ଶିକ୍ଷିତ ଯୁବଗୋଷ୍ଠୀ ପ୍ରଫେସନାଲ କଂଗ୍ରେସ‌ରେ ସାମିଲ ହେବାକୁ ଆହ୍ବାନ

ଭୁବନେଶ୍ବର : ଭାରତୀୟ ଅର୍ଥନୀତି, ବିଦେଶ ନୀତି ଓ ସାମାଜିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ପେଟ୍ରୋଲ, ଡିଜେଲର ମୂଲ୍ୟବୃଦ୍ଧି ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଆଥିକ ମେରୁଦଣ୍ଡକୁ ଭାଙ୍ଗି ଦେଲାଣି। ଏ ସମୟରେ ଶିକ୍ଷିତ ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀଙ୍କୁ କଂଗ୍ରେସ ଦଳରେ ସାମିଲ କରିବାକୁ ଓଡ଼ିଶା ପ୍ରଫେସନାଲ କଂଗ୍ରେସ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ସର୍ବଭାରତୀୟ ପ୍ରଫେସନାଲ କଂଗ୍ରେସ ଓଡ଼ିଶା ଶାଖା ପୁନର୍ଗଠିତ ହେବା ପରେ ଆଜି ଏହାର ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଶାଖାର ନବନିଯୁକ୍ତ ପ୍ରଫେସନାଲ କଂଗ୍ରେସର ସଭାପତି ମମତା କୁଣ୍ଡୁ କହି‌ଲେ, ଖୁବଶୀଘ୍ର ରାଜ୍ୟର ୨୧ଟି ସଂସଦୀୟ କ୍ଷେତ୍ରରେ ପ୍ରଫେସନାଲମାନଙ୍କୁ ନିଯୁକ୍ତି ଦିଆଯିବ। ଏହାସହିତ ଶିକ୍ଷତ ଯୁବଗୋଷ୍ଠୀ ଓ ବୁଦ୍ଧିଜୀବୀଙ୍କ ବୃହତ୍ତର ସ୍ବାର୍ଥ ପାଇଁ ପ୍ରଫେସନାଲ କଂଗ୍ରେସ ଲଢ଼େଇ କରିବ ‌ବୋଲି ଶ୍ରୀମତୀ କୁଣ୍ଡୁ କହିଥିଲେ। ପ୍ରଫେସନାଲ କଂଗ୍ରେସର ସଂପାଦକ ଆକାଶ ଭୂୟାଁ କହିଲେ, କେନ୍ଦ୍ରରେ ମୋଦୀ ଓ ରାଜ୍ୟରେ ନବୀନଙ୍କ ଶାସନରେ ଦାରିଦ୍ର୍ୟ ଓ ବେକାରୀ ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଆକାଶ ଛୁଆଁ ହେଲାଣି। ଶିକ୍ଷିତ ଯୁବ କଂଗ୍ରେସ ଜରିଆରେ ଆନ୍ଦୋଳନରେ ସାମିଲ ହେବାକୁ ସେ ଆହ୍ବାନ କରିଥିଲେ। ପ୍ରଫେସନାଲ କଂଗ୍ରେସର ଉପ-ସଭାପତି ସଂଜୟ କୁମାର ମିଶ୍ର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂ‌ଯୋଜକ ରଂଜିତ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର