ପ୍ରଭାତଙ୍କ ୨୫ ଲକ୍ଷ ଜବତ କଲା ଇଡି

ମିଡିଆ ଗୁରୁର ୩ କୋଟି ୯୨ ଲକ୍ଷର ସମ୍ପତ୍ତି ମଧ୍ୟ ଜବତ

ଭୁବନେଶ୍ବର/କଟକ : ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କର ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମାକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। କଟକ ନୂଆବଜାର ପୋତାପୋଖରୀ ଷ୍ଟେଟ୍ ବ୍ୟାଙ୍କ ଶାଖାରେ ପ୍ରଭାତଙ୍କ ନାମରେ ଜମା ଥିବା ଏହି ଟଙ୍କାକୁ ଇଡି ଜବତ କରିଛି। ଚିଟ୍‌ଫଣ୍ଡ ସଂସ୍ଥା ସିସୋର୍ କଂପାନିଠାରୁ ଏହି ଟଙ୍କା ପ୍ରଭାତ ଓ ତାଙ୍କ ପରିବାର ଲୋକଙ୍କ ପାଖକୁ ଯାଇଥିଲା ବୋଲି ଇଡି ଦର୍ଶାଇଛି। ସେହିଭଳି ଉତ୍ତରପ୍ରଦେଶ ନୋଏଡ଼ା ଗୌତମନଗରରେ ଥିବା ମିଡିଆ ଗୁରୁ କନ୍‌ସଲ୍‌ଟାଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌କୁ ଏସ୍‌ଟିଭି ସମାଚାର ନ୍ୟୁଜ୍ ଚ୍ୟାନେଲ୍ ସେଟ୍ ଅପ୍ ପାଇଁ ପ୍ରାୟ ୪କୋଟି ଟଙ୍କା ଦେଇଥିଲା ସିସୋର୍। ତେଣୁ ମିଡିଆ ଗୁରୁ କନ୍‌ସଲଟାଣ୍ଟ୍‌ସର ପ୍ରାୟ ୩ କୋଟି ୯୨ଲକ୍ଷ ୨୦ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମଧ୍ୟ ଇଡି ଜବତ କରିଛି।

ଗତକାଲି ଏ ସଂକ୍ରାନ୍ତରେ ଇଡି ପକ୍ଷରୁ ପ୍ରଭାତଙ୍କୁ ଚିଠି କରାଯାଇଥିବା ବେଳେ ଆଜି ପ୍ରେସ୍ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରାଯାଇଛି। ଇଡି ଉଲ୍ଲେଖ କରିଛି ଯେ ଲୋକଙ୍କ ଟଙ୍କା ତୋଷରପାତ କରିଥିବା ଏହି ସଂସ୍ଥାଗୁଡ଼ିକ ଆର୍‌ବିଆଇର ଏନ୍‌ବିଏଫ୍‌ସିରେ ଅଣପଞ୍ଜୀକୃତ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ ଅଫ ଇଣ୍ଡିଆ ଦ୍ବାରା ଅନୁବନ୍ଧିତ ନୁହେଁ। ତେଣୁ ଲୋକଙ୍କଠାରୁ ଟଙ୍କା ଆଦାୟ କରିବାକୁ ସିସୋର୍‌କୁ ଅନୁମତି ନଥିଲା। ବେଆଇନ ଭାବେ ଏହି ଟଙ୍କା ଆଦାୟ କରାଯାଇଥିଲା। ତେଣୁ ଚିଟ୍‌ଫଣ୍ଡ ସଂସ୍ଥା ସିସୋର୍ ବିରୋଧରେ ଅଭିଯୋଗ ଆସିବା ପରେ ପ୍ରଥମେ ଇଓଡବ୍ଲୁରେ ମାମଲା ରୁଜୁ ହୋଇଥିଲା ଏବଂ ପରେ ସିବିଆଇ ମାମଲାର ତଦନ୍ତ କରି ଚାର୍ଜସିଟ୍ ଫାଇଲ୍ କରିଥିଲା।

ପୂର୍ବରୁ ସିସୋର୍ ସଂସ୍ଥା ସହିତ ଟଙ୍କା‌ ଦେଣନେଣ କାରବାରକୁ ନେଇ ୨୦୧୪ରୁ ପ୍ରଭାତଙ୍କ ନାମରେ ଅଭିଯୋଗ ଆସିବା ପରେ ସିବିଆଇ ଘଟଣାର ତଦନ୍ତ କରିଥିଲା। ପ୍ରଭାତଙ୍କୁ ସିବିଆଇ ଗିରଫ ମଧ୍ୟ କରିଥିଲା।

ପରେ ପ୍ରଭାତ ହାଇକୋର୍ଟରୁ ଜାମିନ୍ ପାଇଥିଲେ। ଆଜି ବ୍ୟାଙ୍କ ଜମା ଜବତ ସଂପର୍କରେ ପ୍ରଭାତ କହିଛନ୍ତି ଯେ ସେହି ପୁରୁଣା ଘଟଣାରେ ଇଡି ଏବେ ଏଭଳି ପଦକ୍ଷେପ ନେଇଛି। କଟକରେ ତାଙ୍କ ଯେଉଁ ଘର ଅଛି, ତାହାର ମୂଲ୍ୟ କୋଟିଏ ୧୫ ଲକ୍ଷ ଟଙ୍କା। ସେହି ସଂପତ୍ତିକୁ ବନ୍ଧକ ରଖି ଘର ପୁନଃନିର୍ମାଣ ପାଇଁ ବ୍ୟାଙ୍କରୁ ସେ ଟଙ୍କା ଋଣ ଆଣିଥିଲେ। ସେହି ଟଙ୍କାରୁ ଏବେ ୨୫ ଲକ୍ଷ ଇଡି ଜବତ ଦର୍ଶାଇଛି। ଏହି ସଂପତ୍ତି ବାହାରେ ତାଙ୍କ ନାମରେ ଆଉ କୌଣସି ସ୍ଥାନରେ କିଛି ବି ସଂପତ୍ତି ନାହିଁ। ବିଧାୟକ ହେବା ପୂର୍ବରୁ ଯେଉଁ ସଂପତ୍ତି ସବୁ ତାଙ୍କ ନାମରେ ଥିଲା, ବିଧାୟକ ହେବା ପରେ ସେ ସେଥିରୁ ୯ଟି ସଂପତ୍ତି ବିକି ସାରିଛନ୍ତି। ଦଶମ ଥରରେ ଏହି ଜମି ବିକ୍ରି କରିବାକୁ ଯିବା ବେଳେ ଏଭଳି ଫସିଛନ୍ତି। ତାଙ୍କର ଆଇନ ଅଦାଲତ ଉପରେ ସଂପୂର୍ଣ୍ଣ ଭରସା ରହିଛି। ହାଇକୋର୍ଟ ବି ତାଙ୍କୁ ପୂର୍ବରୁ ଏ‌ କ୍ଷେତ୍ରରେ ନ୍ୟାୟ ଦେଇଛନ୍ତି। ତେଣୁ ତାଙ୍କର ସ୍ବଚ୍ଛତା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ବୋଲି ପ୍ରଭାତ କହିଛନ୍ତି। ନୋଏଡାର ଯେଉଁ ସଂସ୍ଥା ନାମ ନେଇ ଆଜି ଆଲୋଚନା ହେଉଛି, ‌ସେ ବିଷୟରେ ସେ କିଛି ଜାଣନ୍ତି ନାହିଁ କି, ସେ ସଂପର୍କରେ ତାଙ୍କର କୌଣସି ଧାରଣା ନାହିଁ ବୋଲି ପ୍ରଭାତ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର