ଖଗେଶ୍ବରକୁ ଆଉ ୫ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିପାରେ ଇଡି

ଭୁବନେଶ୍ବର: ଅର୍ଚ୍ଚନା ନାଗ ମାମଲାରେ ଗିରଫ ହୋଇଥିବା ଖଗେଶ୍ବରକୁ ଇଡି ଆଉ ୫ ଦିନ ରିମାଣ୍ଡରେ ଆଣିବାକୁ ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳିଛି। ଗତକାଲି ଖଗେଶ୍ୱରର ରିମାଣ୍ଡ ଅବଧି  ସରିଥିବା ବେଳେ ଆଜି ତାକୁ କୋର୍ଟରେ ହାଜର କରିବ ଇଡି। ସେପଟେ ଆଜି ଇଡିରେ ହାଜର ହୋଇଛନ୍ତି ଗାଡ଼ି ସୋରୁମ୍ ମାଲିକ ଗଙ୍ଗାଧର ସାମଲ।

ସୂଚନାଯୋଗ୍ୟ, ଗତକାଲି ଇଡି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ହୋଟେଲ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ୭ଘଣ୍ଟା ଏବଂ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୯ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ପୁଣି ଅକ୍ଷୟଙ୍କୁ ଜେରା କରିଥିଲା। ଅକ୍ଷୟଙ୍କ ସମେତ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଆସିଥିବା ଖଗେଶ୍ବର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ମୁହାଁମୁହିଁ ଜେରା କରିଥିଲା।

ସକାଳ ପ୍ରାୟ ୭ଟା ୪୦ ମିନିଟ୍‌ ବେଳେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଅକ୍ଷୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମ୍‌ରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା। ଶ୍ରଦ୍ଧାଞ୍ଜଳିଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ଅର୍ଚ୍ଚନାଙ୍କ ସହ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ସବୁ ଦିଗ ଉପରେ ଇଡି ପଚରାଉଚରା କରିଥିଲା। ସେ କିଭଳି ଅର୍ଚ୍ଚନାଙ୍କ ସମ୍ପର୍କରେ ଆସିଲେ? କିଏ ତାଙ୍କୁ ଅର୍ଚ୍ଚନାଙ୍କ ସହ ମିଶାଇଥିଲା? ହନିଟ୍ରାପ୍‌ ପାଇଁ କିଏ ସହଯୋଗ କରିଥିଲେ? ଅକ୍ଷୟଙ୍କ ସହ ତାଙ୍କର କ’ଣ ସମ୍ପର୍କ? ଖଗେଶ୍ବର କିଭଳି ଅର୍ଚ୍ଚନାଙ୍କୁ ସହଯୋଗ କରୁଥିଲେ? ତାଙ୍କର ସେଠାରେ କ’ଣ ଭୂମିକା ଥିଲା? ସେହିପରି ଆଉ କେଉଁ ବଡ଼ବଡ଼ିଆ ତାଙ୍କ ସମ୍ପର୍କରେ ଆସିଥିଲେ? ଶ୍ରଦ୍ଧାଞ୍ଜଳିଙ୍କୁ ଏମିତି ପୁଳାପୁଳା ପ୍ରଶ୍ନ କରାଯାଇଥିଲା। ଏହା ଛଡ଼ା ତିନି ଜଣଙ୍କ ଆର୍ଥିକ କାରବାରକୁ ନେଇ ମଧ୍ୟ ଇଡି ଖୋଳତାଡ଼ କରିଥିଲା। ତିନି ଜଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଏଭଳି ମୁହାଁମୁହିଁ କରି ମାରାଥନ ଜେରା କରିଛି ଇଡି। ଇଡିର ପ୍ରଶ୍ନବାଣରେ ତିନିଜଣଯାକ ଥଳକୂଳ ପାଇନଥିଲେ। ଏମିତିକି ଶ୍ରଦ୍ଧାଞ୍ଜଳି କାନ୍ଦି ପକାଇଥିଲେ ଏବଂ ସବୁ ସତ ଓଗାଳି ପକାଇଥିଲେ। ତିନିଜଣଙ୍କଠାରୁ ଇଡି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି।

 

ସମ୍ବନ୍ଧିତ ଖବର