ଭୁବନେଶ୍ବର: ସ୍ବଭାବକବି ଗଙ୍ଗାଧର ମେହେରଙ୍କୁ ଓଡ଼ିଆ ଜାତି ଭୁଲିପାରିବ ନାହିଁ। ଓଡ଼ିଆ ଜାତି ଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆଙ୍କ ଶିରା ପ୍ରଶିରାରେ ଗଙ୍ଗାଧର ରହିଥିବେ। ଭୁଲିଆ ସମାଜର ଗର୍ବ ଓ ଗୌରବ ହେଉଛନ୍ତି ସ୍ୱଭାବକବି। ଏକ ନିର୍ଦ୍ଦିଷ୍ଟ କଳା କୌଶଳର ଅଧିକାରୀ ଭୁଲିଆ ସମାଜ। କିନ୍ତୁ ଏହି ସମାଜର ମୂଲ୍ୟାୟନ ଠିକ୍ ଭାବେ ହୋଇନାହିଁ। ଏହି କଳାକୁ କେବଳ ବଞ୍ଚାଇ ରଖିଲେ ହେବନାହିଁ। ଏହାର କଳା କୌଶଳକୁ ଆଧୁନିକ ବଜାର ସହ ଯୋଡ଼ି ପାରିଲେ ଆର୍ଥିକ ପ୍ରଗତି ହେବ। ଭୁଲିଆ ସମାଜକୁ ସୁବିଧାସୁଯୋଗ ଓ ସୁରକ୍ଷା ମିଳିବ। ନିମ୍ନସ୍ତରରେ ଥିବା ବ୍ୟକ୍ତିଙ୍କୁ ଆଗକୁ ଅଣାଯାଇ ପାରିବ। ପ୍ରତ୍ୟେକ ଭୁଲିଆ ଜଣେ ଜଣେ ଲକ୍ଷପତି ହୋଇ ପାରିବେ। ଏନେଇ ସଂସ୍କୃତି ଓ ସଭ୍ୟତାକୁ ପାଥେୟ କରି ସଙ୍କଳ୍ପ ନେବାର ଆବଶ୍ୟକତା ରହିଛି। ଆଜି ବରପାଲି ଓ ଭୁବନେଶ୍ୱର ଗଙ୍ଗାଧର ମେହେର ପ୍ରତିଷ୍ଠାନ ପକ୍ଷରୁ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ମହାବିଶ୍ରାମର ଶତବାର୍ଷିକୀ ଅବସରରେ ଆୟୋଜିତ ‘ପ୍ରଥମ ଜାତୀୟ ଭୁଲିଆ ସମ୍ମିଳନୀ ଓ ଆଲୋଚନାଚକ୍ର-୨୦୨୫’କୁ ଉଦ୍ଘାଟନ କରି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
ବୁଦ୍ଧ ମନ୍ଦିର ପରିସରରେ ଗଙ୍ଗାଧର ମେହେର ପ୍ରତିଷ୍ଠାନର ଅଧ୍ୟକ୍ଷ ମିହିର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ପାଟଣାଗଡ଼ର ପୂର୍ବତନ ବିଧାୟକ ସରୋଜ ମେହେର ଯୋଗଦେଇ କହିଲେ, ଭୁଲିଆ ଏକାଠି ହୋଇ ନିଜ ସଂସ୍କୃତିର ପ୍ରଚାରପ୍ରସାର କରିପାରିଲେ ଆର୍ଥିକ ବିକାଶ ସହ ସାମାଜିକ ପ୍ରତିଷ୍ଠା ସହଜରେ ମିଳିପାରିବ। ସମ୍ମାନିତ ଅତିଥି ଭାବେ ଶୁକଦେବ ମେହେର, ବିଶିଷ୍ଟ ଅତିଥି ନରେନ୍ଦ୍ର କୁମାର ମିଶ୍ର ବକ୍ତବ୍ୟ ରଖିଥିଲେ। ପ୍ରତିଷ୍ଠାନର କର୍ମକର୍ତ୍ତା ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକାରୀ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମେହେର ଅତିଥି ପରିଚୟ ଓ ମନୋରଞ୍ଜନ ମେହେର ଧନ୍ୟବାଦ ଦେଇଥିଲେ।
ଏହାପରେ ଜାତୀୟ ଆଲୋଚନାଚକ୍ରର ପ୍ରଥମ ଅଧିବେଶନରେ ‘ଗଙ୍ଗାଧର ମେହେର ଓ ଭୁଲିଆ ସମାଜ’ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର ସଭାମୁଖ୍ୟ ଥିବା ବେଳେ ଗଜରାଜ ମେହେର ଓ ତୋଷୋବନ୍ତ ମେହେର ସଂଚାଳନ କରିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ‘ଭୁଲିଆ ଜାତିର ପରିଚୟ ଓ ଭାବ ବିନିମୟ’ ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାଚକ୍ରରେ ଛତିଶଗଡ଼, ଝାଡ଼ଖଣ୍ଡ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀରେ ଥିବା ଭୁଲିଆମାନଙ୍କ ସହ ବରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, ବାଲେଶ୍ୱର, ସୋନପୁର, କଳାହାଣ୍ଡି ଓ ପାଟଣାଗଡ଼ ଆଦି ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଭୁଲିଆ ସମାଜର ସ୍ବତନ୍ତ୍ର କଳାକୁ ବଜାର ସହ ଯୋଡ଼ିଲେ ଆର୍ଥିକ ପ୍ରଗତି ହେବ: ସୌମ୍ୟରଂଜନ
ସ୍ବଭାବକବି ଗଙ୍ଗାଧର ମେହେରଙ୍କୁ ଓଡ଼ିଆ ଜାତି ଭୁଲିପାରିବ ନାହିଁ। ଓଡ଼ିଆ ଜାତି ଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆଙ୍କ ଶିରା ପ୍ରଶିରାରେ ଗଙ୍ଗାଧର ରହିଥିବେ। ଭୁଲିଆ ସମାଜର ଗର୍ବ ଓ ଗୌରବ ହେଉଛନ୍ତି ସ୍ୱଭାବକବି।
/sambad/media/media_files/2025/06/12/MSCoFUzOTZravz6ItPTN.jpg)