ଦେଲା ଚାରିଗୁଣ ଆୟ

ଅନୁଗୁଳ : ଇକୋ ଟୁରିଜିମ୍‌ରେ ଭଲ ପର୍ଯ୍ୟଟକଙ୍କୁ ଟାଣିଛି ସାତକୋଶିଆ ଅଭୟାରଣ୍ୟ। ଶିମିଳିପାଳ ଅପେକ୍ଷା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଦେଶ ତଥା ବିଦେଶ ପର୍ଯ୍ୟଟକଙ୍କଠାରୁ ଭଲ ରୋଜଗାର ପାଇଛି। ଶିମିଳିପାଳ ତୁଳନାରେ ସାତକୋଶିଆ ଅଭୟାରଣ୍ୟ ପ୍ରକୃତି ନିବାସରୁ ମୋଟ କୋଟିଏ ୧୦ଲକ୍ଷ ଟଙ୍କା ଅଧିକ ଆୟ କରିଛି। ଜଙ୍ଗଲ ଏବଂ ପରିବେଶ ବିଭାଗର ତଥ୍ୟ କେବଳ ଏକଥା ବୟାନ କରୁନାହିଁ, ବରଂ ଅନ୍‌ଲାଇନ୍‌ ବୁକିଂରେ ଓଡ଼ିଶାର ଦୁଇ ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆ ଯେ ପର୍ଯ୍ୟଟକଙ୍କର ବେଶି ପସନ୍ଦ ହୋଇଛି, ତାହା ବି ପ୍ରମାଣିତ କରୁଛି।

ସୂଚନା ମୁତାବକ, ଓଡ଼ିଶାର ଦୁଇ ବ୍ୟାଘ୍ର ପ୍ରକଳ୍ପ ହେଉଛି ଶିମିଳିପାଳ ଏବଂ ସାତକୋଶିଆ। ଯାହାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ମହାବଳ ବାଘଙ୍କ ଆବାସ ସ୍ଥଳୀ ସ୍ବରୂପ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ଦେଇଛି। ସାତକୋଶିଆରେ ମହାବଳ ସଂଖ୍ୟା ପ୍ରାୟ ଶୂନ ହୋଇଯାଇଥିବା ବେଳେ ଶିମିଳିପାଳରେ ମହାବଳଙ୍କ ଉପସ୍ଥିତି ରାଜ୍ୟକୁ ଗୌରବାନ୍ବିତ କରିଛି। ରାଜ୍ୟ ସରକାର ଓଡ଼ିଶାର ମୋଟ୍ ୧୮ଟି ଜିଲ୍ଲାରେ ଇକୋ ଟୁରିଜିମ୍‌ର ବିକାଶ କରିଥିଲେ। ୨୦୧୬-୧୭ଆର୍ଥିକବର୍ଷରୁ ଚଳିତବର୍ଷ ଯାଏ ମୋଟ୍ ୪୮ଟି ପ୍ରକୃତି ନିବାସ ପର୍ଯ୍ୟଟକଙ୍କ ପାଇଁ ବିକଶିତ କରାଯାଇଥିଲା। ସହରୀ ଜୀବନରୁ ଟିକେ ଫୁର୍‌ସତ୍‌ ମିଳିଲେ, ପର୍ଯ୍ୟଟକ ଯେମିତି ଜଙ୍ଗଲ ପରିବେଶ ଭିତରେ ସମୟ ଅତିବାହିତ କରିବେ, ସେଥିପାଇଁ ଯୋଜନା ଏ ପ୍ରକୃତି ନିବାସର ଯୋଜନା ସବୁ ହୋଇଥିଲା। ଏସବୁ ପ୍ରକୃତି ନିବାସ ପାଇଁ ଅନ୍‌ଲାଇନ୍‌ ବୁକିଂ ବ୍ୟବସ୍ଥା କରାଯାଇଥିଲା। ଦେଶ ତଥା ବିଦେଶର ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ ଜରିଆରେ ବୁକିଂ କରି ଏଠାରେ ରହିବା, ଖାଇବା ଏବଂ ବୁଲିବା ସୁବିଧା ସବୁ ଉପଲବ୍ଧ କରାଯାଇଛି।


ସାତକୋଶିଆ ଅଭୟାରଣ୍ୟ ହେଉଛି ଦୁଇଟି ବନଖଣ୍ଡର ସମାହାର। ମହାନଦୀ ଗଣ୍ଡର ଏପାଖରେ ସାତକୋଶିଆ ବନଖଣ୍ଡ ଅନୁଗୁଳ ଜିଲ୍ଲାରେ ଅବସ୍ଥିତ ରହିଥିବା ବେଳେ ସେପାଖରେ ନୟାଗଡ଼ ଜିଲ୍ଲାରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ସାତକୋଶିଆରେ ପର୍ଯ୍ୟଟନର ଦାୟିତ୍ବ ମୁଣ୍ଡାଇଥିଲା। ଗତ ୨୦୧୬-୧୭ଆର୍ଥିକ ବର୍ଷରୁ ଅଦ୍ୟାବଧି ଯାଏ ଅନୁଗୁଳ ଜିଲ୍ଲା ପଟେ ରାଜ୍ୟ ସରକାର ମୋଟ୍ ୫ଟି ପ୍ରକୃତି ନିବାସର ବିକାଶ କରାଇଛନ୍ତି। ଟିକରପଡ଼ା, ଛୋଟକେଇ, ତରଭା, ବାଘମୁଣ୍ଡା ଏବଂ ପୁରୁଣାକୋଟ୍‌ରେ ଅବସ୍ଥିତ ଏହି ପ୍ରକୃତି ନିବାସ ପିଛା ସରକାର ମୋଟ୍ ୪କୋଟି ୫୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅନ୍‌ଲାଇନ୍‌ ବୁକିଂ ଜରିଆରେ ୪କୋଟି ୨୨ଲକ୍ଷ ଟଙ୍କାର ଆୟ ହୋଇଛି। ବ୍ୟୟ ଅପେକ୍ଷା ଆୟ ପ୍ରାୟ ୫୫ଲକ୍ଷ ଟଙ୍କା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଯଦିଓ କମିଛି, କିନ୍ତୁ ନୟାଗଡ଼ ଜିଲ୍ଲାରେ ଥିବା ସାତକୋଶିଆ ଅଭୟାରଣ୍ୟର ଅନ୍ୟତମ ବନଖଣ୍ଡ ସାତକୋଶିଆର ଆୟକୁ ପରିବର୍ଧିତ କରିଛି।

ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅପେକ୍ଷା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ସରକାର ତିନି ଭାଗରୁ ଭାଗେ ଟଙ୍କା ଖର୍ଚ୍ଚ କରିଥିଲେ। ମୋଟ୍‌ ଉପରେ ମାତ୍ର ୧କୋଟି ୪୪ଲକ୍ଷ ୫୧ହଜାର ଟଙ୍କା ବ୍ୟୟ କରି ବଡ଼ମୂଳଠାରେ ମହାନଦୀ ବାଲିରେ ସରକାର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ତିଆରି କରିଥିଲେ। ଏହି ସ୍ୟାଣ୍ଡ ରିସୋର୍ଟ ସାତକୋଶିଆ ପର୍ଯ୍ୟଟନକୁ ଚାରି ଗୁଣରୁ ଅଧିକ ଆୟ ଦେଇଛି। ମୋଟ୍ ଉପରେ ଏହି ରିସୋର୍ଟରୁ ସରକାର ୬କୋଟି ୨୯ଲକ୍ଷ ୪ହଜାର ଟଙ୍କା ଆୟ କରିଥିବା ବିଭାଗୀୟ ସୂତ୍ରରୁ ସ୍ପଷ୍ଟ ହୋଇଛି। ସାତକୋଶିଆର ଉଭୟ ବନଖଣ୍ଡକୁ ମିଶାଇ ଦେଲେ ସାତକୋଶିଆ ଅଭୟାରଣ୍ୟ ମୋଟ୍ ଉପରେ ୧୦କୋଟି ୭୧ଲକ୍ଷ ୫୨ହଜାର ଟଙ୍କା ଆୟ କରିଛି।

କିନ୍ତୁ, ଶିମିଳିପାଳର ଆୟ ଶିମିଳିପାଳଠାରୁ କୋଟିଏ ଟଙ୍କା କମ୍‌। ତଥ୍ୟ ମୁତାବକ, ଉତ୍ତର ଶିମିଳିପାଳ ଡିଭିଜନରେ ସରକାର ଗୁଡ଼ୁଗୁଡ଼ିଆ, ଜାମୁଆଣି, କୁମାରି, ରାମତୀର୍ଥ ଓ ବରେହିପାଣିରେ ମୋଟ୍ ୫ଟି ପ୍ରକୃତି ଶିବିର କରିବାକୁ ମୋଟ୍ ୭କୋଟି ୬ଲକ୍ଷ ୩୦ହଜାର ଟଙ୍କା ସରକାର ଖର୍ଚ୍ଚ କରିଥିଲେ। ଅନ୍‌ଲାଇନ୍‌ ବୁକିଂ କରି ପର୍ଯ୍ୟଟକଙ୍କଠାରୁ ପ୍ରକୃତି ନିବାସ ବାବଦକୁ ୯କୋଟି ୬୧ଲକ୍ଷ ୧୫ହଜାର ଟଙ୍କା ଆୟ କରାଯାଇଥିବା ବିଭାଗ ସୂତ୍ରରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର