ପୁଣି ଅଡ଼ୁଆରେ ବିଧାୟକ ପ୍ରଦୀପ, ମନି ଲଣ୍ଡରିଂ ମାମଲାରେ ଇଡିର ଖୋଳତାଡ଼

ବ୍ରହ୍ମପୁର : ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ପୁଣି ବଢ଼ିବାରେ ଲାଗିଛି। ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜାମିନ୍‌ରେ ଆସିବାପରେ ଏବେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କର ଆର୍ଥିକ କାରବାର ଉପରେ ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ମନିଲଣ୍ଡରିଂ ମାମଲାରେ ବିଧାୟକ ପ୍ରଦୀପଙ୍କ ସମ୍ପୃକ୍ତି ସମ୍ପର୍କରେ ଇଡି ଖୋଳତାଡ଼ ଜାରି ରଖିଛି। ଏଥିପାଇଁ ଇଡି ବ୍ରହ୍ମପୁର ପୁଲିସକୁ ବିଧାୟକ ପ୍ରଦୀପଙ୍କ ସମେତ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ପୁରୁଣା ମାମଲାର ବିଭିନ୍ନ ତଥ୍ୟ ମାଗିଛି। ବିଧାୟକଙ୍କ ସମେତ ୩ଜଣଙ୍କ ନାମରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ରୁଜୁ ହୋଇଥିବା ମାମଲାର ସବିଶେଷ ତଥ୍ୟ ଇଡିକୁ ହସ୍ତାନ୍ତର କରାଯାଇଥିବା ବ୍ରହ୍ମପୁର ଏସ୍‌.ପି. ଡା. ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ସେ କହିଛନ୍ତି, ମନି ଲଣ୍ଡରିଂ ମାମଲାର ତଦନ୍ତ ପାଇଁ ଇଡି ବିଧାୟକ ପ୍ରଦୀପ ଓ ଅନ୍ୟମାନଙ୍କ ନାମରେ ରୁଜୁ ହୋଇଥିବା ମାମଲାର ଯାହା ତଥ୍ୟ ମାଗିଥିଲେ, ତାହା ଦାଖଲ କରାଯାଇଛି। ଇଡିର ତଦନ୍ତରେ ପୂର୍ଣ୍ଣ ସହଯୋଗ କରାଯାଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ କଟକ କ୍ରାଇମ୍‌ବ୍ରାଞ୍ଚର ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିଲା। ଚାକିରି ନାଁରେ ଲୋକଙ୍କଠାରୁ ଟଙ୍କା ଆଦାୟ ଓ ଠକିବା ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ୨୦୨୦ ଡିସେମ୍ବର ୩ତାରିଖରେ ବିଧାୟକ ପ୍ରଦୀପଙ୍କୁ ଗିରଫ କରିଥିଲା। ଏହାସହିତ ପାଠକ ବାପ-ପୁଅଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିଲା। ସେପଟେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ପ୍ରଦୀପ ଓ ଅନ୍ୟମାନଙ୍କ ନାମରେ ଚାକିରି ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା। ବୈଦ୍ୟନାଥପୁର ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ଗୋଳନ୍ଥରା ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା। ପରେ ବିଧାୟକ ପ୍ରଦୀପଙ୍କୁ ୨୦୨୧ ଜୁନ୍‌ ମାସରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍‌ ମିଳିଥିଲା।

ସମ୍ବନ୍ଧିତ ଖବର