ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ପ୍ରକୃତିର ଶୃଙ୍ଖଳ ଓ ଶୃଙ୍ଖଳାରୁ ନିଜକୁ ବାହାରେ ରଖିଛି, ଯଥେଚ୍ଛାଚାର ଦ୍ବାରା ଅନ୍ୟ ପ୍ରାଣୀଙ୍କ ଆହାର ଓ ଆବାସକୁ ଧ୍ବଂସ କରି ନିଜ ଆହାର ଓ ଆବାସର ବ୍ୟବସ୍ଥା କରିଛି। ପ୍ରକୃତି ପରିପନ୍ଥୀ କାର୍ଯ୍ୟ ଲାଗି ପ୍ରାକୃତିକ ଦୁର୍ବିପାକର ଆଶଙ୍କା ଘୋଟି ଆସିଲେ, ତାକୁ ଏଡ଼ାଇବା ଲାଗି ଦୋଷ ପରିମାର୍ଜନର ଶପଥ ମଧ୍ୟ ନେଉଛି। କିନ୍ତୁ ବିଡ଼ମ୍ବନାଟି ହେଲା ସ୍ବାର୍ଥ ଚରିତାର୍ଥ କରିବାର ଆଗ୍ରହ ଓ ଦୃଢ଼ ଇଚ୍ଛାଶକ୍ତିର ଅଭାବ ହେତୁ କୌଣସି ଶପଥ ପୂରଣ ହୋଇ ପାରୁନାହିଁ।
ପୃଥିବୀର ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତିକୁ ନେଇ ଜାତିସଂଘ ସୂତ୍ରରୁ ଯେଉଁ ଦୁଇଟି ରିପୋର୍ଟ ପ୍ରକାଶ ପାଇଛି, ତହିଁରୁ ଗୋଟିଏ କହିଛି ଯେ ପୃଥିବୀରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳର ଆୟତନ ଅଧିକ ହେବାରେ ଲାଗିଥିଲେ ହେଁ ଜଙ୍ଗଲ କ୍ଷୟର ଆଧିକ୍ୟ ହେତୁ ‘ନିଟ୍’ ଜଙ୍ଗଲ ବୃଦ୍ଧି ହାରରେ ଆଶାନୁରୂପକ ଅଗ୍ରଗତି ଘଟୁନାହିଁ। ତେବେ ତହିଁରେ ଭାରତ ସକାଶେ ଥିବା ସୁସମ୍ବାଦଟି ହେଲା ଜଙ୍ଗଲର ଆୟତନ ଦୃଷ୍ଟିରୁ ଭାରତର ସ୍ଥାନ ବିଶ୍ବ ତାଲିକାରେ ନବମରେ ରହିଛି, ଯାହା ପୂର୍ବ ତୁଳନାରେ ଏକ ଉତ୍ତମ ପ୍ରଦର୍ଶନ। ଦ୍ବିତୀୟ ରିପୋର୍ଟଟି କହିଛି େଯ ଜଙ୍ଗଲ କ୍ଷୟ ଅତ୍ୟନ୍ତ ଉଦ୍ବେଗଜନକ ଏବଂ ତାକୁ ରୋକାଯିବା ପରିପ୍ରେକ୍ଷୀରେ ୨୦୩୦ ମସିହା ସୁଦ୍ଧା ବୈଶ୍ବିକ ସ୍ତରରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ସଂପନ୍ନ ହେବା ଅସମ୍ଭବ। ପ୍ରକାଶ ଥାଉ କି ଉଭୟ ରିପୋର୍ଟ ପରିସଂଖ୍ୟାନର ନିଘଞ୍ଚ ଜଙ୍ଗଲର ଭ୍ରମ ସୃଷ୍ଟି କରିଥାଆନ୍ତି, ଯହିଁରେ ସାଧାରଣ ପାଠକ ବା ପାଠିକା ହଜିଯିବା ହୁଏତ ସମ୍ଭବ; କିନ୍ତୁ ଉଭୟ ରିପୋର୍ଟରେ ଜଙ୍ଗଲ କ୍ଷୟକୁ ନେଇ ଚିନ୍ତା ସ୍ପଷ୍ଟ ଏବଂ ସଂପ୍ରତି ସର୍ବତ୍ର ଏକାଧାରରେ ଜଙ୍ଗଲ କ୍ଷୟ ଓ ସୃଷ୍ଟିର ପ୍ରକ୍ରିୟା ଘଟି ଚାଲିଥିବା ବେଳେ ସବୁଜିମାର ଭବିଷ୍ୟତ୍ ନେଇ ଧାରଣାଟିଏ ଲାଭ କରାଯାଇପାରେ।
ପ୍ରଥମଟି ହେଉଛି ‘ଗ୍ଲୋବାଲ ଫରେଷ୍ଟ ରିସୋର୍ସେସ ଆସେସମେଣ୍ଟ’(ଜି.ଏଫ.ଆର.ଏ.) ରିପୋର୍ଟ, ଯାହା ଜାତିସଂଘର ‘ଫୁଡ ଏଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ’(ଏଫ.ଏ.ଓ.) ଦ୍ବାରା ପ୍ରକାଶିତ। ସେଥିରେ ୧୯୯୦ ମସିହାରୁ ୨୦୨୫ ମସିହା ମଧ୍ୟରେ ଉପଲବ୍ଧ ପ୍ରଚୁର ‘ଡେଟା’ ଠୁଳ କରାଯାଇ ସମୁଦାୟ ଅବଧିକୁ ୧୯୯୦ରୁ ୨୦୦୦, ୨୦୦୦ରୁ ୨୦୧୫ ଏବଂ ୨୦୧୫ରୁ ୨୦୨୫ ଭଳି ତିନିଟି କାଳ ଖଣ୍ଡେର ବିଭାଜନ କରି ୨୩୬ଟି ଦେଶର ଜଙ୍ଗଲର ସ୍ଥିତିକୁ ସୋପାନ କ୍ରମେ ତୁଳନାତ୍ମକ ବିଶ୍ଳେଷଣ କରାଯାଇଛି। ତାହା ଅନୁସାରେ ପୃଥିବୀରେ ଘଟି ଚାଲିଥିବା ଜଙ୍ଗଲ କ୍ଷୟର ବିକଳ ଚିତ୍ର ମୁଖ୍ୟତଃ ଚାରିଟି ଦେଶରେ ଜଙ୍ଗଲ ଆଚ୍ଛାଦନ କାରଣରୁ ଅପେକ୍ଷାକୃତ ନିଷ୍ପ୍ରଭ ହୋଇଥାଏ, ଯେଉଁ ଦେଶଗୁଡ଼ିକ ହେଲେ ରୁଷିଆ, ବ୍ରାଜିଲ, କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକା। ସଂପ୍ରତି ପୃଥିବୀର ସମୁଦାୟ ଜଙ୍ଗଲର ୨୬% ଅର୍ଥାତ୍ ୮୩୨.୬୩ ନିୟୁତ ହେକ୍ଟର ଆୟତନ ବିଶିଷ୍ଟ ଜଙ୍ଗଲ ରୁଷିଆରେ ଅଛି, ଯାହା ସର୍ବାଧିକ। ପରବର୍ତ୍ତୀ ତିନିଟି ସ୍ଥାନରେ ଅଛନ୍ତି ବ୍ରାଜିଲ(୪୮୬.୦୯ ନିୟୁତ ହେକ୍ଟର), କାନାଡା(୩୬୮.୮୨ ନିୟୁତ ହେକ୍ଟର) ଏବଂ ଯୁକ୍ତରାଷ୍ଟ୍ର ଆମେରିକା(୩୦୮.୯ ନିୟୁତ ହେକ୍ଟର)। ସେହି ରିପୋର୍ଟରୁ ଜଣାପଡ଼ିଛି ଯେ ୭୨.୭୪ ନିୟୁତ ହେକ୍ଟର ପରିମିତ ଅଞ୍ଚଳ ଜଙ୍ଗଲ ଦ୍ବାରା ଆଚ୍ଛାଦିତ ଭାରତ ସଂପ୍ରତି ପୃଥିବୀର ସମୁଦାୟ ଜଙ୍ଗଲର ୨%ର ଅଧିକାରୀ। ସେହି ରିପୋର୍ଟରୁ ଜଣାପଡ଼ିଛି ଯେ ୧୯୯୦-୨୦୦୦ ମସିହା କାଳଖଣ୍ଡରେ ପରିଦୃଷ୍ଟ ହେଉଥିବା ‘ନିଟ୍’ ଜଙ୍ଗଲ କ୍ଷୟ ବାର୍ଷିକ ୧୦.୭ ନିୟୁତ ହେକ୍ଟରରୁ ୨୦୦୦-୨୦୧୫ ମଧ୍ୟବର୍ତ୍ତୀ ଅବଧିରେ ବାର୍ଷିକ ୩.୬୮ ନିୟୁତ ହେକ୍ଟରକୁ ହ୍ରାସ ପାଇବା ପଛରେ ଅଛି କାନାଡା, ଚୀନ, ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଜଙ୍ଗଲ ଆୟତନ ବୃଦ୍ଧିର ଅବଦାନ। ତେବେ ଏହା ସତ୍ତ୍ବେ ୨୦୧୫-୨୦୨୫ ଅବଧିରେ ‘ନିଟ୍’ ଜଙ୍ଗଲ କ୍ଷୟରେ ପୁନର୍ବାର ବୃଦ୍ଧି ଘଟି ତାହା ବାର୍ଷିକ ୪.୧୨ ନିୟୁତ ହେକ୍ଟରରେ ପହଞ୍ଚିଥିବା ମଧ୍ୟ ଚିନ୍ତାର କାରଣ ହୋଇଥାଏ। ପ୍ରକାଶ ଥାଉ କି ବିଭିନ୍ନ ପ୍ରାନ୍ତରେ ଜଙ୍ଗଲ ସୃଷ୍ଟିର ଉଦ୍ୟମ ପ୍ରଗାଢ଼ ହୋଇଥିଲେ ହେଁ ଜଙ୍ଗଲ କ୍ଷୟର ଭରଣା କରିବା ଲାଗି ତାହା ଯଥେଷ୍ଟ ନୁହେଁ ଏବଂ ଜଙ୍ଗଲ ଆୟତନ ବୃଦ୍ଧି ସବୁ ପ୍ରାନ୍ତରେ ସମାନୁପାତିକ ନୁହେଁ ମଧ୍ୟ। ଅଳ୍ପ କିଛି ଦେଶର ଉନ୍ନତ ପ୍ରଦର୍ଶନ ହେତୁ ଦୃଶ୍ୟପଟ ଆଂଶିକ ଆଶ୍ବାସନାମୂଳକ ହୋଇଥାଏ।
ଦ୍ବିତୀୟ ରିପୋର୍ଟ ଅର୍ଥାତ୍ ‘ଫରେଷ୍ଟ ଡିକ୍ଲେୟାରେସନ ଆସେସାମଣ୍ଟ ରିପୋର୍ଟ-୨୦୨୫(ଏଫ.ଡି.ଏ.ଆର.) ଦର୍ଶାଇଥାଏ କିଭଳି ଜଙ୍ଗଲ କ୍ଷୟ ଜନିତ ଉଦ୍ବେଗଜନକ ସ୍ଥିତିର ମୁକାବିଲା ସକାଶେ ବୈଶ୍ବିକ ଉଦ୍ୟମ ଆଦୌ ଯଥେଷ୍ଟ ନୁହେଁ। ଏହି ରିପୋର୍ଟ ‘ୟୁ.ଏନ.ଡି.ପି.’ର ତତ୍ତ୍ବାବଧାନରେ ଗୋଟିଏ ସ୍ବେଚ୍ଛାସେବୀ ପ୍ରତିଷ୍ଠାନ ଦ୍ବାରା ପ୍ରସ୍ତୁତ। ତାହା କହିଛି ଯେ ୨୦୧୪ ମସିହାର ନ୍ୟୁୟର୍କ ଘୋଷଣାନାମା ଏବଂ ଗ୍ଲାସଗୋ ଠାରେ ଅନୁଷ୍ଠିତ ହୋଇଥିବା ‘କପ୍ ୨୬’ର ଘୋଷଣାନାମା ଅନୁସାରେ ୨୦୩୦ ମସିହା ସୁଦ୍ଧା ଜଙ୍ଗଲ କ୍ଷୟ ରୋକିବା ଏବଂ ଜଙ୍ଗଲ ରିକ୍ତ ୩୫୦ ନିୟୁତ ହେକ୍ଟର ଅଞ୍ଚଳର ପୁନର୍ଭରଣା କରିବାର ଲକ୍ଷ୍ୟ ପରାହତ ହେବା ଅନିବାର୍ଯ୍ୟ। କାରଣ ଜଙ୍ଗଲ ପୁନର୍ଭରଣା ଦିଗରେ ଅଗ୍ରଗତିର ସ୍ଥିତି ହେଉଛି ମାତ୍ର ୩୭ ଶତାଂଶ। ଏଥିରେ କୁହାଯାଇଛି ଯେ କେବଳ ୨୦୨୪ ମସିହାରେ ଜଙ୍ଗଲ କ୍ଷୟର ପରିମାଣ ହେଉଛି ୮.୧ ନିୟୁତ ହେକ୍ଟର। ଏଥିରୁ ସର୍ବାଧିକ ଅର୍ଥାତ୍ ୮୦% ହୋଇଛି ବିଷୁବ ମଣ୍ଡଳୀୟ ଅଞ୍ଚଳରେ। ବିଷୁବ ମଣ୍ଡଳୀୟ ଜଙ୍ଗଲଗୁଡ଼ିକର ଜୈବ ବିବିଧତା ସଘନ ହୋଇଥିବା ଦୃଷ୍ଟିରୁ ବିକଳ୍ପଶୂନ୍ୟ ଏବଂ ତହିଁରେ କ୍ଷତି ଘୋର ଉଦ୍ବେଗଜନକ। ଏହି ରିପୋର୍ଟ ଅନୁସାରେ ଜଙ୍ଗଲ କ୍ଷୟର କାରଣ ଭାବେ ଯାହା ସର୍ବାଗ୍ରେ ରହିଛି, ତାହା ସମସ୍ତଙ୍କୁ ବିସ୍ମିତ କଲା ଭଳି କୃଷିର ଅଭିବୃଦ୍ଧି; ଅର୍ଥାତ୍ ଚାଷବାସ ଓ ପଶୁ ପାଳନ ସକାଶେ ଯେଉଁ ବୃକ୍ଷ ଛେଦନ ହେଉଛି ତାହା ସମୁଦାୟ ଜଙ୍ଗଲ କ୍ଷୟର ୮୬ ପ୍ରତିଶତ। ଏହି ପରିପ୍ରେକ୍ଷୀରେ ହୃଦ୍ବୋଧ କରି ହୋଇଥାଏ ଯେ ଜଙ୍ଗଲ କ୍ଷୟରେ ହ୍ରାସ ଘଟାଇବା ବୋଧହୁଏ ସାଧ୍ୟାତୀତ ହେବାକୁ ଯାଉଛି; କାରଣ ଖାଦ୍ୟ ଅଧିକାର ପୃଥିବୀର ପ୍ରତ୍ୟେକ ମନୁଷ୍ୟ ଲାଗି ମୌଳିକ ଓ ଅବିଭାଜ୍ୟ ହୋଇଥିବାରୁ ଖାଦ୍ୟର ଚାହିଦା ନିରନ୍ତର ବୃଦ୍ଧି ପାଇ ଚାଲିବା ସ୍ବାଭାବିକ, ଯାହା କୃଷି ଓ ପଶୁ ପାଳନ ସକାଶେ ଅଧିକରୁ ଅଧିକ ସମତଳ ଭୂମି ଲୋଡ଼ିବ ଏବଂ ଅଧିକ ପରିମାଣର ଜଙ୍ଗଲ ବିଲୁପ୍ତି ଲାଗି ପଥ ପ୍ରଶସ୍ତ କରିବ। ପ୍ରକାଶ ଥାଉ କି ଜନସଂଖ୍ୟାରେ ବୃଦ୍ଧି ସହିତ କ୍ରମେ ଅଧିକ ସଂଖ୍ୟକ ଲୋକ ଆର୍ଥିକ ଦୃଷ୍ଟିରୁ ସଂପନ୍ନ ହୋଇ ଉଠୁଥିବାରୁ ପୃଥିବୀର ଖାଦ୍ୟ ଚାହିଦାରେ ବାର୍ଷିକ ୧.୩% ହାରରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏଭଳି ସ୍ଥଳେ ବିଭିନ୍ନ ଘୋଷଣାନାମାରେ ଧାର୍ଯ୍ୟ କରାଯାଉଥିବା ଉଚ୍ଚ ଲକ୍ଷ୍ୟ ପୂରଣୀୟ ହୋଇ ନ ପାରିବା ସ୍ବାଭାବିକ।
ଏହା ସମସ୍ତଙ୍କୁ ଜଣା ଯେ ନିଶ୍ଚିହ୍ନ ହୋଇଯାଉଥିବା ପ୍ରାକୃତିକ ଜଙ୍ଗଲର ଉପଯୁକ୍ତ ଭରଣା କୃତ୍ରିମ ଉପାୟରେ କସ୍ମିନ କାଳେ ସମ୍ଭବ ନୁହେଁ, କାରଣ ପ୍ରାକୃତିକ ଜଙ୍ଗଲରେ ବୃକ୍ଷଲତାର ବିନ୍ୟାସ ଓ ପରିବେଶ ପରିସଂସ୍ଥାର ଘନତା କୃତ୍ରିମ ଜଙ୍ଗଲରୁ ଆଶା କରିବା ବୃଥା। ପୁଣି ବିଡ଼ମ୍ବନାଟି ହେଲା, ଜଙ୍ଗଲରେ ବାସ କରୁଥିବା ପ୍ରେତ୍ୟକ ପ୍ରାଣୀ ଏକ ଖାଦ୍ୟ ଶୃଙ୍ଖଳର ଅଂଶ ହୋଇ ପରସ୍ପର ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହୁଅନ୍ତି; ଯେମିତି ବ୍ୟାଘ୍ର ଓ ମୃଗ ମଧ୍ୟରେ ଖାଦକ ଓ ଖାଦ୍ୟର ସଂପର୍କ ଥିଲେ ହେଁ ବାଘ ଅବିଚାରିତ ମୃଗ ଶିକାର କରି ନ ଥାଏ। କାରଣ ଏଭଳି କଲେ ମୃଗ ସଂଖ୍ୟାରେ ହ୍ରାସ ଘଟି ବାଘକୁ ଅନାହାରକ୍ଳିଷ୍ଟ କରିବ। ତେଣୁ ପ୍ରାଣୀ ଜଗତରେ ଯଥେଚ୍ଛାଚାର ଦେଖାଯାଇ ନ ଥାଏ। କେବଳ ସେତିକି ନୁହେଁ, ଜଙ୍ଗଲରେ ବାସ କରୁଥିବା ପ୍ରତ୍ୟେକ ପ୍ରାଣୀ ସେମାନଙ୍କ ଅଲକ୍ଷ୍ୟରେ ବୀଜ ବିକ୍ଷେପ ଘଟାଇ ନିରନ୍ତର ଭାବେ ଜଙ୍ଗଲର ଅଭିବୃଦ୍ଧି କରି ଚାଲନ୍ତି; ଯାହା ହେଉଛି ନିଜ ଆହାର ଓ ଆବାସକୁ ପରିପୁଷ୍ଟ କରିବା ଲାଗି ପ୍ରକୃତି ଦ୍ବାରା ପ୍ରଦତ୍ତ ସାମର୍ଥ୍ୟ। କିନ୍ତୁ, ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ପ୍ରକୃତିର ଶୃଙ୍ଖଳ ଓ ଶୃଙ୍ଖଳାରୁ ନିଜକୁ ବାହାରେ ରଖିଛି, ଯଥେଚ୍ଛାଚାର ଦ୍ବାରା ଅନ୍ୟ ପ୍ରାଣୀଙ୍କ ଆହାର ଓ ଆବାସକୁ ଧ୍ବଂସ କରି ନିଜ ଆହାର ଓ ଆବାସର ବ୍ୟବସ୍ଥା କରିଛି। ପ୍ରକୃତି ପରିପନ୍ଥୀ କାର୍ଯ୍ୟ ଲାଗି ପ୍ରାକୃତିକ ଦୁର୍ବିପାକର ଆଶଙ୍କା ଘୋଟି ଆସିଲେ, ତାକୁ ଏଡ଼ାଇବା ଲାଗି ଦୋଷ ପରିମାର୍ଜନର ଶପଥ ମଧ୍ୟ ନେଉଛି। କିନ୍ତୁ ବିଡ଼ମ୍ବନାଟି ହେଲା ସ୍ବାର୍ଥ ଚରିତାର୍ଥ କରିବାର ଆଗ୍ରହ ଓ ଦୃଢ଼ ଇଚ୍ଛାଶକ୍ତିର ଅଭାବ ହେତୁ କୌଣସି ଶପଥ ପୂରଣ ହୋଇ ପାରୁନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/OAnDiWZ5zjRDfuWfWgMX.jpg)