ସୋନିଆଙ୍କୁ ଇଡି ଜେରାର ପ୍ରତିବାଦ: ମହାତ୍ମା ଗାନ୍ଧୀ ମାର୍ଗରେ କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ବର: ନ୍ୟାସନାଲ୍ ହେରାଲ୍‌ଡ ଦୁର୍ନୀତି ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ଜେରା କରିବା ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ସତ୍ୟାଗ୍ରହରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ପ୍ରତିହିଂସା ପରାୟଣ ରାଜନୀତିକୁ ନିନ୍ଦା କରିଛନ୍ତି।

ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ନରେନ୍ଦ୍ର ମୋଦୀ ସରକାର ରାଜନୈତିକ ଫାଇଦା ହାସଲ ଉଦ୍ଦେଶ୍ୟରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଜନମାନସରେ ନିନ୍ଦିତ କରିବା ପାଇଁ ସ୍ବାଧୀନ ସଂସ୍ଥାମାନଙ୍କୁ ଅପବ୍ୟବହାର କରୁଛନ୍ତି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି, ବେରୋଜଗାରୀ, କୃଷକ ଓ କୃଷି କ୍ଷେତ୍ରର ସମସ୍ୟା, ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟା ସମାଧାନ କରିବାରେ ମୋଦୀ ସରକାର ବିଫଳ ହୋଇଛନ୍ତି। କେନ୍ଦ୍ର ସରକାର ଚୁଡ଼ା, ଅଟା, ଚାଉଳ, ଖଇ, ଉଖୁଡ଼ା, ଦହି, ମୁଆଁ, ଲହୁଣି, ଗୁଡ଼ ଉପରେ ୫ପ୍ରତିଶତ ଜିଏସ୍‌ଟି ଆଦାୟ କରୁଛନ୍ତି। ଚିକିତ୍ସାଧୀନ ରୋଗୀମାନଙ୍କ ପାଇଁ ଆବଶ୍ୟକ ହେଉଥିବା ଔଷଧ, ତୁଳା, ଗଜ, ସୂତା, ଛୁଞ୍ଚି ଉପରେ ୫ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍‌ଟି ଲଗାଇଛନ୍ତି। ଆଜି ଭାରତୀୟ ମୁଦ୍ରା ବିନିମୟ ମୂଲ୍ୟ ଡଲାର ତୁଳନାର ୮୦ଟଙ୍କା ଅତିକ୍ରମ କରିସାରିଛି। ଏସବୁ ସମସ୍ୟାକୁ ନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ସଂସଦରେ ଭିତରେ ଓ ବାହାରେ ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରି ଆସୁଛନ୍ତି। ଫଳରେ କେନ୍ଦ୍ର ସରକାର ଇଡି, ସିବିଆଇ ଓ ଆଇଟିର ଭୟ ଦେଖାଇ ମୁହଁ ବନ୍ଦ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଏହି ସତ୍ୟାଗ୍ରହରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଦାସରଥୀ ଗମାଙ୍ଗ, ରମାକାନ୍ତ ମିଶ୍ର, ବନ୍ଦିତା ପରିଡ଼ା, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ଶିବାନନ୍ଦ ରାୟ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ପଞ୍ଚାନନ କାନୁନ୍‌ଗୋ, ଗଣେଶ୍ବର ବେହେରା, ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସୁଶିଳା ତିରିଆ, ରାଧାକାନ୍ତ ଦିଗଲ, ନକୁଳ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସମୀର ରାଉତରାୟ, ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର, ନିହାର ମହାନନ୍ଦ, ଅକ୍ଷୟ ଆଚାର୍ଯ୍ୟ, ସୁରେନ୍ଦ୍ର ପରମାଣିକ, ଦୁର୍ଯ୍ୟୋଧନ ଗର୍ଡ଼ିଆ, ଚିନ୍ମୟ ପ୍ରସାଦ ବେଉରା, ଭାରତ ଭୂଷଣ ବେମାଲ, ନିମାଇ ସରକାର, ଦେବେନ୍ଦ୍ର ନାଥଶର୍ମା, ଅଂଶୁମାନ ମହାନ୍ତି, ବିଶ୍ୱଜିତ ଦାଶ, ରଜତ ଚୌଧୁରୀ, ନିଶିକାନ୍ତ ମିଶ୍ର, ତାରା ପଟ୍ଟନାୟକ, ମିନାକ୍ଷୀ ବାହିନୀପତି, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର