ଭୁବନେଶ୍ୱର : ଓଡ଼ିଶାରେ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିଶେଷ ଗୁରୁତ୍ୱ ଓ ଚାହିଦା ରହୁଥିବାରୁ ‘ପରିବେଶ ପର୍ଯ୍ୟଟନ’ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି। ଆଜି ସଚିବାଳୟରେ ପରିବେଶ ପର୍ଯ୍ୟଟନ କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପରିବେଶ ପର୍ଯ୍ୟଟନର ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବା ସହ ସେଗୁଡ଼ିକର ବ୍ୟାପକ ପ୍ରଚାର, ପ୍ରସାର ପାଇଁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ପ୍ରତି ପରିବେଶ ପର୍ଯ୍ୟଟନ ସ୍ଥଳୀ ପାଇଁ ଅନ୍ଲାଇନ୍ ବୁକିଂର ବ୍ୟବସ୍ଥା କରାଯାଇଛି। ୧୯ଟି ସ୍ଥାନରେ ନୂଆ କରି ସୃଷ୍ଟି କରାଯାଇଥିବା ଭିତ୍ତିଭୂମିକୁ ଚଳିତ ବର୍ଷ ପର୍ଯ୍ୟଟନ ଋତୁରେ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।
ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୧୦ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଥିବା ଭିତ୍ତିଭୂମିର ନବୀକରଣ କରାଯାଇଛି। ରାଜନଗର ଡାଙ୍ଗମାଳ ଓ ହାବେଳିଖଟି, କରଞ୍ଜିଆର କୁମାରୀ, ରାଇରଙ୍ଗପୁରର ଜାମୁନଈ, ହୀରାକୁଦର ଦେବ୍ରିଗଡ଼, ଚନ୍ଦକାର ଡେରାସ ଓ ଗୋଡ଼ିବାରୀ, ସାତକୋଶିଆର ଛୋଟକେଇ ଓ ଆଠଗଡ଼ର ଅଂଶୁପା ହ୍ରଦ ଆଦି ୯ଟି ସ୍ଥାନରେ ପ୍ରାୟ ୮.୦୫ କୋଟି ଟଙ୍କା ବ୍ୟୟ ଅଟକଳରେ ଅଧିକ ପର୍ଯ୍ୟଟନ ସୁବିଧା ସୁଯୋଗ ସୃଷ୍ଟି ନିମନ୍ତେ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହା ମଧ୍ୟରୁ କୁମାରୀ ଓ ଛୋଟକେଇରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ଅବଶିଷ୍ଟ ସ୍ଥାନଗୁଡ଼ିକରେ କାର୍ଯ୍ୟ ତ୍ୱରାନ୍ଵିତ କରି ଡିସେମ୍ବର ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉନ୍ନୟନ କମିସନର୍ ଆର୍ ବାଲକ୍ରିଷ୍ଣନ୍, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦିପ ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/eco-tourism.jpg)