ପ୍ରଶାସକ ଦମ୍ପତିଙ୍କର ୩.୯୪ କୋଟି ସମ୍ପତ୍ତି ଜବତ କଲା ଇଡି

ପତ୍ନୀ ଥିଲେ ଓପେପାର ଅର୍ଥ ପରାମର୍ଶଦାତା, ସ୍ବାମୀ ଥିଲେ ଛତ୍ରପୁର ତହସିଲଦାର

ଭୁବନେଶ୍ବର : ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିବା ପ୍ରଶାସକ ଦମ୍ପତିଙ୍କର ୩.୯୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କଳାଧନ ନିରୋଧ ଆଇନ(ପିଏମଏଲଏ)-୨୦୦୨ ଅନୁସାରେ ଏହି ସମ୍ପତ୍ତି ଜବତ କରାଯାଇଥିବା ଇଡି ପକ୍ଷରୁ ବିବୃତ୍ତି ମାଧ୍ୟମରେ କୁହାଯାଇଛି। ଦମ୍ପତି ହେଲେ, ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ(ଓପେପା)ର ତତ୍କାଳୀନ ଅର୍ଥ ପରାମର୍ଶଦାତା ତଥା ଓଏଫଏସ୍ ଅଫିସର୍‌ ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ତତ୍କାଳୀନ ଛତ୍ରପୁର ତହସିଲଦାର ତଥା ଓଏଏସ୍ ଅଫିସର ବିଜୟ କେତନ ସାହୁ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୧୮ ଅଗଷ୍ଟ ୩୦ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଦମ୍ପତି। କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ଏକାଧିକ ସ୍ଥାନ‌ରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଜୟଦେବ ବିହାରସ୍ଥିତ ଉତ୍କଳ ଭିଲ୍ଲାରେ ଥିବା ଫ୍ଲାଟ୍‌ର ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଥିଲା। ସେହିପରି ଆସବାବପତ୍ର ଓ ଇଣ୍ଟରିଅର୍‌ ଡେକୋରେସନ୍ ବାବଦରେ ୧ କୋଟି ୩୪ ଲକ୍ଷ ଟଙ୍କା, ପୁରୀରେ ଏକ ଫ୍ଲାଟ୍‌ର ମୂଲ୍ୟ ୨୧.୪ଲକ୍ଷ ଟଙ୍କା, ଭୁବନେଶ୍ବରରେ ୩ ମହଲା କୋଠାର ମୂଲ୍ୟ ୪୯.୬ଲକ୍ଷ ଟଙ୍କା, ଭୁବନେଶ୍ବର ଓ ଜଟଣୀରେ ୫୮ଲକ୍ଷ ଟଙ୍କାର ୬ ଜମି, ୨୨ ଲକ୍ଷ ଟଙ୍କା ମୂଲ୍ୟର ବ୍ୟାଙ୍କ ଜମା, ୪୬ଲକ୍ଷ ଟଙ୍କାର ଗୃହୋପକରଣ, ୪୦ଲକ୍ଷ ଟଙ୍କାର ସୁନା, ଗହଣା ଠାବ କରାଯାଇଥିଲା। ମୋଟ ସମ୍ପତ୍ତିର ମୂଲ୍ୟ ୬କୋଟି ୮୭ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ବିପୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ସେହିପରି ନଳିନୀଙ୍କ ମା’ ଦେବକୀଙ୍କ ନାଁରେ ମଧ୍ୟ କିଛି ସମ୍ପତ୍ତି ରହିଥିଲା। ଏହି ଘଟଣାର କିଛି ଦିନ ପରେ ଦେବକୀ ଆପାର୍ଟମେଣ୍ଟ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର