ଦଶପଲ୍ଲା: ବର୍ଷେ କି ଦୁଇ ବର୍ଷ ନୁହଁ, ପ୍ରାୟ ୯ ବର୍ଷ ହେଲା ଜଗଦ୍ଦେବପାଟଣା ସେବା ସମବାୟ ସମିତିରେ ନିଯୁକ୍ତି ହୋଇପାରୁନାହାନ୍ତି ସମ୍ପାଦକ। ସ୍ଥାୟୀ ସମ୍ପାଦକ ନିଯୁକ୍ତି ନହେବା ହେତୁ ଚାଷୀଙ୍କ ସମେତ ଜନସାଧାରଣ ନାନା ସମସ୍ୟା ଭୋଗୁଥିବା ଅଭିଯୋଗ ହେଉଛି। ସମ୍ପାଦକ ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଛି ସତ, ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ଏହି ପଦବି ପୂରଣ ହୋଇପାରୁନଥିବା ଅଭିଯୋଗ ହେଉଛି। ଫଳରେ ପ୍ରତିବର୍ଷ ମଣ୍ତି ସମୟରେ ଚାଷୀ ସଠିକ୍ ଭାବେ ଧାନ ଦେବାରୁ ବଞ୍ଚିତ ହେବାସହ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଯାହାର ସୁଯୋଗ ନେଇ ଦଲାଲମାନେ ସକ୍ରିୟ ହେଉଛନ୍ତି।
ବିଭିନ୍ନ କାର୍ଯ୍ୟରେ ସମସ୍ୟା ଭୋଗୁଛନ୍ତି ଚାଷୀ
ଅଭିଯୋଗ ଅନୁଯାୟୀ. ଉକ୍ତ ପାକ୍ସରେ ସମ୍ପାଦକ ନିଯୁକ୍ତି ପାଇଁ ସୋସାଇଟି ପକ୍ଷରୁ ୨୦୧୬ ଡିସେମ୍ବର ମାସ ୧ ତାରିଖରେ ବିଜ୍ଞାପନ ନମ୍ବର ୪ ଅନୁଯାୟୀ ବିଜ୍ଞାପନ ପ୍ରକାଶ ପାଇଥିଲା। ଅନେକ ଆଶାୟୀ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଥିପାଇଁ ଆବେଦନ କରିଥିଲେ। ମାତ୍ର ଏହି ପଦବି ପାଇଁ ବିବାଦ ସୃଷ୍ଟି ହୋଇ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଏହି ଅବସରରେ ମାମଲାର ମଧ୍ୟ ସମାଧାନ ହୋଇସାରିଲାଣି। ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ପାଇଁ ସମ୍ପାଦକ ନିଯୁକ୍ତି ହୋଇପାରୁନି। ଏହାକୁ ନେଇ କିଛି ବ୍ୟକ୍ତି ମଧ୍ୟ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିବା ବେଳେ ଦାୟିତ୍ବରେ ଥିବା ସମ୍ପାଦକ ବା ସୂଚନା ଅଧିକାରୀ ଜାଣିଶୁଣି ସୂଚନା ଦେଇନଥିବା ଅଭିଯୋଗ ହୋଇଛି। ଏହି ସମବାୟ ସମିତିଟି କିଛି ବ୍ୟକ୍ତିବିଶେଷଙ୍କର ଅନୁଷ୍ଠାନ ହୋଇଥିବାରୁ ଏହା ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇ ନଥିବା କହି ତଥ୍ୟ ପ୍ରଦାନ କରାନଯିବା କୌତୂହଳର ବିଷୟ ପାଲଟିଛି। ଏନେଇ ସୋସାଇଟି ସଭାପତି ସନ୍ତୋଷ କୁମାର ସାହୁ, ତୁରନ୍ତ ସମ୍ପାଦକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି।