ସ୍ମରଣୀୟ ସତର : ବର୍ଷସାରା ବିଭ୍ରାଟ

ଶିକ୍ଷା

ପରୀକ୍ଷାଫଳରୁ ନେଇ ମଧ୍ୟାହ୍ନଭୋଜନ। ବିଭ୍ରାଟରେ ବିତିଗଲା ବର୍ଷ। ଯୁକ୍ତ୨ ପରୀକ୍ଷା ଓ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଫଳାଫଳରେ ବିଭ୍ରାଟ ହେଲା। ସାରା ରାଜ୍ୟରେ କାୟା ମେଲାଇଲେ ନକଲି ଶିକ୍ଷକ ଓ ଶିକ୍ଷାନୁଷ୍ଠାନ। ଦେଶର ଶ୍ରେଷ୍ଠ ଶହେ ତାଲିକାରେ ସ୍ଥାନ ପାଇଲେନି ସରକାରୀ ଶିକ୍ଷାନୁଷ୍ଠାନ। ପୁଣି ହକ୍‌ ଲାଗି ରାଜରାସ୍ତାରେ ରାତି କାଟିଲେ ଗୁରୁ। କ୍ୟାମ୍ପସ୍‌ରେ ବି ଲାଗିଲା ନିର୍ଯାତନାର କଳଙ୍କ। ବର୍ଷ ଶେଷ ଆଡ଼କୁ ମଧ୍ୟାହ୍ନଭୋଜନ ଖାଦ୍ୟର ମାନକୁ ନେଇ ଉଠିଲା ପ୍ରଶ୍ନ। ତେବେ ଉଚ୍ଚଶିକ୍ଷାରେ ସଂସ୍କାର, ପରୀକ୍ଷା ଢାଞ୍ଚା ପରିବର୍ତନ, ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଯୁକ୍ତ୨ରେ ନିର୍ବାଚନ ବନ୍ଦ ଆଦି କେତେକ ସମୟୋପଯୋଗୀ ପଦକ୍ଷେପ ନେଇ ପ୍ରଶଂସା ସାଉଁଟିଥିଲା ଶିକ୍ଷା ବିଭାଗ।
ଉପସ୍ଥାପନା: କେଶବ ପାଣି
ଅଳଙ୍କରଣ: ରବିନାରାୟଣ ସାହୁ

ରାଜରାସ୍ତାରେ ଗୁରୁ

ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରୁ ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ ଦାବିରେ ଓଷ୍ଟା, ଏସ୍‌ଟିଏଫ୍‌ଓ, ୪୮୮ ବର୍ଗ କଲେଜ ସଂଘ, ୬୬୨ ବର୍ଗ କଲେଜ ମହାସଂଘ, ସଂସ୍କୃତ ଟୋଲ ସଂଘ ପରି ୧୦ରୁ ଅଧିକ ଶିକ୍ଷକ ମହାସଂଘକୁ ନେଇ ମହାମେଣ୍ଟ ଗଠିତ ହୋଇଛି। ଶିକ୍ଷାବର୍ଷ ଆରମ୍ଭରୁ ସରକାରଙ୍କ ଉପରେ ଚାପ ପକାଇ ଦାବି ହାସଲ କରିବାରେ ସକ୍ଷମ ହୋଇଥିଲା ମହାମେଣ୍ଟ। ରାଜରାସ୍ତାରେ ମାସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଲା। ଦରମା ବୃଦ୍ଧି ସହ ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି କର୍ମୀ ମାସେ ପର୍ଯ୍ୟନ୍ତ ରାଜଧାନୀ ରାଜରାସ୍ତାରେ ରାତି କାଟିଥିଲେ। ଶେଷରେ ସରକାର ମୁଣ୍ଡ ନୁଆଁଇବା ସହ ଦାବି ପୂରଣ କରିଥିଲେ। ପ୍ରତିବର୍ଷ ପରି ଏଥର ମଧ୍ୟ ଦାବି ହାସଲ ଲାଗି ଗଣଶିକ୍ଷକ, ଶିକ୍ଷା ସହାୟକ, ଚୁକ୍ତିଭିତ୍ତିକ ଶିକ୍ଷକ, ପ୍ରାଥମିକ ଶିକ୍ଷକ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଥିଲେ। କିଛି ସଙ୍ଗଠନର ଦାବି ପୂରଣ ହୋଇଥିବା ବେଳେ ଆଉ କିଛି ପ୍ରତିଶ୍ରୁତି ପାଇ ଫେରିଛନ୍ତି।

ଆକ୍ସନ ମୁଡ୍‌ରେ ଗଣଶିକ୍ଷା ବିଭାଗ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ତଦାରଖ ଲାଗି ୩୦ ଜଣ ବିଭାଗୀୟ ଅଧିକାରୀ ମାସକୁ ୨ରୁ ୩ ଥର ଜିଲ୍ଲା ଗସ୍ତ କରିବାକୁ ନିଷ୍ପତ୍ତି ହୋଇଛି। ସେମାନେ ମାଧ୍ୟମିକ ଏବଂ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ସହ କାର୍ଯ୍ୟକାରୀ କରାଯାଉଥିବା ଯୋଜନାର ସମୀକ୍ଷା କରିବେ। ଅକ୍ଟୋବର ମାସରେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ତଥା ବିଭାଗର ଆଦେଶକୁ ନ ମାନିବାରୁ ରାଜ୍ୟର ୯ଟି ଜିଲ୍ଲାର ୨୫ ଜଣ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଦରମା ବନ୍ଦ ରଖାଯାଇଥିଲା। ବିଦ୍ୟାଳୟ କର୍ତୃପକ୍ଷଙ୍କଠାରୁ ଛୁଟି ନ ନେଇ ସୋମବାର ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବାରୁ ୩ ଜଣ ନିୟମିତ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଜଣେ ଶିକ୍ଷକଙ୍କୁ କୈଫିୟତ ମଗାଯାଇଥିଲା।

ଉଚ୍ଚଶିକ୍ଷାରେ ସଂସ୍କାର

ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ଲାଗି ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତି, ପରୀକ୍ଷା ନିୟନ୍ତ୍ରକକୁ ନେଇ ଏବର୍ଷ ୫ଟି କମିଟି ଗଠିତ ହୋଇଛି। ନାମଲେଖା, ପରୀକ୍ଷା ପରିଚାଳନା, ସିଲାବସ୍‌ ପ୍ରସ୍ତୁତ, ନିର୍ଧାରିତ ସମୟରେ ଫଳ ପ୍ରକାଶ, ସିର୍ଟିଫିକେଟ୍‌ ପ୍ରଦାନ, ଅନ୍‌ ଟାଇମ୍‌ ଗ୍ରାଜୁଏସନ(ଓଟିଜି) ମନିଟରିଂ ସିଷ୍ଟମ ଲାଗୁ ଉପରେ କମିଟି ଗୁରୁତ୍ୱ ଦେବ। ୨୦୧୫ରେ ପ୍ରତିଷ୍ଠା ହୋଇଥିବା ୪ଟି ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପ୍ରଣାଳୀ, ନିଯୁକ୍ତି ସେଲ୍‌କୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେପ୍ଟେମ୍ବରରେ କୁଳପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୬ଟି ସରକାରୀ ବିଶ୍ୱବିଦ୍ୟାଳୟରେ ସିଭିଲ୍‌ ସର୍ଭିସ୍‌ କୋଚିଂ ସେଣ୍ଟର ଖୋଲିବାକୁ ବି ନିଷ୍ପତ୍ତି ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଏହି କୋଚିଂ ସେଣ୍ଟର ଖୋଲିବ।

ଇଞ୍ଜିନିୟରିଂ ପାଠ୍ୟକ୍ରମ ବିବାଦ

୨୦୧୮-୧୯ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ପିଲା ଜେଇଇ ମେନ୍‌ରେ ଭାଗନେବେ ନା ଓଜେଇଇ ହେବ, ତାହାକୁ ନେଇ ସରକାର ଏବଂ ଓପେକା ମଧ୍ୟରେ ଟଣାଓଟରା ଚାଲିଥିଲା। ଓପେକା ପକ୍ଷରୁ ବାରମ୍ବାର ଚିଠି ଲେଖାଯିବା ପରେ ବି କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଜେଇଇ ମେନ୍‌ରେ ଭାଗନେବା ଲାଗି ନିଷ୍ପତ୍ତି ହୋଇଛି। ୨୦୧୮-୧୯ ଶିକ୍ଷାବର୍ଷରୁ କେନ୍ଦ୍ର ସରକାର ଶିକ୍ଷା ପର୍ଯ୍ୟଟନ ବ୍ୟବସ୍ଥା ଆରମ୍ଭ କରିବେ ବୋଲି ଓଡ଼ିଶା ଆସିଥିବା ସମୟରେ ଏଆଇସିଟିଇ ଉପାଧ୍ୟକ୍ଷ ଏମ୍‌.ପି. ପୁନିଆ କହିଛନ୍ତି। ଢେଙ୍କାନାଳ ଜିଲ୍ଲା ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଜିଆଇଟି) ଏବଂ ଭୁବନେଶ୍ୱରସ୍ଥିତ ସିଇଟିକୁ ମିଳିଛି ସ୍ୱୟଂଶାସିତ ମାନ୍ୟତା। ଦେଶରେ ୬୫ଟି ଇଞ୍ଜିନିୟରିଂ କଲେଜ ବନ୍ଦ ହୋଇଥିବା ବେଳେ ଓଡ଼ିଶାର ଦୁଇଟି କଲେଜରେ ପଡ଼ିଛି ତାଲା। ୫ ବର୍ଷ ଧରି ଗୋଟିଏ ବ୍ରାଞ୍ଚରେ ୩୦ ପ୍ରତିଶତ ସିଟ୍‌ ପୂରଣ ହେଉ ନ ଥିବା କଲେଜଗୁଡ଼ିକୁ ବନ୍ଦ କରିବାକୁ ପ୍ରସ୍ତାବ ରହିଥିଲା। ପରେ ପରିବର୍ତନ କରାଯାଇ ୨୦୧୮-୧୯ ଶିକ୍ଷାବର୍ଷରୁ ଲାଗୁ ହେବ।

ପରୀକ୍ଷା ଢାଞ୍ଚା ପରିବର୍ତନ

ପୁଣି ବଦଳିଲା ମାଟ୍ରିକ୍‌ ପରୀକ୍ଷା ଢାଞ୍ଚା। ନିଜ ବିଦ୍ୟାଳୟରେ ବଦଳରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟରେ ପରୀକ୍ଷା ଦେବାକୁ ଯିବାକୁ ପଡ଼ିବ। ନିଜ ବିଦ୍ୟାଳୟଠାରୁ ୫ କି.ମି. ମଧ୍ୟରେ ପିଲାଙ୍କ ଲାଗି ହେବ ପରୀକ୍ଷା କେନ୍ଦ୍ର। ଏବର୍ଷ ନିଷ୍ପତ୍ତି ନିଆଯାଇଥିବା ବେଳେ ୨୦୧୮ରୁ ଲାଗୁ ହେବ। ୨୦୧୬ରେ ସିବିଏସ୍‌ଇ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ଯୁକ୍ତ୨ ସିଲାବସ୍‌ ଅନୁଯାୟୀ ପ୍ରଥମ ଥର ଲାଗି ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଉରକେଲାସ୍ଥିତ ବିପିୟୁଟି, ବୁର୍ଲାସ୍ଥିତ ଭିଏସ୍‌ଏସ୍‌ୟୁଟି, ସାରଙ୍ଗସ୍ଥିତ ଆଇଜିଆଇଟି ଅଧୀନରେ ଥିବା ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ସେମିଷ୍ଟାର ପରୀକ୍ଷା ଏପ୍ରିଲ ମାସ ସୁଦ୍ଧା ଶେଷ କରିବାକୁ କଡ଼ା ନିର୍ଦେଶ ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ। ଯୁକ୍ତ୩ ଛାତ୍ରଛାତ୍ରୀ ଚଏସ୍‌ ବେସ୍‌ଡ କ୍ରେଡିଟ୍‌ ସିଷ୍ଟମରେ ପରୀକ୍ଷା ଦେଇଛନ୍ତି।

ଯୁକ୍ତ୨ କଲେଜରେ ନିର୍ବାଚନ ବନ୍ଦ

ଛାତ୍ର ସଂସଦ ନିର୍ବାଚନ କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ଯୁକ୍ତ୨ ଆସିବା ପରେ ରାଜ୍ୟର ପ୍ରାୟ କଲେଜରେ ଚଳିତବର୍ଷ ନିର୍ବାଚନ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମେତ କେତେକ କଲେଜରେ ଚଳିତବର୍ଷ ନିର୍ବାଚନ ବଦଳରେ ମନୋନୟନ ପ୍ରକ୍ରିୟାରେ ଛାତ୍ର ପ୍ରତିନିଧି ବଛା ଯାଇଛି। ଛାତ୍ର ଅଶାନ୍ତି ଯୋଗୁଁ ୨୦ରୁ ଅଧିକ କ୍ୟାମ୍ପସ ସାଇନ୍‌ ଡାଏ ହୋଇଥିଲା। ୩୭୫ କ୍ୟାମ୍ପସରେ ନିର୍ବାଚନ ସରିବା ପରେ ୯୫% କଲେଜରେ ସଫଳତା ମିଳିଛି ବୋଲି ଛାତ୍ର ବିଜେଡି ଦାବି କରିଥିବା ବେଳେ ଏବିଭିପି ୪୦ ପ୍ରତିଶତ ଏବଂ ଛାତ୍ର କଂଗ୍ରେସ ୬୪% କ୍ୟାମ୍ପସରେ ସଫଳତା ପାଇଥିବା କହିଥିଲେ।

ସିବିଏସ୍‌ଇ ଝାମେଲା

ସିବିଏସ୍‌ଇ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ତ୍ରୁଟି ଯୋଗୁଁ ଭୁବନେଶ୍ୱର ଜୋନ୍‌ର ୧୩,୫୦୦ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ସ୍ଥଗିତ ରହିଥିଲା। ଏଥିରେ ଓଡ଼ିଶାର ୭୨୦୦ ପିଲା ରହିଥିଲେ। କେତେଜଣ ପିଲାଙ୍କର ସବୁ ବିଷୟରେ ୮୦ ପ୍ରତିଶତରୁ ଅଧିକ ମାର୍କ ରହିଥିବା ବେଳେ ଗୋଟିଏ ବିଷୟରେ ଏକ ଅଙ୍କ ମାର୍କ ରହିଥିଲା। ଏହାକୁ ନେଇ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ନିଆଁ ଜଳିଥିଲା। ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ କିଛି ଛାତ୍ର ଆତ୍ମାହୁତି ଉଦ୍ୟମ କରିଥିଲେ। ପୁଲିସ ଲାଠିମାଡ଼ କରିଥିଲା। ମାସାଧିକ କାଳ ଅଭିଭାବକଙ୍କ ଅନଶନ ପରେ ହାଇକୋର୍ଟରେ ପହଞ୍ଚିଥିଲା ମାମଲା। ଶେଷରେ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀ ବଦଳିବା ସହ ଉତ୍ତର ଖାତା ପୁନଃମୂଲ୍ୟାୟନ କରାଯାଇଥିଲା। କେତେଜଣ ଛାତ୍ରଛାତ୍ରୀଙ୍କ ମାର୍କ ବଢ଼ିଥିଲା ତ ଆଉ କେତେକଙ୍କର ମାର୍କ କମିଥିଲା।

କ୍ୟାମ୍ପସ୍‌ରେ କଳଙ୍କ

ଏବର୍ଷ ବି କିଛି ଗୁରୁ ବାଟ ହୁଡ଼ିଥିଲେ। ମୟୂରଭଞ୍ଜରୁ ମାଲକାନଗିରି ହେଉ କି କଟକରୁ ସମ୍ବଲପୁର, ସବୁ କ୍ୟାମ୍ପସରେ ବୋଳି ହୋଇଛି କଳଙ୍କ। ଆଦିବାସୀ ଛାତ୍ରୀନିବାସରେ ଛାତ୍ରୀଙ୍କୁ ଗୁରୁଙ୍କ ନିର୍ଯାତନା ଚର୍ଚ୍ଚାକୁ ଆସିଥିଲା। ରାଉରକେଲାରେ ୧୦ ବର୍ଷର ନାବାଳକଙ୍କୁ ଗୁରୁଙ୍କ ନିର୍ଯାତନା, ଏମ୍‌ସିବି ମେଡିକାଲ କଲେଜ ଡାକ୍ତରଙ୍କ ବିରୋଧରେ ଛାତ୍ରୀଙ୍କ ନିର୍ଯାତନା ଅଭିଯୋଗ, ମୟୂରଭଞ୍ଜ ଜିଲ୍ଲାରେ ୬ଷ୍ଠ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ନିର୍ଯାତନା, ଗଞ୍ଜାମ ଜିଲ୍ଲାରେ ୮ମ ଶ୍ରେଣୀର ଦୁଇଜଣ ଛାତ୍ରୀଙ୍କୁ ଶିକ୍ଷକଙ୍କ ନିର୍ଯାତନା, ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ନିର୍ଯାତନା, ବାଣୀବିହାର ପ୍ରଫେସରଙ୍କ ନିର୍ଯାତନା ପରି ଘଟଣା ଚର୍ଚ୍ଚାରେ ରହିଥିଲା। ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ଗୁରୁଙ୍କ ମାଡ଼, ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପରି ଅଭିଯୋଗ ମଧ୍ୟ ଏଥର କ୍ୟାମ୍ପସରେ ବୋଳିଛି କଳଙ୍କ।

ସଂକ୍ଷେପରେ…

ବିଦ୍ୟାଳୟ ପାଠ୍ୟପୁସ୍ତକରେ ସଡ଼କ ସୁରକ୍ଷା, ପ୍ରାକୃତିକ ବିପର୍ଯୟ ଶିକ୍ଷା ସ୍ଥାନିତ
ଆଦିବାସୀ ପିଲାଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଲାଗି ଯୋଜନା
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନ ସ୍କୁଲ ପିଲାଙ୍କୁ ମାଗଣା ବହି
ସିବିଏସ୍‌ଇ ସ୍କୁଲ ଛାତ୍ରଛାତ୍ରୀ ଏନ୍‌ସିଇଆର୍‌ଟି ବହି ପଢ଼ିବା ବାଧ୍ୟତାମୂଳକ
ମାଗଣା ପୁସ୍ତକ ବଣ୍ଟନରେ ବିଳମ୍ବକୁ ନେଇ ରାଜ୍ୟରେ ଅଶାନ୍ତି
ଜେଏନ୍‌ୟୁରେ ଆଦିକବି ସାରଳା ଦାସଙ୍କ ନାମରେ ଓଡ଼ିଆ ଚେୟାର ପ୍ରତିଷ୍ଠା
କୋରାପୁଟ ଏବଂ ମୟୂରଭଞ୍ଜରେ ମେଡିକାଲ କଲେଜ ପ୍ରତିଷ୍ଠା
ଏସିଆନ୍‌ ପବ୍ଲିକ ହେଲ୍‌ଥ ପକ୍ଷରୁ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ନିଷ୍ପତ୍ତି
ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ନିର୍ଦେଶକଙ୍କ ବିରୋଧରେ ଷ୍ଟିଙ୍ଗ୍‌ ଅପରେସନ
ପ୍ରଫେସର ଡିଏଗୋ ଆଣ୍ଡ୍ରେସ୍‌ ଗୋଲାମ୍ବେକଙ୍କୁ ୟୁନେସ୍କୋ କଳିଙ୍ଗ ପୁରସ୍କାର
ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ପ୍ରକ୍ରିୟା ଆରମ୍ଭ

ଯୁକ୍ତ୨ ବିଭ୍ରାଟ

ପ୍ରଶ୍ନପତ୍ର ପ୍ୟାକେଟ୍‌ରେ ତ୍ରୁଟି ଯୋଗୁଁ ଯୁକ୍ତ୨ ପରୀକ୍ଷାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ବିଜ୍ଞାନ ବିଭାଗ ଗଣିତ ବିଷୟ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ସିଲ୍‌ ଖୋଲାଯିବାବେଳେ ସେଥିରୁ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର ବାହାରିଥିଲା। ୫ରୁ ଅଧିକ କଲେଜରେ ଏଭଳି ସମସ୍ୟା ହେବା ପରେ ରସାୟନ ବିଜ୍ଞାନ ପରୀକ୍ଷା ବାତିଲ୍‌ ହୋଇଥିଲା। ମାର୍ଚ୍ଚ ୧୬ ପରିବର୍ତ୍ତେ ମାର୍ଚ୍ଚ ୩୦ରେ ପରୀକ୍ଷା କରାଯାଇଥିଲା। ପରୀକ୍ଷାର ପ୍ରଥମ ଦିନରେ କେଉଁ ପରୀକ୍ଷା କେନ୍ଦ୍ରରେ ପୁଲିସ ଅଧିକାରୀ ନ ଥିଲେ ତ ଆଉ କେଉଁଠି ବ୍ୟାପକ କପି ହେଉଥିବା ଅଭିଯୋଗ ଆସଥିଲା। ବୌଦ୍ଧ ଜିଲ୍ଲା ମନମୁଣ୍ଡାସ୍ଥିତ ଲୋପାମୁଦ୍ରା କଲେଜର ୪୧ ଜଣ ପରୀକ୍ଷାର୍ଥୀ ଯୁକ୍ତ୨ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିଲେ। ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଘୁଞ୍ଚିଥିଲା। ଜାନୁଆରି ୧୮ ପରିବର୍ତେ ଜାନୁଆରି ୨୭ରୁ ଆରମ୍ଭ ହୋଇଥିଲା। ୨୦୧୮ ପରୀକ୍ଷା ଲାଗି ପ୍ରକାଶିତ କାର୍ଯ୍ୟସୂଚୀରେ ବିଭ୍ରାଟ ହୋଇଥିବା ଅଭିଯୋଗ କରି ଛାତ୍ରଛାତ୍ରୀ କାଉନସିଲ୍‌ କାର୍ଯ୍ୟାଳୟ ଘେରାଉ କରିବା ପରେ ନିଷ୍ପତ୍ତିି ବଦଳିଥିଲା।

ମଧ୍ୟାହ୍ନଭୋଜନ ବାଟମାରଣା

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ବାଟମାରଣା ହେଉଥିବା ଅଭିଯୋଗ ଅସିଥିଲା। ପ୍ରତିଦିନ ଯେତିକି ପିଲା ବିଦ୍ୟାଳୟ ଆସୁଥିଲେ ତା’ଠାରୁ ଅଧିକ ପିଲାଙ୍କ ନାମ ଖାତାରେ ପଡ଼ୁଥିବା ନେଇ ଅଭିଯୋଗ ଆସିବା ପରେ ତନାଘନା କରିଥିଲା ଗଣଶିକ୍ଷା ବିଭାଗ। ଖୋର୍ଧା, ଯାଜପୁର, ବାଲେଶ୍ୱର, ଗଞ୍ଜାମ ପରି ଜିଲ୍ଲାରୁ ଏଭଳି ଅଭିଯୋଗ ଆସିବା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୦ରୁ ଅଧିକ ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପୋଟାର୍ଲ କରାଯାଇ ମଧ୍ୟାହ୍ନଭୋଜନର ତଦାରଖ କରାଯାଉଛି। ବର୍ଷ ଆରମ୍ଭରେ ଖୋର୍ଧା ଜିଲ୍ଲା କେରଙ୍ଗରେ ବାର୍ଡ ଫ୍ଲୁ ଦେଖାଦେବା ପରେ ବୁଧବାର ଏବଂ ଶନିବାର ଅଣ୍ଡା ତରକାରୀ ନ ଦେବାକୁ ଅଲିଖିତ ନିର୍ଦେଶନାମା ଜାରି ହୋଇଥିଲା। ବର୍ଷ ଶେଷ ଆଡ଼କୁ ମଧ୍ୟାହ୍ନଭୋଜନ ଖାଦ୍ୟର ମାନକୁ ନେଇ ଖାଦ୍ୟ କମିସନଙ୍କ ରିପୋର୍ଟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ବହୁ ସ୍ଥାନରେ ଏହା ନିମ୍ନମାନର ବୋଲି ରିପୋର୍ଟ ଆସିବା ପରେ ତନାଘନା ଆରମ୍ଭ କରିଛି ବିଭାଗ।

ନିରାଶ କଲା ଶ୍ରେଷ୍ଠ ଶହେ

ଏଥର ବି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ନେଇ କରାଯାଉଥିବା ର‍୍ୟାଙ୍କିଙ୍ଗ୍‌ରେ ନିରାଶ ହୋଇଥିଲା ଓଡ଼ିଶା। ଶ୍ରେଷ୍ଠ ଶହେରେ ୪ଟି ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାନ ପାଇଥିଲେ। ସୋଆ ବିଶ୍ୱବିଦ୍ୟାଳୟ ଆଗରେ ଥିବା ବେଳେ ରାଉରକେଲାସ୍ଥିତ ଏନ୍‌ଆଇଟି, ଭୁବନେଶ୍ୱର ଆଇଆଇଟି, କିଟ୍‌ ଯଥାକ୍ରମେ ୩୩, ୪୬, ୬୬ ଏବଂ ୭୯ତମ ସ୍ଥାନରେ ରହିଥିଲେ। ରାଜ୍ୟର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେରେ ରହିପାରି ନ ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍‌ ‘ଏ+’ ଗ୍ରେଡ୍‌ ପାଇଥିଲେ ମଧ୍ୟ ଶହେ ଭିତରେ ନ ଥିଲା। ସମ୍ବଲପୁର, ବ୍ରହ୍ମପୁର, ରେଭେନ୍ସା ପରି ଶିକ୍ଷାନୁଷ୍ଠାନ ବି ନିରାଶ କରିଥିଲେ। ଏହାକୁ ନେଇ ବଦନାମ ମୁଣ୍ଡାଇଥିଲା ଉଚ୍ଚଶିକ୍ଷା ବିଭାଗ।

ବାକିରେ ବିପିୟୁଟି

ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷା ଚାଲିଥିବା ବେଳେ ହଠାତ୍‌ ଓ୍ଵବସାଇଟ୍‌ ବନ୍ଦ କରି ଦିଆଯାଇଥିଲା। ‘www.bput.ac.in’ରେ ଲଗ୍‌ଅନ୍‌ କଲେ ହୋମ୍‌ପେଜ୍‌ରେ ‘IIS7’ ଲେଖାଥିବା କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିସହ ଏକ ଲୋଗୋ ଚାରିପାଖରେ ବିଭିନ୍ନ ଭାଷାରେ କିଛି ଶବ୍ଦ ଉଲ୍ଲେଖ ରହିଥିଲା। ଓ୍ଵବସାଇଟ୍‌ ହ୍ୟାକ୍‌ ହୋଇଥିବା ନେଇ ଖୋଳତାଡ଼ କରାଯିବା ପରେ ଜଣାପଡ଼ିଥିଲା ଯେ ଯେଉଁ ସଂସ୍ଥା ଓ୍ଵବସାଇଟ୍‌ ପରିଚାଳନା ଦାୟିତ୍ୱ ନେଇଥିଲା ତାହାର ବକେୟା ଅର୍ଥ ଦିଆଯାଇ ନ ଥିବାରୁ ସେ ଏଭଳି କରିଥିଲା।

ନକଲି ଶିକ୍ଷକ, ଶିକ୍ଷାନୁଷ୍ଠାନ

ନକଲି ଶିକ୍ଷକ, ଶିକ୍ଷାନୁଷ୍ଠାନ ଏଥର ଶିକ୍ଷା ବିଭାଗରେ ବୋଳିଥିଲା କଳଙ୍କ। ୟୁଜିସି ପକ୍ଷରୁ ପ୍ରକାଶିତ ୩୦୨ଟି ନକଲି ଶିକ୍ଷାନୁଷ୍ଠାନ ତାଲିକାରେ ୨୩ଟି ବିଶ୍ୱବିଦ୍ୟାଳୟ ରହିଛି। ସେଥିରେ ଓଡ଼ିଶାରୁ ଦୁଇଟି ବିଶ୍ୱବିଦ୍ୟାଳୟ ମଧ୍ୟ ରହିଥିଲା। ପିଲାଙ୍କ ଶିକ୍ଷାର ମାନ ବୃଦ୍ଧି ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ‘ଉଜ୍ଜ୍ୱଳ’ କାର୍ଯ୍ୟକ୍ରମରେ ନକଲି ଶିକ୍ଷକ ନିଯୁକ୍ତ ହୋଇଥିଲେ। ଡିଏଲ୍‌ଏଫ୍‌ଏସ୍‌ ନାମକ ଏକ ସଂସ୍ଥା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ହୋଇ ପିଲାଙ୍କୁ ପଢ଼ାଉଥିଲେ। ଏନେଇ ଜଣାପଡ଼ିବା ପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଲାଗି ନିର୍ଦେଶ ଦିଆଯାଇଥିଲା। ତେବେ ତଦନ୍ତ ରିପୋର୍ଟ ନାଲି ଫିତା ତଳେ ରହିଗଲା।

ହଇଚଇ କଲା ଆସର୍‌ ରିପୋର୍ଟ

ବର୍ଷ ଆରମ୍ଭରୁ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ପ୍ରକୃତ ଚିତ୍ର ପଦାରେ ପଡ଼ିଥିଲା। ଆସର୍‌ ରିପୋର୍ଟରେ ଦେଖିବାକୁ ମିଳିଥିଲା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ୪୮.୪% ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀ ପାଠ ଜାଣି ନାହାନ୍ତି। ମାତ୍ର ୨୬.୬% ପିଲା ତିନି ଅଙ୍କରେ ଏକ ଅଙ୍କର ହରଣ କରିପାରୁଛନ୍ତି। ୮ମ ଶ୍ରେଣୀରେ ପଢ଼ୁଥିବା କେବଳ ୪୫.୪% ପିଲା ଇଂରାଜୀ ବାକ୍ୟ ପଢ଼ିପାରୁଥିବା ଜଣାପଡ଼ିଥିଲା। ପିଲାଙ୍କ ଶିକ୍ଷାର ମାନ ମାପିବା ଲାଗି ନଭେମ୍ବର ୧୩ରେ ନ୍ୟାସନାଲ ଆଚିଭ୍‌ମେଣ୍ଟ ସର୍ଭେ (ନାସ୍‌) ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରାୟ ୫୨୦୦ ବିଦ୍ୟାଳୟର ୧,୧୫,୩୧୯ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର