ପରିବେଶ ପର୍ଯ୍ୟଟନର ଚାହିଦା ବଢ଼ୁଛି

ଖୁବ୍ ଶୀଘ୍ର ଭୁବନେଶ୍ବରରୁ ଭିତରକନିକା, ମଙ୍ଗଳାଯୋଡ଼ି, ନନ୍ଦନକାନନ, ଚନ୍ଦକା ପାଇଁ ସ୍ବତନ୍ତ୍ର ଟୁର୍

ଭୁବନେଶ୍ବର : ରାଜ୍ୟରେ ପରିବେଶ ପର୍ଯ୍ୟଟନ ତିନି ବର୍ଷ ମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ଦ୍ବାରା ବେଶ୍ ଆଦୃତ ହୋଇଛି। ୩୭ଟି ପରିବେଶ ପର୍ଯ୍ୟଟନସ୍ଥଳୀରେ ଏବେ ପର୍ଯ୍ୟଟକ ରହିବାର ବ୍ୟବସ୍ଥା ଥିବାବେଳେ ଏଠାରେ ପର୍ଯ୍ୟଟକଙ୍କ ଆଗମନ ଏବଂ ରାଜସ୍ବ ଆଦାୟ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଏପରିକି ରାଜ୍ୟରେ ପରିବେଶ ପର୍ଯ୍ୟଟନର ଉନ୍ନତି ପାଇଁ ୩୪କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଗତ ତିନିବର୍ଷରେ ୪କୋଟି ଟଙ୍କା ରାଜସ୍ବ ଆଦାୟ ହେଲାଣି ବୋଲି ଜଣାପଡ଼ିଛି।

ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ପରିବେଶ ପର୍ଯ୍ୟଟନ ବୋର୍ଡ ବୈଠକରୁ ଜଣାପଡ଼ିଛି ଯେ, ଓଡ଼ିଶାର ପରିବେଶ ପର୍ଯ୍ୟଟନ ପ୍ରତି ୧୦୩ଟି ଦେଶର ପ୍ରକୃତିପ୍ରେମୀ ଅଧିକ ଆଗ୍ରହ ଦେଖାଉଛନ୍ତି। ସେମାନେ ରାଜ୍ୟ ସରକାରଙ୍କ www.ecotourodisha.com ରେ ସର୍ଚ୍ଚ କରୁଛନ୍ତି। ଏଥିରେ କିନ୍ତୁ ଆମେରିକା, ଫ୍ରାନ୍ସ, ଇଂଲଣ୍ଡ, ୟୁଏଇ, ଜର୍ମାନି, କାନଡା, ସିଙ୍ଗାପୁର, ନେଦରଲାଣ୍ଡ, ଅଷ୍ଟ୍ରେଲିଆ, ଚୀନ୍, ଜାପାନ, ସ୍ବେଡେନ୍, ସାଉଦି ଆରବ, ଇଟାଲି, ହଂକଂ, ଫିଲିପାଇନ୍ସର ପ୍ରକୃତିପ୍ରେମୀ ଅଧିକ ଆଗ୍ରହ ଦେଖାଉଛନ୍ତି। ସବୁଠୁ ଅଧିକ ପସନ୍ଦିତ ସ୍ଥାନ ଭାବେ ଡାଙ୍ଗମାଳ, ଦେବ୍ରିଗଡ଼, ସାତକୋଶିଆ ସ୍ୟାଣ୍ଡ, ଛୋଟକେଇ ନେଚର୍‌ କ୍ୟାମ୍ପ, କୁମାରି ନେଚର୍‌ କ୍ୟାମ୍ପ, ଟିକରପଡ଼ା, ଜମୁନାଇ, ନୂଆନଈ, ଦାରିଙ୍ଗବାଡ଼ି ନେଚର୍‌ କ୍ୟାମ୍ପ ଅଧିକ ପର୍ଯ୍ୟଟକଙ୍କୁ ବିଦେଶୀ ପର୍ଯ୍ୟଟକଙ୍କ ସହ ଘରୋଇ ପର୍ଯ୍ୟଟକ ବି ଅଧିକ ଆଗ୍ରହ ଦେଖାଉଥିବାରୁ ବିଭିନ୍ନ ରାଜ୍ୟରେ ୭୨ଟି ବୁକିଂ କେନ୍ଦ୍ର କରାଯାଇଛି ବୋଲି ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ କହିଛନ୍ତି।
ପରିବେଶ ପର୍ଯ୍ୟଟନ ଯେପରି ଅଧିକରୁ ଅଧିକ ଆଦୃତ ହେବ ସେଥିପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭିତ୍ତିଭୂମି ସୁଦୃଢ କରାଯିବ। ଏଥିପାଇଁ ଆବଶ୍ୟକୀୟ ଜମି ଚିହ୍ନଟ କରି ପ୍ରସ୍ତାବ ଦେବାକୁ ପର୍ଯ୍ୟଟନ ବିଭାଗକୁ କୁହାଯାଇଛି। ଏହାସହ ଘରୋଇ ସହଭାଗିତାରେ ପରିବେଶ ପର୍ଯ୍ୟଟକୁ ଉନ୍ନତିକରଣ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ୍ କରି ସେମାନଙ୍କ ପାଇଁ ବିକଳ୍ପ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗକୁ କୁହାଯାଇଛି।

ଏହି ବୈଠକରୁ ଜଣାପଡ଼ିଛି ଯେ, ଏବେ ୩୭ଟି ପରିବେଶ ପର୍ଯ୍ୟଟନସ୍ଥଳୀରେ ୨୯୪ଟି ଟେଣ୍ଟ୍‌ ରୁମ୍‌ କରାଯାଇଥିବାବେଳେ ଏଥି‌େର ୮୫୦ଜଣ ରହିବା ବ୍ୟବସ୍ଥା ଅଛି। ଏଥିରେ ୧୦୦୦ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଗତ ତିନି ବର୍ଷରେ ଏଠାରୁ ୪କୋଟି ରାଜସ୍ବ ମିଳିଥିବାବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୬କୋଟି ଛୁଇଁପାରେ। ୨୦୧୯-୨୦ ସୁଦ୍ଧା ଏହା ୧୦କୋଟି ଛୁଇଁବ ବୋଲି ବିଭାଗ ଆଶା ରଖିଛି। ପର୍ଯ୍ୟଟକଙ୍କ ଆଗ୍ରହକୁ ଦେଖି ଖୁବ୍ ଶୀଘ୍ର ଭୁବନେଶ୍ବରରୁ ଭିତରକନିକା, ମଙ୍ଗଳାଯୋଡ଼ି, ନନ୍ଦନକାନନ, ଚନ୍ଦକା ପାଇଁ ସ୍ବତନ୍ତ୍ର ଟୁର୍ କରିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ବୋର୍ଡ ଅନୁମୋଦନ କରିଛି। ସେହିପରି ଆସନ୍ତା ଜାନୁଆରି-ଫେବ୍ରୁଆରିରେ ମଙ୍ଗଳାଯୋଡ଼ିରେ ଜାତୀୟ ପକ୍ଷୀ ମହୋତ୍ସବ ଆୟୋଜନ ହେବ।

ଏହି ବୈଠକରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ, ଅନୁସୂଚିତ ଜନଜାତି ଓ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ଆର୍‌. ରଘୁପ୍ରସାଦ, ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ, ପର୍ଯ୍ୟଟନ ସଚିବ ଅର୍ଚ୍ଚନା ପଟ୍ଟନାୟକ, ଇକୋଟୁରିଜିମ୍ ବୋର୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଂଶୁପ୍ରଭା ଦାଶ ଏବଂ ହୋଟେଲ, ଟୁର୍, ଟ୍ରାଭେଲ୍‌ ସଂଘର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର