୪ ମାସରେ ଅଢ଼େଇ କୋଟି ଜମାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚଠାରୁ ଦସ୍ତାବିଜ୍ ନେଲା ଇଡି, ବଢ଼ୁଛି ପ୍ରଦୀପଙ୍କ ଅଡ଼ୁଆ

ଭୁବନେଶ୍ବର : ଠକେଇ ଓ ଜାଲିଆତି କା‌ରବ‌ା‌ରରେ ସଂପୃକ୍ତି ମାମଲାରେ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆର୍ଥିକ କାରବାରର ତଦନ୍ତ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିବ ବୋଲି ସୂଚନା ମିଳିଥିଲା। ରାଜ୍ୟ କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତରେ ଇଡିକୁ ଚିଠି ଲେଖିବା ପରେ ଇଡି ପକ୍ଷରୁ ତଦନ୍ତ ଲାଗି ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚ ଠାରୁ ତଥ୍ୟ ଓ ଦସ୍ତାବିଜ ନେଇଛି ଇଡି | ଗତ ୪ ମାସ ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଅଢ଼େଇ କୋଟି ଟଙ୍କା ଆସିଛି। ଏହାକୁ କିଏ ଦେଇଛନ୍ତି ଓ କାହିଁକି ଦେଇଛନ୍ତି ସେ ନେଇ ତଦନ୍ତ କରିବ ଇଡି।

ଗତକାଲି ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ | ଟାଟା ମୋଟର୍ସରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଆକାଶ ପାଠକ ସହ ମିଶି ସେ ଠକେଇ କରିଥିବା ଅଭିଯୋଗ ହୋଇଥିଲା | ଗତକାଲି ଗିରଫ କରାଯିବା ପରେ ତାଙ୍କୁ ଭୁବନେଶ୍ବର ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ତାଙ୍କର ଜାମିନ ନାମାଞ୍ଜୁର ହେବା ପରେ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ବର୍ତ୍ତମାନ  ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ।

ସମ୍ବନ୍ଧିତ ଖବର