ଏଡିଟେଡ୍‌ ଫଟୋ ଦେଖାଇଛନ୍ତି: ବିଜେଡି

ମିଛକୁ ସତ କରିବାକୁ ଅପଚେଷ୍ଟା କରୁଛି ବିରୋଧୀ ଦଳ, ଜନପ୍ରତିନିଧି ଓ ସରକାରୀ ଅଫିସର ପରସ୍ପର ପରିପୂରକ

ଭୁବନେଶ୍ୱର : ବିରୋଧୀ ଦଳ ପକ୍ଷରୁ ବିଧାନସଭାରେ ପ୍ରଦର୍ଶନ କରାଯାଇଥିବା ଅର୍ଥ ମନ୍ତ୍ରୀଙ୍କ ଫଟୋକୁ ଏଡିଟେଡ୍‌ ବୋଲି କହିଛି ବିଜେଡି। ସରକାରଙ୍କୁ ବଦନାମ କରିବା ପାଇଁ ଏହି ହୀନ ଉଦ୍ୟମ କରାଯାଇଛି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ସାହୁ କହିଛନ୍ତି, ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ଚାଲିଛି । ସେ ହେଉଛନ୍ତି ସରକାର ଓ ପ୍ରଶାସନର ସର୍ବୋଚ୍ଚ କର୍ତ୍ତା। ମାତ୍ର ବିଧାନସଭାରେ ବିରୋଧୀ ଦଳ ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ମାନହାନି କରୁଛନ୍ତି। ଏଡିଟେଡ୍ ଫଟୋ ଦେଖାଇ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି। ମିଥ୍ୟା ଅଭିଯୋଗ ଆଣି ବରିଷ୍ଠ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛନ୍ତି ବିରୋଧୀଦଳ ନେତା। ଗୋବଲ୍ସ ଥିଓରି ଆପଣାଇ ତିନି ତୁଣ୍ଡରେ ଛେଳି କୁକୁର କରିବାକୁ ଅପଚେଷ୍ଟା କରୁଛନ୍ତି। ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନ ଦେଇ ଅଯଥା ରାଜନୀତି କରୁଛନ୍ତି।

ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ଜନସାଧାରଣ ବାରମ୍ବାର ଆଶୀର୍ବାଦ ଦେଇ ଆସୁଥିବା ବେଳେ ଭାରତବର୍ଷର ଅନ୍ୟ ରାଜ୍ୟମାନେ ମଧ୍ୟ ତାଙ୍କୁ ଆଦର୍ଶ ଭାବରେ ଗ୍ରହଣ କରୁଛନ୍ତି। ରାଜ୍ୟରେ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ଯାହା ନିଷ୍ପତ୍ତି କରନ୍ତି, ସରକାରୀ ଅଫିସରମାନେ ତାହା କାର୍ଯ୍ୟକାରୀ କରନ୍ତି। ତେଣୁ ସରକାର ଓ ସରକାରୀ ଅଫିସର ହେଉଛନ୍ତି ନଖକୁ ମାଉଁସ ଭଳି। ଜନପ୍ରତିନିଧି ଓ ସରକାରୀ ଅଧିକାରୀ ପରସ୍ପର ପରିପୂରକ ନ ହେଲେ ଦେଶ ବା ରାଜ୍ୟ ପ୍ରଗତି ପଥରେ ଆଗେଇ ପାରିବ ନାହିଁ । ସରକାରୀ ଅଫିସରମାନେ ଇଂରେଜ କି ପାକିସ୍ତାନୀ ନୁହନ୍ତି। ନିର୍ବାଚିତ ଜନପ୍ରତିନିଧିଙ୍କ ଉଦ୍ଦେଶ୍ୟ ହେଉଛି ଜନତାଙ୍କ ସେବା କରିବା। ସରକାରୀ ଅଧିକାରୀମାନେ ମଧ୍ୟ ଏହି ସେବା କାର୍ଯ୍ୟକୁ ଆଗେଇ ନେବା ପାଇଁ ନିଯୁକ୍ତ ହୋଇଛନ୍ତି। ଏହା ଭଲଭାବରେ ଜାଣିଥିଲେ ମଧ୍ୟ ରାଜ୍ୟ ବିଜେପି ମିଥ୍ୟା ଅଭିଯୋଗ କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛି। ପ୍ରସଙ୍ଗ ନ ଥାଇ ବିରୋଧୀ ଦଳ ଗୋଟିଏ କଥାକୁ ଦୋହାରାଇ ଚାଲିଛନ୍ତି ଏବଂ ପ୍ରତିଦିନ ଗୋଟିଏ ଗୋଟିଏ ମିଥ୍ୟା ଅଭିଯୋଗ ଆଣି ବିଧାନସଭାର ମୂଲ୍ୟବାନ ସମୟକୁ ଅପଚୟ କରୁଛନ୍ତି। ବିରୋଧୀଦଳ ପ୍ରଥମେ ସମ୍ବିଧାନ ଓ ଆଇନକାନୁନକୁ ବୁଝନ୍ତୁ। ଯେହେତୁ ସେମାନେ ଏହା ବୁଝି ପାରୁନାହାନ୍ତି, ସେଥିପାଇଁ ଓଡ଼ିଶାର ସଚେତନ ଜନସାଧାରଣ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। ବିରୋଧୀଦଳ ଲୋକଙ୍କୁ ଭୁଆଁ ନ ବୁଲାଇ ବିଧାନସଭାରେ ସତ କହିବା ଶିଖନ୍ତୁ ଓ ପବିତ୍ର ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର