ଭୁବନେଶ୍ୱର, : ୨୦୧୯-୨୦ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ୨୦୦.୮୫ ମିଲିଅନ୍ ଟନ୍ ମାଲ୍ ପରିବହନ କରି ରେକର୍ଡ ସୃଷ୍ଟି କରିଛି। ଯାହାକି ଗତ ଆର୍ଥିକ ବର୍ଷଠାରୁ ୪.୭୩ ପ୍ରତିଶତ ଅଧିକ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ରେଳପଥ ୧୯୧.୭୬ ମିଲିଅନ୍ ଟନ୍ ମାଲ୍ ପରିବହନ କରିଥିଲା। ଆୟକୁ ଦେଖିଲେ, ଏହି ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷରେ ମାଲ୍ ପରିବହନ କ୍ଷେତ୍ରରେ ୨୦ ହଜାର ୧୨୫ କୋଟି ଆୟ କରିଛି। ୨୦୧୮-୧୯ ଆର୍ଥିକ ବର୍ଷ ଆୟ ୧୮ ହଜାର ୧୮୦ କୋଟି ରହିଥିଲା। ଗତବର୍ଷଠାରୁ ପ୍ରାୟ ୧୧ ପ୍ରତିଶତ ଅଧିକ ଆୟ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଦକ୍ଷିଣ-ପୂର୍ବ ରେଳପଥ ୧୭୧.୧୧ ମିଲିଅନ୍ ଟନ୍ ମାଲ୍ ପରିବହନ କରିଥିଲା ବେଳେ ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥ ୧୬୯ ମିଲିଅନ୍ ଟନ୍ ଓ ପୂର୍ବ-ମଧ୍ୟ ରେଳପଥ ୧୪୮ ମିଲିଅନ୍ ଟନ୍ ମାଲ୍ ପରିବହନ କରିଛନ୍ତି। ଆୟ କ୍ଷେତ୍ରରେ ଦକ୍ଷିଣ-ପୂର୍ବ ରେଳପଥ ୧୪ ହଜାର ୪୫୯.୫ କୋଟି, ଦକ୍ଷିଣ-ପୂର୍ବ-ମଧ୍ୟ ରେଳପଥ ୧୯ ହାଜର ୮୩୫ କୋଟି ଏବଂ ପୂର୍ବ-ମଧ୍ୟ ରେଳପଥ ୧୫ ହଜାର ୧୧୭.୮ କୋଟି ଆୟ କରିଛନ୍ତି। ମହାବାତ୍ୟା ଫନି ସମୟରେ ବିପୁଳ କ୍ଷୟକ୍ଷତି, ମାଲ୍ ପରିବହନ ଓ ଟ୍ରେନ୍ ପରିଚାଳନାରେ ପ୍ରଚଣ୍ଡ ବାଧା ସତ୍ତ୍ୱେ ପୂର୍ବତଟ ରେଳପଥ ଏହି ମାଇଲ୍‌ଷ୍ଟୋନ୍ ଠିଆ କରେଇ ପାରିଛି। ମହାବାତ୍ୟା ପରେ ତୁରନ୍ତ ରେଳ ସେବାକୁ ପୁନଃଚଳାଚଳ କରି ପାରିଥିଲା ଓ ଏହି ରେଳପଥକୁ ୬୦୦ କୋଟି କ୍ଷତି ସହିବାକୁ ପଡ଼ିଥିଲା। ମାଲ୍ ପରିବହନ ଉପରେ ଗୁରୁତ୍ୱ ଦେବା, ନୂତନ ପଦକ୍ଷେପ ଓ ରେଳ ମନ୍ତ୍ରଣାଳୟର ଅର୍ଥପୂର୍ଣ୍ଣ ହସ୍ତକ୍ଷେପ ହିଁ ୨୦୦ ମିଲିଅନ୍ ଟନ୍‌ରୁ ଅଧିକ ମାଲ୍ ପରିବହନ କରିବା ଭଳି ଗୌରବ ଆଣିବାରେ ସକ୍ଷମ ହୋଇପାରିଛି।

Advertisment

ବାତ୍ୟା 'ଫନି'ର ପ୍ରଭାବ ଓ ବୃହତ୍ତର ମାଲ୍ ପରିବହନ ସ୍ଥଳୀଗୁଡ଼ିକ ଅଞ୍ଚଳରେ ନକ୍ସଲ୍ କାର୍ଯ୍ୟକଳାପ, ରେଳ ଟ୍ରାକ୍ ଉପରେ ମାଟି-ପଥର ଅତଡ଼ା ଖସି ଟ୍ରେନ୍ ପରିଚାଳନାରେ ବ୍ୟାହତ, ଶ୍ରମିକ ଆନ୍ଦୋଳନ ଇତ୍ୟାଦି ଅନ୍ୟାନ୍ୟ ବହୁ ବାଧା ସତ୍ତ୍ୱେ ରେଳପଥ ମାଲ୍ ପରିବହନରେ ସଫଳତା ଆଣିଦେଇଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ସହଯୋଗ ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ କୃତଜ୍ଞତା ପ୍ରକାଶ କରାଯାଇଛି।