ଭୁବନେଶ୍ବର: ବହୁ ଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଣ୍ଡ ପୂରାଇଛି। ଆଜି ଇଡି ଅଧିକାରୀମାନେ କମିସନରେଟ୍‌ ପୁଲିସ ଓ ଆୟକର ବିଭାଗରୁ ଏହି ମାମଲାର ତଦନ୍ତ ସଂକ୍ରାନ୍ତୀୟ କିଛି ତଥ୍ୟ ନେଇଛନ୍ତି। ଇଡି ଅଧିକାରୀମାନେ ପୁଲିସଠାରୁ ସେମାନଙ୍କ ବିରୋଧରେ ହୋଇଥିବା ଏତଲା କପି ସଂଗ୍ରହ କରିଛନ୍ତି ଏବଂ ଆୟକର ବିଭାଗରୁ ସେମାନଙ୍କ ବ୍ୟାବସାୟିକ ହିସାବପତ୍ରର ନଥିପତ୍ର କପି ନେଇଛନ୍ତି। ତେଣୁ ଖୁବ୍‌ ଶୀଘ୍ର ଇଡି ପକ୍ଷରୁ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି। ସେମାନଙ୍କ କଳାଧନ ଉପରେ ଇଡି ଛାନ୍‌ଭିନ୍‌ କରିବା ଆଭାସ ମିଳିବା ପରେ କିଛି ରାଜନେତା ଓ ବଡ଼ବଡ଼ ବ୍ୟବସାୟୀଙ୍କ ଭିତରେ ଛନକା ପଶିବା ଜଣାପଡ଼ିଛି। ବଡ଼ କଥା ହେଉଛି ଏହି ମାମଲାରେ କମିସନରେଟ୍‌ ପୁଲିସ ତଦନ୍ତ କେତେ ଦୂର ଯାଇଛି ଏବଂ କି କି ତଥ୍ୟ ମିଳିଛି, ସେସବୁର ରିପୋର୍ଟ ମାଗିଛନ୍ତି ରାଜ୍ୟ ସରକାର।    

ଆୟକର ବିଭାଗ ସ୍କାନର୍‌ରେ ନେତା, ମଦବେପାରୀ ଓ ସୁନା ବ୍ୟବସାୟୀ

Advertisment

ଆୟକର ବିଭାଗ ଯାଞ୍ଚରୁ ଏହି ଧୂର୍ତ୍ତ ଯୋଡ଼ିଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ବୋଲି କୁହାଯାଉଛି। ହଂସିତା-ଅନୀଲ ଯୋଡ଼ିଙ୍କ ପରିଚାଳିତ ୪ କମ୍ପାନି ସହ ୪ଜଣ ରାଜନେତାଙ୍କ ସମ୍ପର୍କ ଥିବା 
ସୂଚନା ଆୟକର ବିଭାଗ ହାତରେ ଲାଗିଛି। ସେହିଭଳି କିଛି ପ୍ରତିଷ୍ଠିତ ମଦ ବ୍ୟବସାୟୀ ଓ ସୁନା ବ୍ୟବସାୟୀଙ୍କ ଲିଙ୍କ୍‌ ନେଇ ସୁରାକ ପାଇଛି ଆୟକର ବିଭାଗ। ସେମାନଙ୍କ ଆକାଉଣ୍ଟରୁ ହୋଇଥିବା ବେନାମୀ ଦେଣନେଣରୁ ଆୟକର ବିଭାଗକୁ ଏହି ସୂଚନା ମିଳିଥିବା ଜଣାପଡ଼ିଛି। ଏହାବାଦ୍‌ ସିଏସ୍‌ଆର୍‌ ଫଣ୍ଡ୍‌ କାରବାରରୁ ମଧ୍ୟ ଏଭଳି ରୋଚକ ତଥ୍ୟ ମିଳିଥିବା କୁହାଯାଉଛି। ତିନି ବର୍ଷରେ ଏହି ଠକ ଯୋଡ଼ି ପାଖାପାଖି ୧୨୦ କୋଟି ଟଙ୍କାର ଟ୍ରାଞ୍ଜାକ୍‌ସନ୍‌ କରିଥିବା ତଦନ୍ତରୁ ଜଣାପଡ଼ିଛି। ବିସ୍ମୟର କଥା ହେଉଛି, ଏହି ଟ୍ରାଞ୍ଜାକ୍‌ସନ୍‌ରୁ ୬୦ କୋଟି ଟଙ୍କାର ହିସାବ ପାଉନି ଆୟକର ବିଭାଗ।

ଏହି ଟଙ୍କାର ଆୟକର ଫାଙ୍କିବାକୁ ବେନାମୀ ଦେଣନେଣ ହୋଇଥିବା ସନ୍ଦେହ କରାଯାଉଛି। ଏହି ବେନାମୀ ଆକାଉଣ୍ଟ ଅସଲରେ ବେନାମୀ ନୁହେଁ। ଏସବୁ ରାଜନେତା, ମଦ ବେପାରୀ ଓ ସୁନା ବ୍ୟବସାୟୀଙ୍କର ବୋଲି ସନ୍ଦେହ ଉପୁଜିଛି। ତେଣୁ ଏହି ତଥ୍ୟର ପର୍ଦ୍ଦାଫାସ୍‌ କରିବାକୁ ଆୟକର ବିଭାଗ ଓ ଇଡି ଲାଗିପଡ଼ିଲେଣି ବୋଲି ସୂଚନା ମିଳିଛି। ଏହି ଗୁପ୍ତ ପଞ୍ଜିକା ଖୋଲିଲେ, ହଂସିତା-ଅନୀଲଙ୍କ କଳା ସାମ୍ରାଜ୍ୟର ବହୁ ବଡ଼ ଗୁମର ଲୋକଲୋଚନକୁ ଆସିବ। ସିଏସ୍‌ଆର୍‌, ଖଣି ପାଇଁ ଜମି ଅଧିଗ୍ରହଣରେ ମଧ୍ୟସ୍ଥତା ଭଳି କାରବାରରୁ ମିଳିଥିବା ପ୍ରଚୁର ଅର୍ଥକୁ ସେମାନେ ମଦବେପାରୀ ଓ ସୁନା ବ୍ୟବସାୟୀଙ୍କୁ ଦେଇଥିବା ଅନୁମାନ କରାଯାଉଛି। ଖୁବ୍‌ ଶୀଘ୍ର ଏହା ଉପରୁ ପର୍ଦ୍ଦା ହଟିବ ବୋଲି ଜଣେ ଆୟକର ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ ତିନିଟି ଦାମୀ କାର୍‌(ପୋର୍ସେ, ଜାଗୁଆର୍‌ ଓ ମର୍ସିଡିଜ୍‌)କୁ ନିଜ ଅକ୍ତିଆର୍‌କୁ ଆଣିଛି। ଜବତ ଗାଡ଼ିଗୁଡ଼ିକ ପୁଲିସ ସେବାଭବନରେ ରଖାଯାଇଛି। ଏଗୁଡ଼ିକର ବିକ୍ରି ଉପରେ ରୋକ୍‌ ଲଗାଇବାକୁ ଆୟକର ବିଭାଗ ପକ୍ଷରୁ ଭୁବନେଶ୍ବର ଆର୍‌ଟିଓଙ୍କୁ ଚିଠି କରାଯାଇଛି।