ଅର୍ଥନୈତିକ ଗଣନାରେ ପାନ୍ ତଥ୍ୟ ମଗାଯିବ : ଗୁପ୍‌ଚୁପ୍ ବିକାଳି, ଠେଲା ବେପାରୀଙ୍କ ତଥ୍ୟ ସଂଗ୍ରହ କରାଯିବ

ଭୁବନେଶ୍ବର: ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ କରାଯାଇଛି। ଏଥିରେ ଗୁପ୍‌ଚୁପ୍ ବିକାଳିଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ କଳ କାରଖାନା ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରକାର ସଂସ୍ଥାର ତଥ୍ୟ ସଂଗ୍ରହ କରାଯିବ। ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ କାଗଜବିହୀନ ଭାବେ ମୋବାଇଲ ଆପ୍‌ ଜରିଆରେ କରାଯାଉଥିବା ଏହି ଗଣନାରେ ବାଣିଜ୍ୟିକ କାର୍ଯ୍ୟକଳାପ ସହ ସମ୍ପର୍କ ରଖିଥିବା ସମସ୍ତ ଲୋକ ଓ ସଂସ୍ଥାଗୁଡ଼ିକର ପାନ୍ ନମ୍ବର ଏବଂ ମୋବାଇଲ୍‌ ନମ୍ବର ସଂଗ୍ରହ କରାଯିବ। ଏହା ବ୍ୟତୀତ କାରଖାନା ସ୍ଥାପନ କରିବା ଏବଂ ମେସିନ୍ କିଣାକିଣିରେ ହୋଇଥିବା ଖର୍ଚ, ସଂସ୍ଥା ନିୟୋଜିତ ଥିବା କର୍ମଚାରୀ ସଂଖ୍ୟା ଏବଂ କଂପାନିଗୁଡ଼ିକର କାରବାର (ଟର୍ଣ୍ଣଓଭର) ତଥ୍ୟ ଏଥର ସଂଗ୍ରହ କରାଯିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ, ଓଡ଼ିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ କାମାକ୍ଷା ପ୍ରସାଦ ମିଶ୍ର କହିଛନ୍ତି।

ଆଚାର୍ଯ୍ୟ ବିହାର ସ୍ଥିତ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପରିସରରେ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସେ କହିଲେ, ପୂର୍ବରୁ ଅର୍ଥନୈତିକ ଗଣନା ରାଜ୍ୟ ସରକାରଙ୍କ ସହଯୋଗରେ କରାଯାଉଥିଲା। ଶିକ୍ଷକମାନେ ଏହି କାର୍ଯ୍ୟ କରୁଥିଲେ। ସପ୍ତମ ଅର୍ଥନୈତିକ ଗଣନାରେ ଏହି ପ୍ରକ୍ରିୟାକୁ ବାଦ ଦିଆଯାଇଛି। ରାଜ୍ୟର କୌଣସି ମାନବ ସମ୍ବଳ ତଥ୍ୟ ସଂଗ୍ରହ କରିବାରେ ନିୟୋଜିତ ହେବେ ନାହିଁ। ତଥ୍ୟ ସଂଗ୍ରହ କରିବା କାମ ଜନ ସେବା କେନ୍ଦ୍ରଗୁଡ଼ିକୁ ପ୍ରଦାନ କରାଯାଇଛି। ଯେଉଁମାନେ ଏହି କାର୍ଯ୍ୟ କରିବେ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟର ତାଲିମ ଦିଆଯାଇଛି। ଏକ ମୋବାଇଲ୍ ଆପ୍ ବିକଶିତ କରାଯାଇଛି ଯାହା ଜରିଆରେ ତଥ୍ୟ ସଂଗ୍ରହ କରାଯିବ। ସୁପର୍‌ଭାଇଜର୍ ସେହି ତଥ୍ୟକୁ ଅନୁମୋଦନ ପ୍ରଦାନ କଲେ ତାହା ସିଧାସଳଖ ସର୍ଭର୍‌କୁ ଚାଲିଯିବ। ରିଅଲ୍‌ ଟାଇମ୍ ଭିତ୍ତିରେ ସବୁ ତଥ୍ୟକୁ ହାସଲ କରିହେବ। ସପ୍ତମ ଅର୍ଥନୈତିକ ଗଣନାରେ ତଥ୍ୟ ସଂଗ୍ରହ କାର୍ଯ୍ୟ ରେକର୍ଡ ୩-୪ ମାସରେ ଶେଷ ହେବ। ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ରିପୋର୍ଟ ପ୍ରକାଶ ପାଇବ।

ଷଷ୍ଠ ଅର୍ଥନୈତିନ ଗଣନାରେ ଓଡ଼ିଶାରେ ମୋଟ ୨୦ ଲକ୍ଷ ୮୮ ହଜାର ୯୦୫ ସଂସ୍ଥାର ତଥ୍ୟ ସଂଗ୍ରହ କରାଯାଇଥିଲା। ସେଥି ମଧ୍ୟରୁ ୧୬ ଲକ୍ଷ ୫ ହଜାର ୭୪୩ଟି ସଂସ୍ଥା ଗ୍ରାମାଞ୍ଚଳରେ ଓ ୪ ଲକ୍ଷ ୮୩ ହଜାର ୧୬୨ଟି ସଂସ୍ଥା ସହରାଞ୍ଚଳର ଥିଲେ। ଏହି ସବୁ ସଂସ୍ତାରେ ମୋଟ ୪୩ ଲକ୍ଷ ୧୮ ହଜାର ୪୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେମାନଙ୍କ ମଧ୍ୟରୁ ପୁରୁଷ କର୍ମଚାରୀଙ୍କ ସଂଖ୍ୟା ୩୦ ଲକ୍ଷ ୨୨ ହଜାରରୁ ଅଧିକ ଓ ମହିଳାଙ୍କ ସଂଖ୍ୟା ପାଖାପାଖି ୧୩ ଲକ୍ଷ ଥିଲା। ଆଠରୁ ଅଧି କର୍ମଚାରୀ କାର୍ଯ୍ୟ କରୁଥିବା ସଂସ୍ଥା ସଂଖ୍ୟା ୪୦,୭୪୬ଟି ଥିଲା। ରାଜ୍ୟରେ ମୋଟ ୧ ଲକ୍ଷ ୪୬ ହଜାର ୧୩୮ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ଥିଲା ବୋଲି ଷଷ୍ଠ ଅର୍ଥନୈତିକ ଗଣନାରୁ ଜଣାପଡ଼ିଥିଲା। ଏହି ଗଣନା ୨୦୧୩ରେ କରାଯାଇଥିଲା। ଦୀର୍ଘ ବର୍ଷ ବ୍ୟବଧାନ ପରେ ସପ୍ତମ ଅର୍ଥନୈତିକ ଗଣନା ହେଉଥିବାରୁ ସଂସ୍ଥା ଓ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟାରେ ଆଖିଦୃଶିଆ ଉନ୍ନତି ହୋଇଥିବ ବୋଲି ଆଶା କରାଯାଉଛି। ଏହା ପର ଠାରୁ ପ୍ରତି ତିନି ବର୍ଷରେ ଅର୍ଥନୈତିକ ଗଣନା କରାଯିବ ବୋଲି ଜଣାପଡ଼ିଛି। ସର୍ବଭାରତୀୟ ସ୍ତରରେ ଏହି ଗଣନା ଲାଗି ୩୫୦ କୋଟି ଟଙ୍କା ଖର୍ଚ ହେବ। ଏହି ଅବସରରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ବରିଷ୍ଠ ପରିସଂଖ୍ୟାନ ଅଧିକାରୀ ତପନ କୁମାର ମିଶ୍ର ଓ ସୌମନ୍ଦ୍ରେ କୁମାର ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର