ପାରିବାରିକ ଖର୍ଚ୍ଚରେ ଓଡ଼ିଶା ପଛୁଆ : ମାସିକ ହାରାହାରି ଖର୍ଚ୍ଚ ୫୬୧୩ ଟଙ୍କା

ତଳଆଡ଼ୁ ଚତୁର୍ଥ

ଭୁବନେଶ୍ବର : ଅର୍ଥନୈତିକ ଅଭିବୃଦ୍ଧିରେ ଖର୍ଚ୍ଚର ପ୍ରମୁଖ ଭୂମିକା ରହିଥାଏ। ଖର୍ଚ୍ଚ ବଢ଼ିଲେ ଏହାର ପ୍ରଭାବରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିଥାଏ। କିନ୍ତୁ ଓଡ଼ିଶା ଏ କ୍ଷେତ୍ରରେ ପଛରେ ରହିଥିବା ସରକାର ଆଜି ଅର୍ଥନୈତିକ ସର୍ଭେ‌ ରିପୋର୍ଟରେ ଦର୍ଶାଇଛନ୍ତି।

ନାବାର୍ଡର ସର୍ବ ଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ୨୦୧୬-୧୭ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଗୋଟିଏ ପରିବାରର ମାସିକ ହାରାହାରି ଖର୍ଚ୍ଚ ୫୬୧୩ ଟଙ୍କା ରହିଛି। ପ୍ରମୁଖ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ତଳଆଡ଼ୁ ଚତୁର୍ଥ ସ୍ଥାନରେ ରହିଛି।

ଓଡ଼ିଶା ତଳକୁ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ରହିଛି। ପଶ୍ଚିମବଙ୍ଗରେ ଗୋଟିଏ ପରିବାରର ମାସିକ ହାରାହାରି ଖର୍ଚ୍ଚ ୫୨୪୯ ଟଙ୍କା ଥିବାବେଳେ ଝାଡ଼ଖଣ୍ଡରେ ୫୫୪୪ ଟଙ୍କା ଏବଂ ଛତିଶଗଡ଼ରେ ୫୬୦୭ ଟଙ୍କା ରହିଛି। ଜାତୀୟ ସ୍ତରରେ ଏହି ଖର୍ଚ୍ଚ ୬୬୪୬ ଟଙ୍କା ରହିଛି।

ପାରିବାରିକ ଖର୍ଚ୍ଚ କ୍ଷେତ୍ରରେ ପଞ୍ଜାବ ଶୀର୍ଷରେ ରହିଛି। ଏହି ରାଜ୍ୟରେ ଗୋଟିଏ ପରିବାରର ମାସିକ ହାରାହାରି ବ୍ୟୟ ୧୧,୭୦୭ ଟଙ୍କା ରହିଛି। ପଞ୍ଜାବ ପଛକୁ କେରଳ (୧୧,୧୫୬ ଟଙ୍କା), ହରିଆଣା ( ୮୬୪୬ ଟଙ୍କା), ଗୁଜରାଟ (୭୪୯୦ ଟଙ୍କା) ରହିଛି। ଏମାନଙ୍କ ପଛକୁ ଯଥାକ୍ରମେ ତାମିଲନାଡ଼ୁ, ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ମଧ୍ୟ ପ୍ରଦେଶ ରହିଛନ୍ତି।

ତେବେ ଆଶ୍ବାସନାର ବିଷୟ ହେଲା ଯେ ସର୍ବ ଭାରତୀୟ ଏବଂ ଓଡ଼ିଶାର ଗ୍ରାମାଞ୍ଚଳରେ ପରିବାରଗୁଡ଼ିକ ମାସିକ ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ କମିଛି। ୨୦୧୧-୧୨ର ଏନଏସଏସଓ ରିପୋର୍ଟ ଅନୁଯାୟୀ ସର୍ବ ଭାରତୀୟ ଏବଂ ଗ୍ରାମାଞ୍ଚଳ ଓଡ଼ିଶାରେ ମାସିକ ପାରିବାରିକ ଖର୍ଚ୍ଚରେ ପାର୍ଥକ୍ୟ ୨୨୬୫ ଟଙ୍କା ଥିବାବେଳେ ୨୦୧୬-୧୭ର ନାବାର୍ଡ ସର୍ବ ଭାରତୀୟ ଗ୍ରାମୀଣ ଅନ୍ତର୍ଭୁକ୍ତୀକରଣ ସର୍ଭେ ଅନୁଯାୟୀ ଏହି ପାର୍ଥକ୍ୟ ୧୦୩୩ ଟଙ୍କାକୁ ହ୍ରାସ ପାଇଛି। ୨୦୧୧-୧୨ ଏନଏସଏସର ୬୮ତମ ରିପୋର୍ଟରେ ଓଡ଼ିଶାର ଗ୍ରାମାଞ୍ଚଳରେ ପାରିବାରିକ ଖର୍ଚ୍ଚ ମାସିକ ୪୩୧୩ ଟଙ୍କା ଥିବାବେଳେ ଜାତୀୟ ସ୍ତରରେ ଏହା ୬୫୭୮ ଟଙ୍କା ରହିଥିଲା।

ମୋଟ ଖର୍ଚ୍ଚରେ ଖାଦ୍ୟ ଖର୍ଚ୍ଚର ଭାଗ କମିଛି
ଅନ୍ୟପଟେ ରାଜ୍ୟରେ ଲୋକଙ୍କ ସ୍ଥିତିରେ ଉନ୍ନତି ଆସୁଥିବା ଯୁକ୍ତିକୁ ସମର୍ଥନ କରିବା ଭଳି ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଛି। ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଲେ ସେମାନଙ୍କର ଖାଦ୍ୟ ବାବଦ ଖର୍ଚ୍ଚ ହ୍ରାସ ପାଇଥାଏ। ଓଡ଼ିଶାରେ ଏହା ହ୍ରାସ ପାଇଛି। ୨୦୦୪-୦୫ରେ ରାଜ୍ୟର ଗ୍ରାମାଞ୍ଚଳରେ ଗୋଟିଏ ପରିବାର ତାଙ୍କ ମୋଟ ଖର୍ଚ୍ଚର ୬୧.୫୬ ପ୍ରତିଶତ ଖାଦ୍ୟରେ ଖର୍ଚ୍ଚ କରୁଥିବା ବେଳେ ୨୦୧୧-୧୨ରେ ଏହା ୫୧.୯୭ ପ୍ରତିଶତକୁ କମିଛି। ସହରାଞ୍ଚଳରେ ଗୋଟିଏ ପରିବାରର ହାରାହାରି ଖାଦ୍ୟ ବାବଦ ଖର୍ଚ୍ଚ ମୋଟ ଖର୍ଚ୍ଚରେ ୪୯.୯୩ ପ୍ରତିଶତ ଥିବା ବେଳେ ୨୦୧୧-୧୨ରେ ଏହା ୩୯.୨୬ ପ୍ରତିଶତକୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର