ମଞ୍ଚେଶ୍ବର ଶିଳ୍ପାଞ୍ଚଳରୁ ଜବତ ହେଲା ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଏଣ୍ଡେଭର କାର

ଭୁବନେଶ୍ବର: ଦୀର୍ସ୍ଥାଘ ଦିନ ଧରି ଗାଏବ ହୋଇଯାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାରକୁ ଇଡିର ଅଧିକାରୀମାନେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଶନିବାର ରାତିରେ  ଜବତ କରିଛନ୍ତି। ପରିତ୍ୟକ୍ତ ଅବସ୍ଥାରେ ଉକ୍ତ ନମ୍ବର ବିହୀନ କାର୍ ଗୋଟିଏ ସ୍ଥାନରେ ରଖାଯାଇଥିବା ପୁଲିସ ଦେଖିଥିଲା। । ଏଣ୍ଡେଭର କାର୍‌ର ଆଗ ଓ ପଛ ପଟେ ନମ୍ବର ପ୍ଲେଟ୍ ନଥିଲା। ଗାଡ଼ିଟି କାହାର ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲା। ଏହି କାର୍‌ଟି ଅର୍ଚ୍ଚନାଙ୍କ ହୋଇଥିବା ଅନୁମାନ କରାଯାଉଥିଲା। ଗତକାଲିଠାରୁ କେହି ଜଣେ ଗାଡିଟି ଆଣି ରଖିଥିବା ସନ୍ଦେହ କରାଯାଉଥିଲା।

ପୂର୍ବରୁ ଏଣ୍ଡେଭର କାର ସଂକ୍ରାନ୍ତରେ ପୁଲିସ ଓ ଇଡି ଖୋଳତାଡ କରୁଥିଲେ। କିନ୍ତୁ ହଠାତ କାର୍‌ଟି ଗାଏବ କରି ଦିଆଯାଇଥିଲା। ଏହି ଗାଡିକୁ ଇଡି ଓ ପୁଲିସ ଖୋଜିବାରେ ଲାଗିଥିଲେ। ଏହା ଏକ ବ୍ୟୟବହୁୂଳ କାର ହୋଇଥିବାବେଳେ ଯେଉଁମାନେ କାରଟି ଗାଏବ କରିଥିଲେ ସେମାନେ କାଳେ ଅଡୁଆରେ ପଡି‌ବେ ବୋଲି ସେଠାରେ ରଖି ଦେଇଥିବା ପୁଲିସ ଅନୁମାନ କରୁଛି। ବର୍ତ୍ତମାନ ଇଡି ହାତରେ ଅର୍ଚ୍ଚାନଙ୍କ ମାମଲାର ତଦନ୍ତ କରାଯାଉଥିବାରୁ ପୁଲିସ ଇଡିକୁ ଖବର ଦେଇଥିଲା।   ୩ ଇଡି ଅଧିକାରୀ ସେଠାରେ ପହଞ୍ଚି ତଦନ୍ତ କରିବା ପରେ ଗାଡିଟି ଅର୍ଚ୍ଚନାଙ୍କ ବୋଲି ଇଡି ସ୍ପଷ୍ଟ କରିଛି। ଚେସିସ୍‌ ନମ୍ବର ଓ ଇଞ୍ଜିନ ନମ୍ବର ମେଳ ଖାଉଛି ବୋଲି ଇଡି ଅଧିକାରୀମାନେ କହିଛନ୍ତି। ସେଠାରୁ ହାତଲେଖା କେତୋଟି କାଗଜ ମିଳିଛି। ଉକ୍ତ କାଗଜଗୁଡିକୁ ଜବତ କରଯାଇଛି। ଗାଡିଟି କେଉଁଠୁ ଆସିଲା, କିଏ ରଖିଲା ତାକୁ ନେଇ ଛାନଭିନ ଚାଲିଛି। ବର୍ତ୍ତମାନ ଗାଡିକୁ ଜବତ କରି ଇଡି କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଗାଡିକୁ ଅନଲକ କରାଯିବ ବୋଲି ଇଡି ଅଧିକାରୀମାନେ କହିଛନ୍ତି। ଗାଡି ଭିତରେ କ’ଣ ରହିଛି ତାହାକୁ ନେଇ ବି ସନ୍ଦେହ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର