କେନ୍ଦ୍ରାପଡ଼ା: ଶନିବାର ମଧ୍ୟାହ୍ନରେ ସାରଥି ବାବାଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦେଶାଳୟ ତରଫରୁ ବିଜ୍ଞପ୍ତି ଲଗାଯାଇଛି। ଏହି ବିଜ୍ଞପ୍ତିରେ ଆଶ୍ରମ ମାଲିକାନାରେ ଥିବା ସଂପତ୍ତିର ବିକ୍ରିଖରିଦ ଉପରେ ନିଷେଧାଦେଶ ଜାରି କରାଯାଇଛି।
ପ୍ରବର୍ତ୍ତନ ନିର୍ଦେଶାଳୟର ସହକାରୀ ନିର୍ଦେଶକ ବିଜୟ କୁମାର ମିଶ୍ର, ସହକାରୀ ପ୍ରବର୍ତ୍ତନ ଅଧିକାରୀ ରବି କୁମାର ଏବଂ ତାଙ୍କର ଜଣେ ସହଯୋଗୀ ଆଶ୍ରମ ଅନ୍ତର୍ଗତ ମନ୍ଦିର ପରିସର ମଧ୍ୟରେ ନୋଟିସ୍ ବୋର୍ଡ ଲଗାଇଛନ୍ତି।
ଆଶ୍ରମ ମାଲିକାନାରେ ଥିବା ପ୍ରାୟ ୩ ଏକର ୪୨ ଡେସିମିଲ୍ର ୨୬ଟି ପ୍ଲଟ୍କୁ କିଣାବିକା କରାଯାଇ ପାରିବ ନାହିଁ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।
ପ୍ରବର୍ତ୍ତନ ନିର୍ଦେଶାଳୟର ଅଧିକାରୀମାନେ ସେଠାରେ ଉପସ୍ଥିତ ଥିବା ସମୟରେ ସାରଥି ବାବାଙ୍କର କେତେକ ଅନୁଗାମୀ ଭଜନକୀର୍ତ୍ତନ ଆରମ୍ଭ କରିଥିଲେ।
ତେବେ ସାରଥିଙ୍କର ଆଶ୍ରମକୁ ଆସିବା ଉପରେ କଟକଣା ଜାରି କରାଯାଇଛି।