ବ୍ରହ୍ମପୁର : ଗୋପାଳପୁର ଠାରୁ ଚିଲିକା ଦେଇ ଦୀଘା ପର୍ଯ୍ୟନ୍ତ ପ୍ରସ୍ତାବିତ ତଟବର୍ତ୍ତୀ ଜାତୀୟ ରାଜପଥ(କୋଷ୍ଟାଲ୍‌ ହାଇୱେ) ନିର୍ମାଣ ଦିଗରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସବୁଜ ସଙ୍କେତ ଦେବା ପାଇଁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦାବି କରିଛନ୍ତି। ସେ କହିଛନ୍ତି ଯେ, ୨୦୧୫ ମସିହା ଜୁଲାଇ ମାସରେ ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଲକର କିଛି କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ବିମାନ ଚଳାଚଳ ମନ୍ତ୍ରୀ ନୀତିନ୍‌ ଗଡ଼କରିଙ୍କୁ ଭେଟି ଗୋପାଳପୁର ଠାରୁ ୭୦କିମି ଦୀର୍ଘ ଚିଲିକାର ଜହ୍ନିକୁଦା- ସାତପଡ଼ା ଦେଇ କୋଷ୍ଟାଲ୍‌ ହାଇୱେ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Advertisment

ଏଥିରେ ଜହ୍ନିକୁଦା-ସାତପଡ଼ା ମଧ୍ୟରେ ୫ କି.ମି. ଦୀର୍ଘ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ଥିଲା।  ଏହି ପ୍ରସ୍ତାବ ଉପରେ ମନ୍ତ୍ରାଳୟ ବିଚାର କରି ଏଥିନେଇ ଯୋଜନା ଅଟ୍ଟକଳ ଓ ନକ୍ସା ପ୍ରସ୍ତୁତ ‌ହୋଇଥିଲା। ବର୍ତ୍ତମାନ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଚିଲିକା ମଝିରେ ସେତୁ ନିର୍ମାଣକୁ ନେଇ ପରିବେଶ ଉପରେ ଆପତ୍ତି କରିବା ଫଳରେ ଉପକୂଳ ଜାତୀୟ ରାଜପଥ ଯୋଜନାଟି ଅଟକି ଯାଇଛି। ଏହାର ପୁନଃବିଚାର ପାଇଁ ଶ୍ରୀ ପଣ୍ଡା ଦାବି କରିଛନ୍ତି। ଚିଲିକାରେ ସେତୁ ନିର୍ମାଣ କରି ଜହ୍ନିକୁଦା-ସାତପଡ଼ା-ବ୍ରହ୍ମଗିରି ରାସ୍ତା ସଂପୂର୍ଣ କରାନଗଲେ ଉପକୂଳ ରାଜପଥ ପ୍ରସ୍ତାବ ଏହାର ମୌଳିକତା ହରାଇବ। ଏହି ରାସ୍ତା ହେବା ଫଳରେ ସାଧାରଣ ଜନତା ଉପକୃତ ହେବା ସହ ଆର୍ଥିକ ବିକାଶ ଘଟିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଭଳିକି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଜିଲ୍ଲା ଗୁଡିକର ଲକ୍ଷାଧିକ ତୀର୍ଥଯାତ୍ରୀ ୬୦ କି.ମି. କମ୍‌ ଦୂରତାରେ ଏବଂ ଦୁଇ ଘଣ୍ଟା କମ୍‌ ସମୟରେ ପୁରୀ ତୀର୍ଥକ୍ଷେତ୍ରରେ ପହଞ୍ଚିପାରିବେ। ବ୍ରହ୍ମପୁର-ପୁରୀ ମଧ୍ୟରେ ଦୂରତା କମିଯିବା ସହ ଉଭୟ ସମୟ ଓ ଖର୍ଚ୍ଚାନ୍ତରୁ ମୁକ୍ତି ମିଳିବ।

ଏହି ଜାତୀୟ ରାଜପଥ ପ୍ରକଳ୍ପ ଦ୍ବାରା ଚିଲିକା ଓ ବେଳାଭୂମି ପର୍ଯ୍ୟଟନର ଦ୍ରୁତ ବିକାଶ ଘଟିବ ଓ ଗୋପାଳପୁର ଠାରୁ ଚିଲିକା ଓ ବ୍ରହ୍ମଗିରି ସମୁଦ୍ର ବେଳା ଉପତ୍ୟକାରେ ଅବସ୍ଥିତ ଖଲ୍ଲିକୋଟ ଓ ଗଞ୍ଜାମ ବ୍ଲକ ଏବଂ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକର ପ୍ରାୟ ୩୫ଟି ପଞ୍ଚାୟତର ୨୦୦ ଗ୍ରାମରେ ବସବାସ କରୁଥିବା ୧ ଲକ୍ଷ ମତ୍ସ୍ୟଜୀବୀ ଓ ୨ ଲକ୍ଷ ଚାଷୀଙ୍କ ଜୀବିକା ସୁଦୁଢ଼ ଓ ଦୀର୍ଘସ୍ଥାୟୀ ହୋଇପାରିବ। ଏହି ରାଜପଥ ଉପରୋକ୍ତ ଅଧିବାସୀଙ୍କ ପାଇଁ ଜୀବନ ଜୀବିକା ରୂପେ ପରିଣତ ହେବ। ଏତଦ୍‌ବ୍ୟତୀତ ଗୋପାଳପୁର ଠାରୁ ବ୍ରହ୍ମଗିରି ଅଞ୍ଚଳରେ କ୍ରମାଗତ ବାତ୍ୟା ପ୍ରକୋପ ଘଟି ଜନଜୀବନ ବିପନ୍ନ ହେଉଥିବା ବେଳେ ଓଡ଼ିଶା ସରକାରଙ୍କ ବାତ୍ୟା ପ୍ରତିରୋଧ ବ୍ୟବସ୍ଥାର ପରିଚାଳନା ପାଇଁ ଏହି ରାଜପଥ ପ୍ରକଳ୍ପ ଅନୁକୂଳ ହେବ। ରିଲିଫ ଓ ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ଭିଭିଭୂମି ଯୋଗାଇବ। ଚିଲିକା ନୌବାହିନୀ ଓ ଗୋପାଳପୁର ସେନା କେନ୍ଦ୍ର ପାଇଁ ଗମନାଗମନ କ୍ଷେତ୍ରରେ ବିଶେଷ ସୁବିଧା ଯୋଗାଇବ। ପୂର୍ବରୁ ଗୋପାଳପୁର-ଚିଲିକା, ଗଂଜାମ ଓ ପାଲୁର ତଟୀୟ ଅଞ୍ଚଳ ନୌବାଣିଜ୍ୟ କ୍ଷେତ୍ରରେ ଯେଉଁ ଅପୂର୍ବ ସଫଳତା ଲାଭ କରିଥିଲା ସେଇ ଐତିହ୍ୟର ସୁରକ୍ଷା ପାଇଁ ଗୋପାଳପୁର-ସାତପଡ଼ା ସମୁଦ୍ର ଉପକୂଳ ରାଜପଥ ନିର୍ଣ୍ଣାୟକ ଭୂମିକା ନେବ।

ଗୋପାଳପୁର ଠାରୁ ଧାମରା ମଧ୍ୟରେ ବନ୍ଦରଭିତ୍ତିକ ବାଣିଜ୍ୟ କାରବାର ଦିଗରେ ମଧ୍ୟ ଅପୂର୍ବ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଶହ ଶହ ବର୍ଷ ଧରି ଚିଲିକାରେ ପର୍ଯ୍ୟଟନ, ମତ୍ସ୍ୟଜୀବୀଙ୍କ ମୋଟର ଚାଳିତ ନୌକା ଓ ସାତପଡ଼ାକୁ ନୌକା ମାଧ୍ୟମରେ ଗମନାଗମନ ଓ ମାଲ୍ ପରିବହନ ହୋଇଆସୁଥିବା ବେଳେ ପରିବେଶ ପ୍ରତି କୌଣସି ବିପଦ ସୃଷ୍ଟି ହୋଉନାହିଁ। ପରିବେଶର ଆଳ ଦେଖାଇ ପ୍ରସ୍ତାବିତ ସେତୁ ନିର୍ମାଣକୁ ନେଇ ଉପକୂଳ ରାଜପଥ ଯୋଜନା ଅଟକି ରହିବା ଯୁକ୍ତିଯୁକ୍ତ ନୁହଁ ବୋଲି ଶ୍ରୀ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଚିଲିକା ତଟବର୍ତ୍ତୀ ଗଂଜାମ ଓ କୃଷ୍ଣପ୍ରସାଦ ବ୍ଳକ ଓ ଚିଲିକା ମଧ୍ୟରେ ଅବସ୍ଥିତ ଗ୍ରାମଗୁଡିକୁ ବିଶେଷଜ୍ଞ କମିଟି ପରିଦର୍ଶନ କରି ଲୋକମତ ସଂଗ୍ରହ କରିବା ଓ ବାସ୍ତବ ଚିତ୍ର ଅନୁଧ୍ୟାନ କରିବା ପାଇଁ ଶ୍ରୀ ପଣ୍ଡା ପତ୍ରରେ ଅନୁରୋଧ କରିଛନ୍ତି। ବିଳମ୍ବ ଯୋଗୁଁ ଏହି ଉପକୂଳ ରାଜପଥ ଯୋଜନାର ଅଟକଳ ବୃଦ୍ଧି ହେବାର ଆଶଙ୍କା ଥିବା ଦୃଷ୍ଟିରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି।