ଅର୍ଚ୍ଚନା ମାମଲାରେ ପଶିଲା ଇଡି, ୪ ଜଣଙ୍କ ବିରୋଧରେ ମାମଲା

ହାତରେ ଲାଗିଛି ଏକାଧିକ ବ୍ୟାଙ୍କ ତଥ୍ୟ, ରାଜନୈତିକ ମହଲରେ ଛନକା

ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ମାମଲାର ପର୍ଦ୍ଦାଫାସ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ସହ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଇଡିର ୬ ଜଣିଆ ଟିମ୍‌ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଜବତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ୍‌କୁ ଯାଞ୍ଚ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଆର୍ଥିକ କାରବାର ଦିଗକୁ‌ ‌ନେଇ ଖୋଳତାଡ଼୍‌ ଆରମ୍ଭ ହୋଇଛି। ଅର୍ଚ୍ଚନା କିଭଳି କୋଟି କୋଟି ଟଙ୍କାର ରୋଜଗାର କଲେ, ସେମାନେ‌ କାହା କାହା ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଏବଂ ସେମାନଙ୍କ ଆକାଉଣ୍ଟକୁ କେଉଁମାନଙ୍କ ଆକାଉଣ୍ଟରୁ ଟଙ୍କା ଆସିଛି, ଏସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି। କେତେକ ଆକାଉଣ୍ଟର ତଥ୍ୟ ଇଡି ହାତରେ ଲାଗିଥିବା ବେଳେ ଅନ୍ୟ ବ୍ୟାଙ୍କଗୁଡ଼ିକୁ ଆକାଉଣ୍ଟର ସବିଶେଷ ତଥ୍ୟ‌ ଦେବାକୁ କୁହାଯାଇଛି। ସମସ୍ତ ଆକାଉଣ୍ଟ ତଥ୍ୟରୁ ଅନେକ ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ଅନୁମାନ କରାଯାଉଛି।

ddnews.gov.in

ଅନ୍ୟପଟେ ଇଡି ତଦନ୍ତ ଆରମ୍ଭ ହେବା ପରେ ବହୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମନରେ ଛନକା ପଶିଛି। ବିଶେଷକରି ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କ ସହ ବହୁ ରାଜନେତାଙ୍କ ଘନିଷ୍ଠ ସମ୍ପର୍କ ଥିବା ପ୍ରସଙ୍ଗ ଭାଇରାଲ୍‌ ହୋଇଥିବା ଅନେକ ଫଟୋରୁ ଜଣାପଡ଼ିଥିଲା। ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଥିବା ଅର୍ଚ୍ଚନାଙ୍କ ଆଲିସାନ ବଙ୍ଗଳାକୁ ବହୁ ବଡ଼ବଡ଼ିଆ ଯାଉଥିଲେ। ଏମିତିକି ବିଧାୟକ, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ଦ୍ଦେଶକମାନେ ସେଠାକୁ ଯାଉଥିବା ଚର୍ଚ୍ଚା ହୋଇଥିଲା। ସତ୍ୟବିହାର ବଙ୍ଗଳା ହିଁ ଅର୍ଚ୍ଚନାଙ୍କ କଳା କାରନାମାର କେନ୍ଦ୍ର ଥିଲା ବୋଲି ଅଭିଯୋଗ ହୋଇଥିଲା। ଏଠାରେ ହିଁ ସେ ବିଭିନ୍ନ ନଗ୍ନ ଭିଡିଓ କରି ପରେ ଟାର୍ଗେଟ୍‌ କରୁଥିବା ଲୋକଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ। ତେବେ ବିଭିନ୍ନ ରାଜନେତାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ଝଡ଼ ଏବେ ବି ଥମିନାହିଁ। ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ଏଥିପାଇଁ ରାଜ୍ୟ ସରକାରଙ୍କୁ ଘେରିବା ସହ ଇଡି ତଦନ୍ତ ପାଇଁ ଦାବି କରିଥିଲେ।

ସମ୍ବନ୍ଧିତ ଖବର