ଭୁବନେଶ୍ବ: ୨୦୧୬-୧୭ ଆର୍ଥିକ ବର୍ଷରେ ପରିବେଶ ପର୍ଯ୍ୟଟନ(ଇକୋ ଟୁରିଜିମ୍) ଯୋଜନା ଆରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା ଜଙ୍ଗଲୀ ପରିବେଶ ସହ ପର୍ଯ୍ୟଟକଙ୍କୁ ଯୋଡ଼ିବା ଏବଂ ସ୍ଥାନୀୟ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା। ପ୍ରଥମେ ପ୍ରଥମେ ଏହାର ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗିରହିଥିଲା। ତେବେ ସୁଦୃଢ଼ ଭିତ୍ତିଭୂମି ସାଙ୍ଗକୁ ପର୍ଯ୍ୟଟକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ ଦ୍ବାରା ଏବେ ଏହା ବେଶ୍ ଆଦୃତ ହେବାରେ ଲାଗିଛି। ହାତଗଣତି ଇକୋ ଟୁରିଜିମ୍ ସ୍ଥଳକୁ ଛାଡ଼ି ଦେଲେ ଅଧିକାଂଶ ଏବେ ଲାଭଦାୟକ ସାବ୍ୟସ୍ତ ହୋଇଛି। ଯେଉଁ କେତେକ ସ୍ଥାନରେ ମ୍ୟାନେଜର ନିଯୁକ୍ତ ହୋଇଛନ୍ତି ସେଠାରେ ବର୍ଷକୁ ବର୍ଷ ଆୟ ବଢ଼ିବାରେ ଲାଗିଛି। ଲାଭଦାୟକ ସାବ୍ୟସ୍ତ ହେଉଥିବା ରାଜ୍ୟ ସରକାରଙ୍କ ଏହି ଯୋଜନାରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଯେଉଁଭଳି ବିକାଶ ହେବା କଥା ତାହା ହେଉ ନାହିଁ। ଆୟର ୧୦% ଇକୋ ଟୁରିଜିମ୍ ସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ ହେବାକୁ ଥିବା ବେଳେ ତାହା ହେଉ ନାହିଁ। ଠିକ୍ ସମୟରେ ଦରମା ମିଳୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଭିତ୍ତିଭୂମି ସୁଦୃଢ଼ ନ ଥିବାରୁ ପର୍ଯ୍ୟଟକ ଅସନ୍ତୁଷ୍ଟ
୧୧ ମ୍ୟାନେଜରରୁ ଛାଡ଼ି ପଳାଇଲେଣି ୪ଜଣ
୨୦୨୪-୨୫ରେ ଆସିଲେଣି ୧.୩୪ ଲକ୍ଷ ପର୍ଯ୍ୟଟକ
ନିୟମ ଅନୁଯାୟୀ ମୋଟ ଆୟର ୩୫% ଇକୋ ଟୁରିଜିମ୍ରେ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକଙ୍କ ଦରମା ବାବଦରେ ଖର୍ଚ୍ଚ ହେବ। ଏହା ବ୍ୟତୀତ ୨୫% ଅର୍ଥ ଖାଦ୍ୟପାନୀୟ ବାବଦରେ, ୧୦% ଲେଖାଏଁ ଭିତ୍ତିଭୂମି ବିକାଶ, ନିକଟସ୍ଥ ଗ୍ରାମର ବିକାଶ, କର୍ପସ୍ ପାଣ୍ଠି, ସରକାରୀ ଖାତାକୁ ଯିବ। ତେବେ ଇକୋ-ଟୁରିଜିମ୍ କଟେଜ୍ଗୁଡ଼ିକର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉ ନାହିଁ କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଆଖିଦୃଶିଆ କାର୍ଯ୍ୟ କରାଯାଉ ନଥିବା ଅଭିଯୋଗ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ୧୧ଟି ଇକୋ-ଟୁରିଜିମ୍ ସ୍ଥଳରେ ଚୁକ୍ତିଭିତ୍ତିକ ଭାବେ ୧୧ଜଣ ମ୍ୟାନେଜରଙ୍କୁ ନିଯୁକ୍ତ କରାଯାଇଥିଲା। ଦରମା ବୃଦ୍ଧି ନ ହେବା, ଅଧିକାରୀଙ୍କ ନିର୍ଯାତନା ଯୋଗୁଁ ୪ଜଣ ଇତିମଧ୍ୟରେ ଛାଡ଼ି ପଳାଇଲେଣି। ଏବେ ଆଉ ୭ଜଣ ରହିଛନ୍ତି। ଯେଉଁମାନେ କି ଇକୋ-ଟୁରିଜିମ୍ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏମାନେ ୭ରୁ ୮ ବର୍ଷ ଧରି ସଫଳତାର ସହ କାର୍ଯ୍ୟ କରିବା ପରେ ମଧ୍ୟ ଏବେ ସେମାନଙ୍କ ଯୋଗ୍ୟତା ନେଇ ବନ ବିଭାଗ ପ୍ରଶ୍ନ ଉଠାଇଛି। ସେମାନେ କିଭଳି ଭାବେ କାର୍ଯ୍ୟ କରୁଛନ୍ତି ତାହାର ରିପୋର୍ଟ ଦେବାକୁ ପିସିସିଏଫ୍(ବନ୍ୟପ୍ରାଣୀ) ୨୮ ତାରିଖରେ ଡିଏଫ୍ଓଙ୍କୁ କହିଛନ୍ତି। ହଠାତ୍ ଏଭଳି ଚିଠିକୁ ନେଇ ମ୍ୟାନେଜରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗୋଟିଏ ପଟେ ଇକୋ-ଟୁରିଜିମ୍ରୁ ବନ ବିଭାଗ ପ୍ରଚୁର ଅର୍ଥ ପାଉଥିବା ବେଳେ ଅନ୍ୟପଟେ ମ୍ୟାନେଜରମାନଙ୍କ ଦରମା ବୃଦ୍ଧି ଦିଗରେ ଆଦୌ ଗୁରୁତ୍ବ ଦିଆଯାଉ ନାହିଁ।
ଜଙ୍ଗଲ ବିଭାଗ ତଥ୍ୟ ଅନୁଯାୟୀ ପ୍ରଥମ ବର୍ଷରେ ୧୧ହଜାର ୫୦୦ ଜଣ ଇକେ ଟୁରିଜିମ୍ର ମଜା ଉଠାଇଥିଲେ। ଏହାର କଳେବର ବଢ଼ିବା ସହ ଏବେ ପରିବେଶ ପର୍ଯ୍ୟଟନସ୍ଥଳୀ ସଂଖ୍ୟା ୫୦ ଡେଇଁଗଲାଣି। ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ପ୍ରଥମ ବର୍ଷରେ ମାତ୍ର ୧ କୋଟି ୫୭ ଲକ୍ଷ ଟଙ୍କା ଆୟ ହୋଇଥିଲା, ଯାହାକି ୨୦୨୩-୨୪ ଆର୍ଥିକ ବର୍ଷରେ ୧୫ କୋଟି ୧୭ ଲକ୍ଷରେ ପହଞ୍ଚିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମଧ୍ୟ ଭଲ ରୋଜଗାର ହୋଇଛି। ୨୦୨୪ ଏପ୍ରିଲ ୧ରୁ ୨୦୨୫ ଜାନୁଆରି ୨୮ ମଧ୍ୟରେ ୧୫ କୋଟି ୧୮ ଲକ୍ଷ ୩୪ ହଜାର ଟଙ୍କା ଆୟ ହୋଇଛି, ଯାହାକି ୨୦୨୩-୨୪ ଆର୍ଥିକ ବର୍ଷର ଆୟଠାରୁ ଅଧିକ। ତେବେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ଏବେ ସୁଦ୍ଧା ଗତ ବର୍ଷ ତୁଳନାରେ କମ୍ ରହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୧ ଲକ୍ଷ ୫୧ ହଜାର ୫୧୭ଜଣ ପର୍ଯ୍ୟଟନ ଆସିଥିଲେ। ସେଥିମଧ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୧୦୪ ରହିଥିଲା। ଚଳିତ ଆର୍ଥିକ ବର୍ଷର ଏବେ ସୁଦ୍ଧା ଆସିଥିବା ୧ଲକ୍ଷ ୩୪ ହଜାର ୨୭୭ ପର୍ଯ୍ୟଟକଙ୍କ ମଧ୍ୟରେ ମାତ୍ର ୬୪ଜଣ ବିଦେଶୀ ପର୍ଯ୍ୟଟକ। ଇକୋ ଟୁରିଜିମ୍ ସ୍ଥଳରେ ରୁମ୍ ବ୍ୟବସ୍ଥା ସହ ଜଙ୍ଗଲ ସଫାରିକୁ ମିଶାଇ ମୋଟ ପର୍ଯ୍ୟଟକଙ୍କ ସଂଖ୍ୟା ହିସାବକୁ ନିଆଯାଇଛି। ଏବର୍ଷ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଜଙ୍ଗଲ ସଫାରିର ମଜା ଉଠାଇଥିବା ସୂଚନା ମିଳିଛି।