ଭୁବନେଶ୍ବର: କୃଷି ଅର୍ଥନୀତିର ମୁଖ୍ୟ ଆଧାର। କୃଷିର ଉନ୍ନତି ପାଇଁ ସମବାୟର ଭୂମିକା ଗୁରୁତ୍ବପୂର୍ଣ୍ଣ। ପ୍ରାଥମିକ କୃଷି ଋଣ ସମବାୟ ସମିତିକୁ ଅନଲାଇନ କରାଯାଇ କୋର୍ ବ୍ୟାଙ୍କିଂ ସହିତ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଦ୍ବିତୀୟ ଦିବସରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଭିଡିଓ ବାର୍ତା ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଯୋଗାଇ ଦିଆଯାଉଥିବା କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ଓ ସମିତି ଜରିଆରେ ପ୍ରଦାନ କରାଯାଉଛି। କେନ୍ଦ୍ରରେ ଏହା ମାତ୍ର ୧୭ ପ୍ରତିଶତ। ସମବାୟ ଆନ୍ଦୋଳନ ସଶକ୍ତ ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ଆଶାନୁରୂପ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ କହିଲେ, ଗ୍ରାମାଞ୍ଚଳରେ ସମବାୟ ଅର୍ଥନୈତିକ ଉତ୍ଥାନର ମୁଖ୍ୟ ମାଧ୍ୟମ ହୋଇପାରିଛି। ସମବାୟ ବ୍ୟାଙ୍କ ଓ ସମିତି ମାଧ୍ୟମରେ ୨୦୨୧/୨୨ ଆର୍ଥିକ ବର୍ଷରେ ୧୦,୧୨୭ଜଣ ହିତାଧିକାରୀଙ୍କୁ ୧୪୪ କୋଟି ଟଙ୍କା ମଧ୍ୟମ ଓ ଦୀର୍ଘ ମିଆଦି କୃଷି ଋଣ ଯୋଗାଇ ଦିଆଯାଇଛି।
ରାଜ୍ୟ ସରକାରଙ୍କ ସୁଧ ରିହାତି ଯୋଜନାରେ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାତ୍ର ୨ ପ୍ରତିଶତ ସୁଧହାରରେ କୃଷି ଋଣ ବ୍ୟବସ୍ଥା ରହିଛି। ୨୦୨୦/୨୧ରେ ସମବାୟ ବ୍ୟାଙ୍କ ଓ ସମିତି ମାଧ୍ୟମରେ ମିସନ ଶକ୍ତି ଅଧୀନ ୧୩,୭୪୦ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୨୨୦ କୋଟି ୧୪ଲକ୍ଷ ଟଙ୍କାର ଋଣ ଦିଆଯାଇଛି ବୋଲି ଶ୍ରୀ ପାଢ଼ୀ କହିଥିଲେ। ସମ୍ମାନିତ ଅତିଥି ଭାବେ ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ସି. ଉଦୟ ଭାସ୍କର ଓ ସମବାୟ ବିଭାଗର ପ୍ରମୁଖ ସଚିବ ସଂଜୀବ କୁମାର ଚଢ଼ା ଉପସ୍ଥିତ ଥିଲେ। ଅତିରିକ୍ତ ଶାସନ ସଚିବ ରେଣୁପ୍ରଭା ନାୟକ ସ୍ବାଗତ ଭାଷଣ ଓ ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦେଶକ ଗଣେଶ୍ବର ଜେନା ଧନ୍ୟବାଦ ଦେଇଥିଲେ।