ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ ପକ୍ଷରୁ ‌ପରାମର୍ଶ : ରେଳ ଧାରଣାରେ ଚାଲନ୍ତୁ ନାହିଁ

ଭୁବନେଶ୍ବର : କୋଭିଡ଼୍‌-୧୯ ଭୂତାଣୁ ସଂକ୍ରମଣ ଫଳରେ ସାରା ଦେଶରେ ଲକ୍‌ ଡାଉନ୍ ଜାରି ରହିଥିବାରୁ ଯାତ୍ରୀବାହୀ ଟ୍ରେନ୍‌ ବାତିଲ୍ ହୋଇଛି। ତେବେ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିବା ପାଇଁ ରେଳ ଟ୍ରାକ୍ ଉପରେ ମାଲବାହୀ ଓ ପାର୍ସେଲ୍ ଟ୍ରେନ୍‌ଗୁଡ଼ିକ ଚଳାଚଳ କରୁଛି। ଏଥିସହ ସାରା ଦେଶରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଏହି ସବୁ ଟ୍ରେନ୍ ଦକ୍ଷିଣ ପୂର୍ବାଞ୍ଚଳ ରେଳପଥ(ଏସ୍‌ଇଆର) ପରିସୀମାରେ ମଧ୍ୟରେ ଚାଲୁଛି। ତାହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକ/ପ୍ରବାସୀ ଶ୍ରମିକମାନେ ରେଳ ଟ୍ରାକ୍ କିମ୍ବା ଧାରଣା ଉପରେ ନ ଚାଲିବାକୁ ପରାମର୍ଶ ଦିଆଯାଇଛି। ରେଲୱେ ଟ୍ରାକ୍‌ରେ ଚାଲିବା ଅତ୍ୟନ୍ତ ଭୟଙ୍କର ଓ ଏହା ସମ୍ପୂର୍ଣ୍ଣ ନିଷେଧ। ରେଲୱେ ଅଧିନିୟମ ଧାରା ୧୪୭ ଅନୁସାରେ ଦଣ୍ଡନୀୟ ଅପରାଧ ବୋଲି ଏସ୍‌ଇଆର ପକ୍ଷରୁ କୁହାଯାଇଛି।

ଆହୁରି କୁହାଯାଇଛି ଯେ କୌଣସି ବି ପରିସ୍ଥିତିରେ ଲୋକେ/ପ୍ରବାସୀ ଶ୍ରମିକ ଯିବା ଆସିବା ପାଇଁ ରେଳ ଟ୍ରାକ୍‌କୁ ବ୍ୟବହାର କରନ୍ତୁ ନା‌ହିଁ। ପରିସ୍ଥିତି ଧୀରେ ଧୀରେ ଉନ୍ନତି କରୁଛି। ଯଦି କୌଣସି ଆବଶ୍ୟକତା ପଡ଼େ ତେବେ ସେମାନେ ଜିଲ୍ଲା/ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏସ୍‌ଇଆର ପକ୍ଷରୁ ତୃଣମୂଳସ୍ତରରେ ସଚେତନତା କରାଯାଉଛି। ଅଧିକାରୀଙ୍କ ପାଇଁ ନିୟମାବଳୀ ଜାରି ହୋଇଛି। ଯଦି କୌଣସି ବ୍ୟକ୍ତି ରେଳ ଧାରଣାରେ ଏଭଳି ଅନୁପ୍ରବେଶ କରନ୍ତି ତେବେ ଯଥାଶୀଘ୍ର ବାଧାଦେବା ସହ ରିପୋର୍ଟ କରିବାକୁ ଟ୍ରାକ୍‌ମ୍ୟାନ୍‌, ପୋଲ ମରାମତି କର୍ମଚାରୀ, ଷ୍ଟେସନ୍ ମାଷ୍ଟର୍‌, ଓଭର ହେଡ୍ ବିଦ୍ୟୁତ୍ ମରାମତି କର୍ମଚାରୀ, ରେଳ ସୁରକ୍ଷା ବଳ କର୍ମଚାରୀ ଓ ଅନ୍ୟ ରେଳ କର୍ମଚାରୀଙ୍କୁ କୁହାଯାଇଛି। ଅବୈଧଭାବେ ରେଳ ଟ୍ରାକ୍ ଉପରେ ଚଳପ୍ରଚଳ କରୁଥିବା ବ୍ୟକ୍ତିଙ୍କୁ ଦେଖିଲେ ସତର୍କ କରାଇ ଦେବାକୁ ରେଳ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର