କରୋନା ଯୋଗୁଁ ଅର୍ଥନୀତି ବରବାଦ : ଟଙ୍କା ଚିନ୍ତାରେ ସରକାର

ଶୀତ ଅଧିବେଶନରେ ଆସିବ ଅତିରିକ୍ତ ବଜେଟ୍
ବକେୟା ପ୍ରାପ୍ୟ ମିଳିବା ସମ୍ଭାବନା କ୍ଷୀଣ
ଦେଢ଼ଲକ୍ଷ କୋଟିର ବିଶାଳ ବଜେଟ୍ ବାଟବଣା
ନୂଆ ଯୋଜନା ଆଣିବାକୁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର : ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହେଉଥିବା ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଆଗତ କରିପାରନ୍ତି। ଏ ନେଇ ଅର୍ଥ ବିଭାଗ ଜୋରସୋରରେ ପ୍ରସ୍ତୁତି ଚଳାଇଛି। ଅଧିବେଶନ ଆରମ୍ଭ ହେବାର ପାଖାପାଖି ଚାରିଦିନ ପରେ ତିନିଟି ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯାଇ ପ୍ରଥମ ଅତିରିକ୍ତ ବଜେଟକୁ ଅନୁମୋଦନ ଦିଆଯିବାର ଯୋଜନା ହୋଇଛି।

ଏଥର ଅତିରିକ୍ତ ବଜେଟ୍ ଅନ୍ୟ ବର୍ଷମାନଙ୍କ ଅପେକ୍ଷା କିନ୍ତୁ ଅଧିକ ମହତ୍ତ୍ବ ରଖେ। ଏଇଥିପାଇଁ ଯେ ରାଜ୍ୟ ଅର୍ଥନୀତି ସଂପର୍କରେ ଏକ ଗୋଲାପି ଚିତ୍ର ଆଙ୍କି ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଦେଢଲକ୍ଷ କୋଟି ଟଙ୍କାର ବଜେଟ୍ ଆକଳନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କର ସ୍ବପ୍ନର ପ୍ରକଳ୍ପମାନଙ୍କ ପାଇଁ ଏଥିରେ ବେଶ୍ ଅର୍ଥ ବରାଦ କରାଯାଇଥିଲା। ସରକାର ବିଭିନ୍ନ ସୂତ୍ରରୁ ମିଳିବାକୁ ଥିବା ଅର୍ଥ ସଂପର୍କରେ ଏକ ବିସ୍ତୃତ ଆକଳନ କରି ଏହି ବିଶାଳ ବଜେଟ୍‌ ପାଇଁ ଟଙ୍କା ଦେବେ ବୋଲି ବିଧାନସଭାରେ କହିଥିଲେ।

Odisha News Insight

ହେଲେ ଏହି ବଜେଟ୍ ଅନୁମୋଦନ ବେଳକୁ ସରକାରଙ୍କ ସ୍ବପ୍ନକୁ ବଡ଼ ଝଟ୍‌କା ଲାଗିଥିଲା। କରୋନା ଓଡ଼ିଶାକୁ ଗତ ୭ମାସ ଧରି ଆକ୍ତାମାକ୍ତା କରି ରଖିଛି। କରୋନା ମହାମାରୀ ରାଜ୍ୟ ଅର୍ଥନୀତିକୁ ମୋଡ଼ିମକଚି ଦେଇଛି, କେନ୍ଦ୍ରର ବି। ସ୍ଥିତି ଏତେ ଗମ୍ଭୀର ଯେ ସରକାର ପୁରୁଣା ବକେୟା ତ ଦୂରେ ଥାଉ; ନୂଆ ପ୍ରକଳ୍ପ ଉପରେ କଟକଣା ଜାରି କରିଛନ୍ତି ଏବଂ ବଡ଼ ବାବୁଙ୍କ ଦରମା ଉପରେ ଚୋଟ ପଡ଼ିଛି। ମହଙ୍ଗା ଭତ୍ତା ବନ୍ଦ, ବିକାଶ କାମ ବି ଆଗଉନି।

ଏବେ ନଭେମ୍ବର ମାସ ସୁଦ୍ଧା ରାଜ୍ୟ ଅର୍ଥନୀତି ଚିତ୍ରରେ ସାମାନ୍ୟ ସୁଧାର ଆସିଥିଲେ ହେଁ ବିକଳାଙ୍ଗ ଅବସ୍ଥାରେ ରହିଛି। ସରକାର ଖୋଲା ବଜାରରୁ ପ୍ରାୟ ୫ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି। ଓମ୍‌ବାଡ୍‌ସି ଆଦିରୁ ୧୨ହଜାର କୋଟି ଟଙ୍କା ଆଣିବାକୁ ମନସ୍ଥ କରିଛନ୍ତି। ଏହାବାଦ୍ ଜିଏସ୍‌ଟି କ୍ଷତିପୂରଣ ଏବଂ କେନ୍ଦ୍ରୀୟ ଅତିରିକ୍ତ ଋଣ ସୁବିଧା ହେଉଛି ଭରସା। କେନ୍ଦ୍ର ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ୭ମାସ ମଧ୍ୟରେ ୨୦୧୯-୨୦ ପାଇଁ ଜିଏସ୍‌ଟି ବକେୟା ବାବଦରେ ୫୧୨୨ କୋଟି ଟଙ୍କା ମିଳିଛି, ୨୦୨୦-୨୧ ପାଇଁ ୨୨୫୮ କୋଟି ଟଙ୍କା। ଅତିରିକ୍ତ ଋଣ ସୁବିଧା ଜରିଆରେ ୨୮୫୮କୋଟି ଟଙ୍କା ରାଜ୍ୟ ପାଇଛି।

ରାଜ୍ୟ ଅର୍ଥନୀତି ସହିତ ଯୋଡ଼ି ହୋଇଥିବା ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, ସରକାରଙ୍କ ହାତ ଖୋଲା ନ ଥିବା ପରିପ୍ରେକ୍ଷୀରେ ବଡ଼ ଅତିରିକ୍ତ ବଜେଟ୍‌ର ପ୍ରଶ୍ନ ଉଠୁନାହିଁ। ସବୁକଥାକୁ ପଛକୁ ଠେଲି କରୋନା ମହାମାରୀ ମୁକାବିଲା ସଂକ୍ରାନ୍ତରେ ଯେତେସବୁ ଅଧିକ ଖର୍ଚ୍ଚ ହୋଇଛି, ସେସବୁକୁ ଅତିରିକ୍ତ ବଜେଟ୍‌ରେ ସାମିଲ କରାଯିବ।

ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ପ୍ରସ୍ତାବରେ ବଜେଟ ରାଶିକୁ କେବଳ ଏପଟସେପଟ କରାଯାଇ ପାରିବ। ଅର୍ଥାତ୍ ଗୋଟିଏ ୟୁନିଟର ଖର୍ଚ୍ଚକୁ ହ୍ରାସ କରି ଅନ୍ୟ ୟୁନିଟରେ ଲଗାଯାଇ ପାରିବ। ଅର୍ଥାତ୍ ଗୋଟିଏ ୟୁନିଟରେ ପ୍ରଶାସନିକ ବିଭାଗଗୁଡ଼ିକ ଅର୍ଥ ସଞ୍ଚୟ କରିଲେ ଯାଇ ସେହି ପରିମାଣର ଅର୍ଥ ଅନ୍ୟ ୟୁନିଟରେ ହିଁ ଖର୍ଚ୍ଚ କରିପାରିବେ। ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳୁଛି ଯେ ଖର୍ଚ୍ଚ ହୋଇ ନ ଥିବା ଅର୍ଥସବୁକୁ ଏକାଠି କରି ଆସନ୍ତା ୪ମାସ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଉଛି। ଯେତିକି କାମ ହୋଇପାରିବ, ସେତିକି ରଖି ବାକି ଅର୍ଥକୁ ଅନ୍ୟତ୍ର ବିନିଯୋଗ କରାଯିବ। ସବୁ ବିଭାଗର ବରାଦ ଅର୍ଥ ଓ କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ ହେବ। କିନ୍ତୁ କରୋନା ପରବର୍ତୀ ଓଡ଼ିଶାର ଅର୍ଥନୀତି ଓ ବଜାରକୁ ସ୍ବାଭାବିକ ଓ ସକ୍ରିୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗ୍ରହ ରଖୁଥିବା କାରଣରୁ ଅତିରିକ୍ତ ବଜେଟ୍‌ରେ ସରକାର ଶେଷ ମୁହୂର୍ତରେ ଠୋସ୍ ଭାବେ କିଛି ନୂଆ ଯୋଜନା ଖଞ୍ଜିବା ବିଚିତ୍ର ନୁହେଁ।

CNBC.com

ଏସବୁ କିନ୍ତୁ ଏତିକି ସୂଚାଉଛି ଯେ ସପ୍ତମ ବେତନ କମିସନ ସୁପାରିସ୍ ହାରରେ କର୍ମଚାରୀଙ୍କୁ ସଂଶୋଧିତ ଘରଭଡ଼ା ଦେବା ସଂକ୍ରାନ୍ତ ଫାଇଲରେ ଏବେ ସରକାରୀ ମୋହର ଲାଗିବାର ନାହିଁ। ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ୨୦୧୭ ସେପ୍ଟେମ୍ବର ମାସରୁ ସପ୍ତମ ବେତନ କମିସନ ସୁପାରିସ୍‌କୁ ଲାଗୁ କରିବା ସହ ବର୍ଦ୍ଧିତ ହାରରେ ଦରମା ଦେଇଥିଲେ। ୨୦୧୬ ଜାନୁଆରିରୁ ପିଛିଲା ଭାବେ ଲାଗୁ କରିବା କଥା ଘୋଷଣା କରାଯାଇଥିଲା। ୨୦୧୬ ଜାନୁଆରିରୁ ୨୦୧୭ ଅଗଷ୍ଟ ବର୍ଧିତ ବକେୟା ରାଶିର ପ୍ରଥମ ଭାଗ ଅର୍ଥାତ୍ ୪୦% ସରକାର ପ୍ରଦାନ କରିସାରିଛନ୍ତି। ବଳକା ୬୦% (ବକେୟା) ଦରମା ଲାଗି ଅତିରିକ୍ତ ବଜେଟ୍‌ରେ ବ୍ୟୟବରାଦ ସମ୍ଭାବନା କ୍ଷୀଣ ବୋଲି କୁହାଯାଇପାରେ। କଟକଣା ତ ଉଠିବାର ନାହିଁ, ବରିଷ୍ଠ ଅଧିକାରୀଙ୍କ କାଣ୍ଟଛାଣ୍ଟ ଦରମା ବି ଏହି ଆର୍ଥିକ ବର୍ଷରେ ମିଳିବା ଆଶା ଦେଖାଯାଉନାହିଁ।

ଏଠାରେ ପ୍ରକାଶଥାଉକି, କରୋନା ପରବର୍ତୀ ପରିସ୍ଥିତିରେ ଅର୍ଥ କେଉଁଆଡୁ କିଭଳି ଆସିବ ସେସବୁକୁ ଅନୁଧ୍ୟାନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ ହୋଇଥିଲା। ଏଥିରେ ବିଶେଷଜ୍ଞମାନଙ୍କୁ ବି ସାମିଲ ପାଇଁ କୁହାଯାଇଥିଲା। ହେଲେ ଏହି କମିଟି କ’ଣ ପଦକ୍ଷେପ ନେଲେ, ସେ ସଂପର୍କରେ କାହାକୁ ଏଯାଏ କିଛି ବି ଜଣାନାହିଁ। ସେଭଳି ଯୋଜନା ଆୟୋଗ ପକ୍ଷରୁ ରାଜ୍ୟର ଅର୍ଥନୀତି ସଂପର୍କରେ ଏକ ରିପୋର୍ଟ ପ୍ରସ୍ତୁତ ପାଇଁ ଘୋଷଣା କରାଯାଇଥିଲା। ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପ୍‌ମେଣ୍ଟ ଷ୍ଟଡିଜ୍ କି ରିପୋର୍ଟ ଦେଲା, ଅତିରିକ୍ତ ବଜେଟ୍‌ ପରିପ୍ରେକ୍ଷୀରେ ଏହା କେତେ ସହାୟକ ହେବ, ତାହା କାହାକୁ ମାଲୁମ୍ ନାହିଁ।

୨୦୧୮-୧୯ ଆର୍ଥିକବର୍ଷରେ ମୂଳ ବଜେଟ୍ ପରିମାଣ ୧ଲକ୍ଷ ୨୦ ହଜାର କୋଟି ଟଙ୍କା ଥିବା ବେଳେ ସେବର୍ଷ ୧୨ହଜାର ୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ ହୋଇଥିଲା। ୨୦୧୯-୨୦ରେ ମୂଳ ବଜେଟ୍ ବଢ଼ି ୧ଲକ୍ଷ ୩୯ ହଜାର କୋଟିରେ ପହଞ୍ଚିଥିଲା। କିନ୍ତୁ ଅତିରିକ୍ତ ବଜେଟ୍ ଖସି ୮ହଜାର ୧୨୬ କୋଟି ୩୨ଲକ୍ଷରେ ପହଞ୍ଚିଥିଲା। ୨୦୨୦-୨୧ରେ ମୂଳ ବଜେଟ୍ ବେଶ୍ ଆଖିଦୃଶିଆ କରି ସରକାର ଦେଢ଼ ଲକ୍ଷ କୋଟିରେ ପହଞ୍ଚାଇଥିଲେ।

ସମ୍ବନ୍ଧିତ ଖବର