ଏସ୍‌ସିବିରେ ଆରମ୍ଭ ହେଲା ଏକ୍‌ମୋ ଚିକିତ୍ସା, ପ୍ରଥମ ରୋଗୀ ଭାବେ ଭର୍ତ୍ତି ହେଲେ କଟକର ଅନ୍ନପୂର୍ଣ୍ଣା

କଟକ : କଟକ ବଡ ମେଡିକାଲରେ ଶନିବାର ରାତିରେ ଆରମ୍ଭ ହୋଇଛି ଏକ୍‌ମୋ ଚିକିତ୍ସା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଡ଼ଖିରା ଅଞ୍ଚଳର ଅନ୍ନପୂର୍ଣ୍ଣା ନାୟକ (୫୮) ପ୍ରଥମ ରୋଗୀ ଭାବେ ଆଜି ଏସସିବିରେ ଏହି ଚିକିତ୍ସା ସୁବିଧା ପାଇଛନ୍ତି। କରୋନାରେ ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭେଣ୍ଟିଲେଟରରେ ଥିବା ଅନ୍ନପୂର୍ଣ୍ଣାଙ୍କୁ ଆଜି ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟରେ କାର୍ଡିଓଥୋରାସିସ୍ ବିଭାଗରେ ସ୍ଥାପିତ ଏକମୋ ୟୁନିଟକୁ ଅଣାଯାଇ ଚିକିତ୍ସା ଆରମ୍ଭ ହୋଇଛି। ‌ଏସସିବି ମେଡିକାଲ କଲେଜର ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତାଙ୍କ ତତ୍ତ୍ବାବଧାନରେ ପ୍ରଫେସର ମନୋଜ କୁମାର ପଟ୍ଟନାୟକଙ୍କ ନିରୀକ୍ଷଣରେ ସ୍ବତନ୍ତ୍ର ଟିମ୍ ଆଜି ରାତିରେ ଚିକିତ୍ସା ଆରମ୍ଭ କରିଛନ୍ତି। ଏଥିରେ କୋଲକାତାରୁ ଡାକ୍ତର ଦୀପାଞ୍ଜନଙ୍କ ନେତୃତ୍ବରେ ଆସିଥିବା ୩ ଜଣ ବିଶେଷଜ୍ଞ ଏବଂ ସ୍ବତନ୍ତ୍ର ତାଲିମ ନେଇଥିବା ଏସସିବିର ୫ ଜଣ ଡାକ୍ତରଙ୍କ ସମେତ ୧୯ ଜଣିଆ ଟିମ୍ ସାମିଲ ହୋଇଛନ୍ତି। ଏହି ବ୍ୟୟବହୁଳ ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ସରକାର ପ୍ରଥମ ଥର ପାଇଁ କଟକ ବଡ ମେଡିକାଲରେ ଆରମ୍ଭ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିବା ବେଳେ ଆଜି ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ଏହା ରୋଗୀଙ୍କ ମଧ୍ୟରେ ଆଶା ସଂଚାର କରିଛି।

ଅନ୍ୟପଟେ ଦରଘାବଜାରର କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତି ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଏକ୍‌ମୋ ଚିକିତ୍ସା ନିହାତି ଆବଶ୍ୟକ ବୋଲି ସେଠାରେ ଡାକ୍ତର କହିଥିଲେ। ଏଭଳି ସ୍ଥିତିରେ ସେ ଆଜି କଟକ ବଡ଼ ମେଡିକାଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଖୋଲାଥିବା ଏକ ବିଭାଗର ଅଧିକାରୀମାନଙ୍କୁ ଭେଟିଥିଲେ। ସେଠାରେ ଏବେ ଛୁଟି ଥିବାରୁ ମଙ୍ଗଳବାର ଦିନ ଆସି ଅଧୀକ୍ଷକଙ୍କୁ ଭେଟିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା। ରୋଗୀଙ୍କ ସ˚ପର୍କୀୟମାନେ ଏଭଳି ସ୍ଥିତିରେ ନିରାଶ ହୋଇ ସେଠାରୁ ଫେରିଛନ୍ତି। ତେବେ ଯଦି ଏହି ତିନି ଦିନ ଭିତରେ ତାଙ୍କ ରୋଗୀଙ୍କର କିଛି ଅଘଟଣ ହୁଏ, ତାହେଲେ ସେଥିପାଇଁ କଣ ଏସ୍‌ସିବି କତ୍ତୃର୍ପକ୍ଷ ଦାୟୀ ରହିବେ କି ବୋଲି ରୋଗୀଙ୍କ ସଂପର୍କୀୟ ରେହାନ ହମିଦ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର