ଭୁବନେଶ୍ବର : ବିଶ୍ବରେ ଦେଖାଦେଇଥିବା ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଓଡ଼ିଶାର ଅର୍ଥନୀତି ଦ୍ରୁତ ବେଗରେ ଆଗକୁ ବଢ଼ୁଛି। ଏମିତିକି ଭାରତ ଅର୍ଥନୀତିଠାରୁ ବି ଜୋରରେ। ଯଦି ୨୦୨୩-୨୪ ବର୍ଷରେ ମୌସୁମୀ ବର୍ଷା ସ୍ବାଭାବିକ ରହେ ଏବଂ ବିଶ୍ବ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ନ ଘଟେ ତଥା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ନ ଯାଏ, ତା’ହେଲେ ଓଡ଼ିଶାର ଅଭିବୃଦ୍ଧି ଆସନ୍ତାବର୍ଷ ୮ରୁ ୮.୫% ଛୁଇଁଯିବା ବିଚିତ୍ର ନୁହେଁ।
ଆଜି ୨୦୨୩-୨୪ ବର୍ଷ ଲାଗି ସାଧାରଣ ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ଏହି ରିପୋର୍ଟରେ ସରକାର ଦାବି କରିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷ ହେଉ କିମ୍ବା ୨୦୨୨-୨୩ ଭାରତର ଜିଡିପି ଅଭିବୃଦ୍ଧି ତୁଳନାରେ ଓଡ଼ିଶାର ଜିଡିପି ଅଭିବୃଦ୍ଧି ଅଧିକ ରହିଛି। ଏଣୁ ସରକାର ଆଶାବାଦୀ ଅଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଜିଡିପି ୭.୮ ପ୍ରତିଶତ ରହିବ ଏବଂ ସେହି ସମୟରେ ଦେଶର ଜିଡିପି ହାର ୭ ପ୍ରତିଶତ ଥାଇପାରେ।
୮.୫% ହାରରେ ଆଗକୁ ବଢ଼ିବ
୨୦୨୨-୨୩ରେ ଅଭିବୃଦ୍ଧି ୭.୮%
ମୁଦ୍ରାସ୍ଫୀତି ଚିନ୍ତାଜନକ, ନିୟନ୍ତ୍ରଣରେ
ବେକାରି ହାର ୫.୩%, କାମକୁ ଓହ୍ଲାଇଛନ୍ତି ଅଧିକ ମହିଳା
ରିପୋର୍ଟରେ ସରକାର କହିଛନ୍ତି ଯେ ଯେହେତୁ ଓଡ଼ିଶାର ଜିଡିପି କ୍ରମାଗତଭାବେ ବଢ଼ୁଛି, ଓଡ଼ିଶା ଲୋକଙ୍କ ଅର୍ଥନୀତି ଉପରେ ଏହାର ବଡ଼ ପ୍ରଭାବ ପରିଲକ୍ଷିତ ହେଉଛି।
ଏହି କାରଣରୁ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ମଧ୍ୟ ବଢ଼ି ୨୦୨୨-୨୩ ଆର୍ଥିକ ବର୍ଷରେ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କାରେ ପହଞ୍ଚିଛି। ଏହା କିନ୍ତୁ ଜାତୀୟ ହାରଠାରୁ ପାଖାପାଖି ୨୦ ହଜାର ଟଙ୍କା କମ୍। ଅର୍ଥାତ୍ ଭାରତୀୟଙ୍କ ମୁଣ୍ଡପିଛା ଆୟ ୧ଲକ୍ଷ ୭୦ ହଜାର ୬୨୦ ଟଙ୍କା ରହିଛି। ସରକାର ସୁଧୁରିଥିବା ବ୍ୟବସ୍ଥା ସଂପର୍କରେ ଦାବି ଦୋହରାଇ ଏହି ଅବସରରେ ଗତ କିଛି ବର୍ଷର ମୁଣ୍ଡପିଛା ଆୟ ତଥ୍ୟ ରଖିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ୨୦୧୫-୧୬ରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ୬୪,୮୩୫ ଟଙ୍କା ଥିବାବେଳେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୯୪,୭୮୭ ଟଙ୍କା ଥିଲା। ତୁଳନାତ୍ମକ ଭାବେ ଦେଖିଲେ ୮ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟ ପାଖାପାଖି ୮୬ ହଜାର ଟଙ୍କା ବଢ଼ିଛି। ଅନ୍ୟପକ୍ଷରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ଏହି ସମୟ ମଧ୍ୟରେ ୭୫ ହଜାର ଟଙ୍କା ବୃଦ୍ଧିପାଇଛି। ଏଥିସହିତ ଗତ ୭ ବର୍ଷ ମଧ୍ୟରେ ଦେଶ ଓ ରାଜ୍ୟର ମୁଣ୍ଡପିଛା ଆୟ କ୍ଷେତ୍ରରେ ରହିଥିବା ପାର୍ଥକ୍ୟ ହ୍ରାସ ପାଇଛି। ୨୦୧୫-୧୬ରେ ଉକ୍ତ ପାର୍ଥକ୍ୟ ୩୧.୬ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୧୨ ପ୍ରତିଶତକୁ ଖସିଆସିଛି। ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ଓଡ଼ିଶାବାସୀଙ୍କ ମୁଣ୍ଡପିଛା ଆୟର ବାର୍ଷିକ ଅଭିବୃଦ୍ଧି ୧୦.୯ ପ୍ରତିଶତ ରହିଛି। ସେହି ସମୟରେ ଭାରତୀୟଙ୍କ ମୁଣ୍ଡପିଛା ଅଭିବୃଦ୍ଧି ୯.୪ ପ୍ରତିଶତ ରହିଥିବା ଦର୍ଶାଯାଇଛି।
ରିପୋର୍ଟରେ ସରକାର ଚିନ୍ତାଜନକ ତଥ୍ୟ ରଖିଛନ୍ତି। ଏଥିରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ୬.୫୬ ପ୍ରତିଶତ (୨୦୨୨ ଡିସେମ୍ବର ସୁଦ୍ଧା) ରହିଛି, ୨୦୨୧-୨୨ରେ ୩.୭ ପ୍ରତିଶତ ରହିଥିଲା। ଏହାର କାରଣ ଦର୍ଶାଇ ଏହି ରିପୋର୍ଟ କହିଛି ଯେ ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ବ ଯୋଗାଣ ଶୃଙ୍ଖଳରେ ଦେଖାଦେଇଥିବା ଅସୁବିଧା ଏବଂ ତେଲ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ୨୦୨୨-୨୩ରେ ରାଜ୍ୟରେ ମୁଦ୍ରାସ୍ଫୀତି ଅଧିକ ରହିଛି। ଏହାସତ୍ତ୍ବେ ଦେଶର ମୁଦ୍ରାସ୍ଫୀତି ୬.୮୧ ପ୍ରତିଶତ ତୁଳନାରେ ଓଡ଼ିଶାର ମୁଦ୍ରାସ୍ଫୀତି କମ୍ ରହିଛି। ପ୍ରଭାବୀ ସାଧାରଣ ବଣ୍ଟନ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଯୋଜନା ଏବଂ ଦକ୍ଷ ଯୋଗାଣ ପରିଚାଳନା ଆଦି ଯୋଗୁ ରାଜ୍ୟରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରାଯାଇଛି ବୋଲି ସର୍ଭେରେ କୁହାଯାଇଛି।
ଓଡ଼ିଶାରେ ୪୬.୮ ପ୍ରତିଶତ ଲୋକ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ। ରାଜ୍ୟର ମୋଟ ମୂଲ୍ୟଯୋଗ ବା ଜିଏସଭିଏରେ କୃଷିର ଯୋଗଦାନ ୨୦୨୨-୨୩ରେ ୨୨.୫ ପ୍ରତିଶତ। ହେଲେ କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶାର ବିକାଶ ହାର ଜାତୀୟ ହାର ତୁଳନାରେ ପାଖାପାଖି ଦୁଇଗୁଣା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶରେ କୃଷି କ୍ଷେତ୍ରର ବିକାଶ ୩.୫ ପ୍ରତିଶତ ଥିବାବେଳେ ଓଡ଼ିଶାର କୃଷି ବିକାଶ ହାର ୬ ପ୍ରତିଶତ ରହିବା ନେଇ ଅର୍ଥନୈତିକ ସର୍ଭେରେ କୁହାଯାଇଛି। ୨୦୨୧-୨୨ ତୁଳନାରେ ଚଳିତବର୍ଷ ଓଡ଼ିଶାର କୃଷି କ୍ଷେତ୍ର ଯଥେଷ୍ଟ ଅଧିକ ମାତ୍ରାରେ ଆଗକୁ ବଢ଼ିଛି। ୨୦୨୧-୨୨ରେ ଓଡ଼ିଶାର କୃଷିକ୍ଷେତ୍ରର ଅଭିବୃଦ୍ଧି ୨.୪ ପ୍ରତିଶତ ରହିଥିଲାବେଳେ ଦେଶର କୃଷି ଅଭିବୃଦ୍ଧି ୩ ପ୍ରତିଶତ ରହିଥିଲା। ମାଛଚାଷ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ରହିଥିବା କୁହାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ କୃଷି କ୍ଷେତ୍ରର ବିକାଶ ପାଇଁ ଜଳସେଚନର ସର୍ବାଧିକ ଆବଶ୍ୟକତା ରହିଛି। ରାଜ୍ୟ ସରକାର ଏ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଅଗ୍ରଗତି କରିଛନ୍ତି। ୨୦୧୮-୧୯ରେ ରାଜ୍ୟରେ ୬୧ ଲକ୍ଷ ହେକ୍ଟର ପାଇଁ ଜଳସେଚନ ସୁବିଧା ସୃଷ୍ଟି କରାଯାଇଥିଲା। ୨୦୨୧-୨୨ ବେଳକୁ ଏହା ୬୬.୯ ଲକ୍ଷ ହେକ୍ଟରରେ ପହଞ୍ଚିଛି। ଉପରୋକ୍ତ ୪ ବର୍ଷ ମଧ୍ୟରେ ଜଳସେଚନ ପାଇଁ ୧୮,୭୪୫ କୋଟି ଟଙ୍କା ନିବେଶ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଚାଷଜମିରୁ ୫୨ ପ୍ରତିଶତ ଜମିରେ ଧାନ ଓ ଗହମ ଭଳି ଫସଲ ହେଉଛି। ଏହାଛଡ଼ା ୨୨.୩ ପ୍ରତିଶତ ଜମିରେ ଡାଲିଜାତୀୟ ଫସଲ, ୮.୨ ପ୍ରତିଶତ ଜମିରେ ପନିପରିବା, ୬.୬ ପ୍ରତିଶତ ଜମିରେ ତୈଳବୀଜ, ୪.୨ ପ୍ରତିଶତ ଜମିରେ ଫଳ ଏବଂ ୬.୮ ପ୍ରତିଶତ ଜମିରେ ଅନ୍ୟାନ୍ୟ ଫସଲ ହେଉଥିବା ସଂପର୍କରେ ସର୍ଭେରେ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଓଡ଼ିଶାର ବିକାଶରେ ଶିଳ୍ପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟ ଅର୍ଥନୀତି (ଜିଏସଭିଏ)କୁ ଏହାର ଯୋଗଦାନ ୨୦୨୨-୨୩ରେ ୪୧.୩ ପ୍ରତିଶତ ରହିଛି। ୨୦୨୨-୨୩ରେ ରାଜ୍ୟରେ ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ୬.୦୫ ପ୍ରତିଶତ ରହିଛି। କେବଳ ସେତିକି ନୁହେଁ ୨୦୧୨-୧୩ରୁ ୨୦୨୨-୨୩ ମଧ୍ୟରେ ଶିଳ୍ପକ୍ଷେତ୍ରର ହାରାହାରି ଅଭିବୃଦ୍ଧି ୬.୬ ପ୍ରତିଶତ ସ୍ତରରେ ରହିଛି। ଚଳିତବର୍ଷ ଉତ୍ପାଦନ (ମାନୁଫାକ୍ଚରିଂ) କ୍ଷେତ୍ରର ଅଭିବୃଦ୍ଧି ଯଦିଓ ୫.୨ ପ୍ରତିଶତକୁ ହ୍ରାସ ପାଇଛି ତଥାପି ୨୦୧୨-୧୩ରୁ ୨୦୨୨-୨୩ରେ ଏହାର ହାରାହାରି ଅଭିବୃଦ୍ଧି ୯.୧ ପ୍ରତିଶତ ରେକର୍ଡ କରାଯାଇଛି।
ସେହିଭଳି ରାଜ୍ୟ ଅର୍ଥନୀତି (ଜିଏସଭିଏ) ପ୍ରତି ସେବା କ୍ଷେତ୍ରର ଯୋଗଦାନ ଶିଳ୍ପ ପଛକୁ ଦ୍ବିତୀୟ ଅର୍ଥାତ୍ ୩୬.୨ ପ୍ରତିଶତ ରହିଛି। ୨୦୨୨-୨୩ରେ ସେବାକ୍ଷେତ୍ର ୮.୭୯ ପ୍ରତିଶତ ହାରରେ ଆଗକୁ ବଢ଼ିଛି। ସେବା ପରିସରଭୁକ୍ତ ହୋଟେଲ ଏବଂ ରେସ୍ତୋରାଁ କ୍ଷେତ୍ରର ଅଭିବୃଦ୍ଧି ୩୭.୧ ପ୍ରତିଶତ ରହିଛି, ଯାହାକି ୨୦୨୧-୨୨ରେ ୬୨.୭ ପ୍ରତିଶତ ରହିଥିଲା। ସେହିଭଳି ବିମାନ ପରିବହନ କ୍ଷେତ୍ରର ବିକାଶ ୨୦୨୨-୨୩ରେ ୫୮ ପ୍ରତିଶତ ରହିଛି, ଯାହାକି ୨୦୨୧-୨୨ରେ ୭୫.୨ ପ୍ରତିଶତ ରହିଥିଲା।
ସର୍ଭେ ରିପୋର୍ଟ କହିଛି ଯେ ୨୦୨୦-୨୧ରେ ରାଜ୍ୟରେ ବେକାରି ହାର ୫.୩ ପ୍ରତିଶତ ରହିଛି। ଏହା ଉଚ୍ଚ ଆୟବର୍ଗର ରାଜ୍ୟ ଯଥା କେରଳର ୧୦.୧ ପ୍ରତିଶତ ତୁଳନାରେ କମ୍। ତେବେ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁ ରାଜ୍ୟରେ ଅଧିକ ସଂଖ୍ୟାରେ ନିଯୁକ୍ତି ସୃଷ୍ଟି ହୋଇଛି। ପିରିୟଡିକ୍ ଲେବର ଫୋର୍ସ ସର୍ଭେ ୨୦୨୦-୨୧ ଅନୁଯାୟୀ ରାଜ୍ୟରେ କାମଧନ୍ଧାରେ ଶ୍ରମଶକ୍ତିର ଅଂଶଗ୍ରହଣ ହାର ୫୬.୫ ପ୍ରତିଶତ ରହିଛି, ଯାହାକି ୨୦୧୯-୨୦ରେ ୫୫.୩ ପ୍ରତିଶତ ରହିଥିଲା। ଓଡ଼ିଶାରେ ୧୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ମଧ୍ୟରୁ ପାଖାପାଖି ୫୩.୫ ପ୍ରତିଶତ ଲୋକ ୨୦୨୦-୨୧ରେ କାର୍ଯ୍ୟରେ ନିଯୁକ୍ତ ଥିବାବେଳେ ଜାତୀୟ ସ୍ତରରେ ଏହା ୫୨.୬ ପ୍ରତିଶତ ରହିଥିଲା। ଓଡ଼ିଶାର ମହିଳାମାନେ ବିଭିନ୍ନ ପ୍ରକାର କାର୍ଯ୍ୟରେ ଅଧିକ ମାତ୍ରାରେ ନିୟୋଜିତ ହେଉଛନ୍ତି। ୨୦୨୦-୨୧ରେ ମହିଳାମାନଙ୍କ ଅଂଶଗ୍ରହଣ ଜାତୀୟସ୍ତରରେ ୩୨.୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୩୩.୨ ପ୍ରତିଶତ ରହିଛି।