ଇଡି ପଞ୍ଝାରେ ସମ୍ବଲପୁରର ଭୂଷଣ ପାୱାର୍ ଏଣ୍ଡ ଷ୍ଟିଲ୍‌ : ୪୦୨୫ କୋଟିର ସମ୍ପତ୍ତି ବାଜ୍ୟାପ୍ତ

ଜାଲ୍‌ ଦସ୍ତାବିଜ‌ ଦେଇ ବ୍ୟାଙ୍କରୁ ଋଣ ଆଣିଥିଲେ ପୂର୍ବ ମାଲିକ
ବିପିଏସ୍‌ଏଲ୍‌ର ଦେବାଳିଆ ଘୋଷଣା ପ୍ରକ୍ରିୟାକୁ ଧକ୍କା
ବିବାଦମୁକ୍ତ ସଂପତ୍ତି ଘୋଷଣା କରିବାକୁ ଜେଏସ୍‌ଡବ୍ଲୁର ଆବେଦନ

ସମ୍ବଲପୁର : ସମ୍ବଲପୁର ଠେଲକୁଲିସ୍ଥିତ ଭୂଷଣ ପାୱାର ଆଣ୍ଡ ଷ୍ଟିଲ୍‌ ଲିମିଟେଡ୍ (ବିପିଏସ୍‌ଏଲ୍‌)ର ୪୦୨୫ କୋଟି ଟଙ୍କାର ସ୍ଥାବର ସମ୍ପତ୍ତିକୁ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବାଜ୍ୟାପ୍ତ କରିଛି। ଏହି ସଂପତ୍ତିରେ ଠେଲକୁଲିସ୍ଥିତ କାରଖାନାର ଜମି, କୋଠା, ଯନ୍ତ୍ରପାତି ଆଦି ରହିଛି। ପିଏମ୍‌ଏଲ୍‌ଏ (ପ୍ରିଭେନ୍‌ସନ ଅଫ୍‌ ମନି ଲାଣ୍ଡରିଂ ଆକ୍ଟ) କୋର୍ଟର ଆଦେଶ ପରେ ନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ଫଳରେ ଭୂଷଣ କମ୍ପାନିକୁ ଦେବାଳିଆ ଘୋଷଣା କରିବା ପ୍ରକ୍ରିୟାକୁ ବଡ଼ ଧରଣର ଧକ୍କା ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କର ଅଭିଯୋଗ କ୍ରମେ ଅଦାଲତ ଏହି ଆଦେଶ ଦେଇଛନ୍ତି। ଭୂଷଣର ପୂର୍ବତନ ପ୍ରମୋଟର ସିଂଘଲ ପରିବାର ବ୍ୟାଙ୍କରେ ଜାଲ୍‌ କାଗଜପତ୍ର ଦେଇ ୫୫୦୦ କୋଟି ଟଙ୍କାର ଋଣ ଉଠାଇଥିବା ଏହି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଦ୍ବୟ ଅଭିଯୋଗ କରିଥିଲେ। ଏହି ମାମଲାରେ ସିବିଆଇ ଭୂଷଣର ପୂର୍ବତନ ସିଏମ୍‌ଡି ସଂଜୟ ସିଂଘଲ ଏବଂ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଥିଲା। ଯଦି ଭୂଷଣର ସଂପତ୍ତିକୁ ବାଜ୍ୟାପ୍ତ (ଆଟାଚ୍‌) କରାଯାଇ ନ ଥାନ୍ତା ତାହେଲେ ତାକୁ ଏକ ବୈଧ ତୃତୀୟ ପକ୍ଷକୁ ହସ୍ତାନ୍ତର କରାଯିବାର ଆଶଂକା ରହିଥିଲା। ଯାହାକି ଭବିଷ୍ୟତର ନ୍ୟାୟିକ ପ୍ରକ୍ରିୟାରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଆନ୍ତା। ତେଣୁ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ପିଏମ୍‌ଏଲ୍‌ଏ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେଣୁ ଏହି ସଂପତ୍ତିକୁ ୧୮୦ ଦିନ ବା କୋର୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଟାଚ୍‌ କରାଯାଇଛି। ଏହି ସମୟ ମଧ୍ୟରେ ଏହି ସଂପତ୍ତିକୁ କାହାରିକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ବିପିଏସ୍‌ଏଲ୍‌କୁ ଦେବାଳିଆ ଘୋଷଣା କରାଯିବା ପ୍ରକ୍ରିୟା ଏବେ ଜାରି ରହିଛି। ଏହାର ନିଲାମ ଶେଷ ହୋଇଥିଲାବେଳେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ସର୍ବୋଚ୍ଚ ବିଡର୍‌ ଭାବେ ୧୯,୫୦୦ କୋଟି ଟଙ୍କାରେ ଏହାକୁ କିଣିବାକୁ ଯୋଗ୍ୟ ବିବେଚିତ ହୋଇଛି। ବିପିଏଲ୍‌ଏଲ୍‌ କମ୍ପାନି ମୁଣ୍ଡରେ ମୋଟ ୪୮ ହଜାର କୋଟି ଟଙ୍କା ଋଣ ରହିଛି। ଅପର ପକ୍ଷରେ ଭୂଷଣକୁ କିଣିବାକୁ ଯାଉଥିବା ଜେଏସ୍‌ଡବ୍ଲୁ ଏହାକୁ ଆଇନଗତ ବିବାଦମୁକ୍ତ ସମ୍ପତ୍ତି ଘୋଷଣା କରିବାକୁ ନ୍ୟାସନାଲ କମ୍ପାନିଜ୍ ଲ’ ଟ୍ରିବୁନାଲ୍‌ (ଏନ୍‌ସିଏଲ୍‌ଏଟି)ରେ ଆବେଦନ କରିଛି ଯାହାର ଶୁଣାଣି ଆସନ୍ତା ୧୪ ତାରିଖ ସୋମବାର ଦିନ ଧାର୍ଯ୍ୟ ହୋଇଛି। ତେବେ ଏ ସବୁ ଆଇନ୍‌ଗତ ପ୍ରକ୍ରିୟା ଭିତରେ ବି କାରଖାନାର ସ୍ବାଭାବିକ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହୋଇ ନାହିଁ ବା ଆଗକୁ ହେବାର ଆଶଂକା ମଧ୍ୟ ନାହିଁ ବୋଲି କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର