ପୂର୍ବତଟ ରେଳପଥରେ ସ୍ଥାପନ ହେବ ସ୍ବୟଂଚାଳିତ ବଗି ସଫେଇ ପ୍ଲାଣ୍ଟ

ଭୁବନେଶ୍ବର : ପୂର୍ବତଟ ରେଳପଥର ପୁରୀ ଓ ବିଶାଖାପାଟଣା ବଗି ରକ୍ଷଣାବେକ୍ଷଣ ଡିପୋଠାରେ ସ୍ବୟଂଚାଳିତ ବଗି ସଫେଇ ପ୍ଲାଣ୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନୂଆଦିଲ୍ଲୀର ରେଳ ମନ୍ତ୍ରଣାଳୟ ଅଧୀନରେ ଥିବା ସ୍ବୟଂଶାସିତ ସଂଗଠନ କଫ୍‌ମୋ(କାରଖାନା ଆଧୁନିକୀକରଣର କେନ୍ଦ୍ରୀୟ ସଂଗଠନ)ରେ ଅଗ୍ରୀମ ଆବେଦନ କରାଯାଇଛି। ପୁରୀର ଏହି ସ୍ବୟଂଚାଳିତ ପ୍ଲାଣ୍ଟ ବ୍ୟୟ ଅଟକଳ ଦୁଇ କୋଟି ଟଙ୍କା ରଖାଯାଇଛି। ଏଥି ନିମନ୍ତେ ଟେଣ୍ଡର୍‌ କାର୍ଯ୍ୟ ଶେଷ ହୋଇଛି। ୨୦୧୯ ଡି‌ସେମ୍ବର ସୁଦ୍ଧା ପୁରୀଠାରେ ଏହି ପ୍ଲାଣ୍ଟ ସ୍ଥାପନ ହେବ। ବିଶାଖାପାଟଣାଠାରେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟ କରାଯିବ।

ପୁରୀରେ ସ୍ଥାନ ପରିଦର୍ଶନ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଏହା ପରିବେଶ ପ୍ରବନ୍ଧନ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ ହେଉଛି। ବଗି ସଫେଇରେ ବହୁତ କମ୍ ପାଣି ବ୍ୟବହୃତ ହେବ। ଏହାଦ୍ୱାରା ବଗିର ଉପର ଭାଗ ଉତ୍ତମରୂପେ ସଫା ହୋଇପାରିବ। ଏହା ସହିତ ବଗିରେ ଧୂଳି, ଦାଗ ଇତ୍ୟାଦି ଭଲ ଭାବେ ସଫା ହୋଇପାରିବ। ବଗି ରକ୍ଷଣାବେକ୍ଷଣ ଡିପୋର ଏକ ମନୋନୀତ ଲାଇନ୍‌ରେ ବଗି ବା ଟ୍ରେନ୍ ପାସ୍ କରୁଥିବା ସମୟରେ ଏହି ସଫେଇ କରାଯିବ। ବଗିଗୁଡ଼ିକ ଠିଆ ହୋଇଥିବା ବେଳେ ଏବେ ସଫେଇ କରାଯାଇପାରିବ। ବଗିର ବାହ୍ୟ ଅଂଶ ଓ ରଙ୍ଗ ସହ ସୁସଙ୍ଗତ ହେଉଥିବା ଆଲ୍‌କାଲାଇନ୍‌ ଡିଟରଜେଣ୍ଟ୍‌ ଏହି ସଫେଇ କାର୍ଯ୍ୟରେ ବିନିଯୋଗ କରାଯିବ। ଖାଲି ଟ୍ରେନ୍ ରେକ୍ ମାତ୍ର ୨୦ ମିନିଟ୍ ସମୟ ଅବଧିରେ ସଫା ହୋଇ ପାରିବ। ପ୍ଲାଣ୍ଟ ଭିତରେ ନିରୁପିତ ଲାଇନ୍‌ରେ ଯେତେବେଳେ ବି ଚଳାଚଳ ହେବ ସେତେବେଳେ ବିଭିନ୍ନ ସ୍ଥାନରେ ଲାଗିଥିବା ସେନ୍‌ସର୍‌ କାର୍ଯ୍ୟ କରିବ। ଏହି ବ୍ୟବସ୍ଥାରେ ଅଲ୍‌ଟ୍ରାସୋନିକ୍‌ ଡିଭାଇସେସ୍‌ ଓ ଫଟୋଇଲେକ୍ଟ୍ରିକ୍‌ ସେଲ୍‌ ଯୋଗଇ ଦିଆଯିବ। ସେହିପରି ବଗି ସଫେଇ ପ୍ଲାଣ୍ଟ ଭୁବନେଶ୍ୱର ଓ ଖୋର୍ଧା ରୋଡ୍‌ର ମେମୁ ସେଡ୍‌ରେ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାର ଆରମ୍ଭ ହୋଇଛି। ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟଯାନ୍ତ୍ରୀକ ଯନ୍ତ୍ରୀ ମାନସ ପୋଦାର ଏହି ପ୍ଲାଣ୍ଟ ସ୍ଥାପନା ନିମନ୍ତେ ସମ୍ପୂର୍ଣ୍ଣରୂପେ ଉଦ୍ୟମ ଜାରି ରଖିଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର