କଟକ: ଶିକ୍ଷା ସହାୟକ ନିଯୁକ୍ତି କ୍ଷେତ୍ରରେ ତଥ୍ୟ ଲୁଚାଇଥିବା ପ୍ରାର୍ଥୀଙ୍କ ସପକ୍ଷରେ ଭଦ୍ରକ ଜିଲ୍ଲାପାଳ ସହାନୁଭୂତିଶୀଳ ଆଦେଶ ଦେବା ପ୍ରସଂଗକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ ୨୦୧୫, ଅଗଷ୍ଟ ୨୧ର ନିର୍ଦ୍ଦେଶ ହାଇକୋର୍ଟ ରଦ୍ଦ କରିଛନ୍ତି। ତଥ୍ୟ ଲୁଚାଇଥିବା ଭୋକେସନାଲ, ଉପଶାସ୍ତ୍ରୀ ପ୍ରାର୍ଥୀଙ୍କୁ ବାଦ ଦେଇ ସାନି ମେଧା ତାଲିକା ପ୍ରକାଶ ପାଇଁ ହାଇକୋର୍ଟ ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ‌ଦେଇଛନ୍ତି। ଏଥି ସହିତ ଶିକ୍ଷା ସହାୟକ ବା ଅନ୍ୟ କୌଣସି ସମାନ ପଦରେ ଆବେଦନକାରୀଙ୍କ ନିଯୁକ୍ତି ସଂପର୍କିତ ନିର୍ଦ୍ଦେଶନାମା ୪ ମାସ ଭିତରେ ପ୍ରଦାନ କରିବାକୁ ହାଇକୋର୍ଟ ଉପରୋକ୍ତ ଦୁଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁରେଖା ସାମଲ ଓ ଅନ୍ୟ ଦୁଇ ଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୧, ଡିସେମ୍ବର ୮ରେ ଶିକ୍ଷା ସହାୟକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରି ଭଦ୍ରକ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଭୋକେସନାଲ ପାଠ୍ୟକ୍ରମରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀଙ୍କୁ ଏହି ପ୍ରାରମ୍ଭିକ ମେଧା ତାଲିକାରେ ସ୍ଥାନ ମିଳି ନଥିବା ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ୨୦୧୧, ମାର୍ଚ୍ଚ ୧୮ରେ ହାଇକୋର୍ଟ ମାମଲାର ଶୁଣାଣି କରି ଜିଲ୍ଲାପାଳଙ୍କୁ ପୁନର୍ବାର ମେଧା ତାଲିକା ପ୍ରକାଶ ପାଇଁ କହିଥିଲେ। ପରବର୍ତ୍ତୀ ସମୟରେ ପ୍ରକାଶିତ ମେଧା ତାଲିକାରୁ ଆବେଦନକାରୀ ବାଦ ପଡ଼ିଥିଲେ। ଅନ୍ୟପକ୍ଷରେ କେତେକ ଭୋକେସନାଲ ଓ ଉପଶାସ୍ତ୍ରୀ ପ୍ରାର୍ଥୀ ପୂର୍ବରୁ ଯୁକ୍ତ ଦୁଇ କଳା/ବାଣିଜ୍ୟ/ବିଜ୍ଞାନ ପାସ୍ କରିଥିଲେ ମଧ୍ୟ ଏହି ପ୍ରସଂଗ ଲୁଚାଇ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରି ମେଧା ତାଲିକାରେ ସ୍ଥାନ ପାଇଥିବା ଅଭିଯୋଗ ନେଇ ହାଇକୋର୍ଟର ମାମଲା ରୁଜୁ ହୋଇଥିଲା। ୨୦୧୧, ମାର୍ଚ୍ଚ ୨୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଏ ସଂପର୍କିତ ଅଭିଯୋଗର ବିଚାର ତିନି ସପ୍ତାହ ଭିତରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଯୁକ୍ତ ଦୁଇ ପାସ୍ ତଥ୍ୟ ଲୁଚାଇଥିବା ପ୍ରାର୍ଥୀଙ୍କ ପ୍ରସଂଗରେ ତଦନ୍ତ ଆରମ୍ଭ କରାଯାଇଥିଲେ ମଧ୍ୟ ଏହା ଶେଷ ହେବା ପୂର୍ବରୁ ସାନି ମେଧା ତାଲିକା ପ୍ରକାଶ କରାଯାଇଥିଲା। ଏହାପରେ ଭୋକେସନାଲ ଓ ଉପଶାସ୍ତ୍ରୀ ପ୍ରାର୍ଥୀମାନେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଏପରି ପ୍ରାର୍ଥୀଙ୍କ ପ୍ରସଂଗ ବିଚାରକୁ ନିଆଯିବ ବୋଲି ହାଇକୋର୍ଟଙ୍କ ୨୦୧୧, ଜୁଲାଇ ୧୫ର ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଓ ପ୍ରକଳ୍ପ ସଂଯୋଜକ ଏପରି ପ୍ରାର୍ଥୀଙ୍କୁ ଏକ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ଯଦି ଏପରି ତଥ୍ୟ ଭୁଲ ବୋଲି ଜଣାପଡେ ତେବେ ସେମାନଙ୍କୁ ଶିକ୍ଷା ସହାୟକ ପଦରୁ ବହିଷ୍କାର କରାଯିବ ବୋଲି ଅଣ୍ଡରଟେକିଂରେ ଉଲ୍ଲେଖ କରାଯାଇଥିଲା। ଏହାପରେ ଏଭଳି ପ୍ରାର୍ଥୀଙ୍କୁ ଶିକ୍ଷା ସହାୟକ ପଦରେ ସର୍ତ୍ତମୂଳକ ନିଯୁକ୍ତି ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଯୁକ୍ତ ଦୁଇ ପାସ କରିଥିବା ପ୍ରସଙ୍ଗ ଲୁଚାଇ ଭୋକେସନାଲ/ଉପଶାସ୍ତ୍ରୀ ପାଠ୍ୟକ୍ରମ ପାସ୍ କରିଥିବାରୁ ୬ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ୨୦୧୪, ମେ ୫ରେ ହାଇକୋର୍ଟ ମାମଲା ଗୁଡିକର ଶୁଣାଣି କରି ଏହି ପ୍ରସଂଗରେ ତିନି ମାସ ଭିତରେ ନିଷ୍ପତ୍ତି ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ଏହି ପ୍ରସଂଗରେ ହସ୍ତକ୍ଷେପ କରିବାକୁ ମନା କରି ୨୦୧୫, ଅଗଷ୍ଟ ୨୧ରେ ରାୟ ପ୍ରକାଶ କରିଥିଲେ। ଯଦିଓ ଭୋକେସନାଲ/ଉପଶାସ୍ତ୍ରୀ ପ୍ରାର୍ଥୀ ତଥ୍ୟ ଲୁଚାଇଥିବା ପ୍ରମାଣ ରହିଛି କିନ୍ତୁ ପରୀକ୍ଷା ପରିଚାଳନା କରିଥିବା କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରଦାନ କରାଯାଇଥିବା ସାର୍ଟିଫିକେଟ ପ୍ରତ୍ୟାହାର କରି ନାହାନ୍ତି। ଏହା ଭିତରେ ୪ରୁ ୫ ବର୍ଷ ଏହି ପ୍ରାର୍ଥୀ ଚାକିରି କରି ସାରିଲେଣି ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ଜିଲ୍ଲାପାଳଙ୍କ ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ୨୦୧୫ରେ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଥିଲେ।