ଅସହ୍ୟ ହେଲାଣି ଖାଇବା ତେଲ ଦର ବୃଦ୍ଧି; ସୋରିଷ ତେଲକୁ ଟପିଲା ସନ୍‌ଫ୍ଲାୱାର୍‌ ତେଲ

ଭୁବନେଶ୍ବର : ପେଟ୍ରୋଲ, ଡିଜେଲ୍‌ ଓ ଗ୍ୟାସ୍‌ ଦର ବୃଦ୍ଧି ସାଙ୍ଗକୁ ଖାଇବା ତେଲ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ କଲବଲ କଲାଣି। ଦିନକୁ ଦିନ ଖାଇବା ‌ତେଲ ଦର ବୃଦ୍ଧି ସାଧାରଣ ଖାଉଟିଙ୍କୁ ବହୁ ମାତ୍ରାରେ ପ୍ରଭାବିତ କଲାଣି। ଏବେ ସୋରିଷ ତେଲ ଦରକୁ ଟପିଗଲାଣି ସନ୍‌ଫ୍ଲାୱାର ଅଏଲ୍‌। ବଜାରରେ ସୋରିଷ ତେଲ ଦର ଲିଟର ପିଛା ୧୬୦ ଟଙ୍କା ଥିବାବେଳେ ସନ୍‌ଫ୍ଲାୱାର ତେଲ ୧୬୫ ଟଙ୍କାରେ ପହଞ୍ଚି ସାରିଛି। ଖୁବ୍‌ ଶୀଘ୍ର ତେଲର ଦର ୧୮୦ ଟଙ୍କା ଛୁଇଁବ ବୋଲି ଆଶଙ୍କା ଦେଖାଦେଲାଣି। ସେହିଭଳି ଅତି ଗରିବଙ୍କ ଦ୍ବାରା ବ୍ୟବହାର ହେଉଥିବା ପାମୋଲିନ୍‌ ଅଏଲ୍‌ ଦର ମଧ୍ୟ ୧୩୦ ଟଙ୍କାରେ ପହଞ୍ଚି ସାରିଛି। ତେଣୁ ପରିସ୍ଥିତି ଏମିତି ହେଲାଣି ଯେ ଏବେ ଗାଁ ଗହଳିରେ ଲୋକେ ଖାଇବା ତେଲ ବ୍ୟବହାର କମ୍‌ କରିବା ପାଇଁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଲାଣି। ବହୁ ଲୋକେ ଏବେ ବିନା ତେଲରେ ଚଳିବା ପାଇଁ ଆଳୁ ବାଇଗଣ ଭଳି ପରିବା ପୋଡ଼ାପୋଡ଼ି କରି କାମ ଚଳାଉଥିବା ଦେଖିବାକୁ ମିଳିଲାଣି।

ପାଇକାରୀ ବଜାରରୁ ମିଳିଥିବା ଖବର ଅନୁସାରେ ଏବେ ଭଲ ବ୍ରାଣ୍ଡର ସୋରିଷ ତେଲ ଲିଟର ପିଛା ୧୫୦ ଟଙ୍କାରୁ ୧୬୦ ଟଙ୍କା ପଡ଼ୁଛି। ସେହିଭଳି ଭଲ ବ୍ରାଣ୍ଡର ସନ୍‌ଫ୍ଲାୱାର୍‌ ତେଲ ଲିଟର ପିଛା ୧୫୫ ଟଙ୍କାରୁ ୧୬୦ ଟଙ୍କା ରହିଛି। ଡବଲ୍ ହରିଣ ସୋରିଷ ତେଲ ଲିଟର ୧୫୦ ଟଙ୍କା ଥିବାବେ‌ଳେ ଇଞ୍ଜିନ୍‌ ବ୍ରାଣ୍ଡ ସୋରିଷ ତେଲ ଲିଟର ୧୬୦ ଟଙ୍କା ରହିଛି। ତେବେ ଗତ କିଛି ଦିନ ହେଲା ସୋରିଷ ତେଲ ଠାରୁ କମ୍ ଦରରେ ବିକ୍ରି ହେଉଥିବା ସନ୍‌ଫ୍ଲାୱାର୍ ଅଏଲ୍‌ ଏବେ ବଢ଼ି ବଢ଼ି ସୋରିଷ ତେଲ ଦରକୁ ଟପି ଯାଇଛି। ଫ୍ରିଡମ୍‌ ଓ ଫର୍ଚୁନ୍‌ ଭଳି ବ୍ରାଣ୍ଡର ସନ୍‌ଫ୍ଲାୱର ତେଲ ଲିଟର ୧୬୦/୧୬୨ ଟଙ୍କା ହୋଇଗଲାଣି। ତେଣୁ ଖୁଚୁରା ବଜାରରେ ଏହି ତେଲ ଲିଟର ପିଛା ୧୬୫ ଓ ୧୬୮ ଟଙ୍କା ପଡ଼ୁଛି। ସେହିଭଳି ଗତ କିଛି ଦିନ ଭିତରେ ପାମୋଲିନ୍‌ ତେଲ ଦର ମଧ୍ୟ ଅସହ୍ୟ ହୋଇପଡ଼ିଲାଣି। ଏବେ ପାଇକାରୀ ବଜାରରେ ଏହି ତେଲ ଦର ଲିଟର ପିଛା ୧୨୦ ଟଙ୍କାରୁ ୧୩୦ ଟଙ୍କା ରହିଛି। ତେଣୁ ଖୁଚୁରା ବଜାରରେ ଏହା ୧୩୫ ଟଙ୍କା ପାଖାପାଖି ଦରରେ ବିକ୍ରି ହେଉଛି। ଫଳରେ ଏହି ତେଲ ଉପରେ ନିର୍ଭର କରୁଥିବା ଗରିବ ଲୋକମାନେ ହନ୍ତସନ୍ତ ହେଉଛନ୍ତି।

ଦର ବୃଦ୍ଧିକୁ ନେଇ ବ୍ୟବସାୟୀମାନଙ୍କ କହିବା କଥା ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍‌ ଉପରୁ କଟକଣା ହଟାଇବା ଦ୍ବାରା ଏଭଳି ସ୍ଥିତି ଉପୁଜିଛି। ସରକାରଙ୍କ ଟିକସ ବ୍ୟବସ୍ଥା ମଧ୍ୟ ଏଥିପାଇଁ ଦାୟୀ ବୋଲି ସେମାନେ କହିଛନ୍ତି। ସରକାର ବାରମ୍ବାର ଜିଏସ୍‌ଟି ପରିବର୍ତ୍ତନ କରୁଥିବାରୁ ଏହାର ପ୍ରଭାବ ଦରବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି। ତେବେ ବଡ଼ କଥା ହେଉଛି ତେଲ ଆମଦାନୀ ସ୍ଥିତି। ଭାରତରେ ବାର୍ଷିକ ଏକ ଲକ୍ଷ ୩୦ ହଜାର ଟନ୍‌ ଖାଇବା ତେଲର ଆବଶ୍ୟକତା ଥିବାବେଳେ ଦେଶରେ ମାତ୍ର ଉତ୍ପାଦନ ହେଉଛି ୬୦ ଲକ୍ଷ ଟନ୍‌ରୁ କମ୍। ତେଣୁ ପ୍ରାୟ ୭୦ ଶତକଡ଼ା ଖାଇବା ତେଲ ବିଦେଶରୁ ରପ୍ତାନୀ କରାଯାଉଛି। ଏହା କର୍ପୋରେଟ୍‌ ବ୍ୟବସାୟୀଙ୍କ ପାଇଁ ମଉକା ବୋଲି କିଛି ପାଇକାରୀ ବ୍ୟବସାୟୀ ମତ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବଜାର ଚାହିଦା ବେଶି ଓ ଉତ୍ପାଦନ କମ୍ ଥିବା ଅତ୍ୟାବଶ୍ୟକ ସାମଗ୍ରୀକୁ ଏହି ମଉକାରେ ହୋର୍ଡିଂ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ କଟକଣା ହଟିବା ପରେ କର୍ପୋରେଟ୍‌ ବ୍ୟବସାୟୀମାନେ ଅଧିକ ମାଲ୍‌ ମହଜୁଦ୍ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଫଳରେ ଦର ବୃଦ୍ଧି ଘଟୁଛି।

ସମ୍ବନ୍ଧିତ ଖବର