ଭୁବନେଶ୍ବର: ମୋହନ ମାଝୀଙ୍କ ସରକାର ଶିକ୍ଷାର ଗୁରୁତ୍ବକୁ ହୃଦୟଙ୍ଗମ କରିଛନ୍ତି। ଛାତ୍ରଛାତ୍ରୀ, ଶିକ୍ଷକ, ଭିତ୍ତିଭୂମିର ଗୁଣବତ୍ତା ଓ ସାମଗ୍ରିକ ଶିକ୍ଷଣ ଅଭିଜ୍ଞତାରେ ଉନ୍ନତି ପାଇଁ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୩୫,୫୩୬ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ଏଥିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କା, ପଞ୍ଚସଖା ଶିକ୍ଷା ସେତୁ ପାଇଁ ୩୩୨ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି ଟଙ୍କା ଓ ପିଏମ୍ ପୋଷଣ ପାଇଁ ୯୯୭ କୋଟି ଟଙ୍କା ସାମିଲ ରହିଛି।
ବଜେଟ୍ ଉପସ୍ଥାପନ ବେଳେ ମୋହନ ମାଝୀ କହିଛନ୍ତି, ଆମ ସରକାର ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତିର ବିକାଶ ଏବଂ ପ୍ରଣୟନକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ଉତ୍ସର୍ଗୀକୃତ। ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ ପ୍ରସ୍ତୁତି ସହ ନୀତି ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବ।
ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୪-୨୫ରୁ ପିଏମ୍-ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଗ୍ରାମୀଣ ଓ ଅର୍ଦ୍ଧ ସହରାଞ୍ଚଳର ପିଲାମାନଙ୍କୁ ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମକ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଇଛନ୍ତି। ସେହିପରି ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ଯୋଜନାରେ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନରେ ବିଦ୍ୟାଳୟର ବିକାଶ ପାଇଁ ସରକାରୀ ଅଂଶ ବାବଦକୁ ୩,୩୨ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ସମସ୍ତ ବିଦ୍ୟାଳୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା ପ୍ରଦାନ କରି କୌଣସି ଛାତ୍ରଛାତ୍ରୀ ଯେପରି ଅଧାରୁ ବିଦ୍ୟାଳୟ ନ ଛାଡ଼ିବେ ତାହା ସୁନିଶ୍ଚିତ କରିବା ପାଇଁ ସରକାର ଯୋଜନା କରିଛନ୍ତି। ସରକାର ଗଂଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ୪୦୯ କୋଟିର ବ୍ୟବସ୍ଥା କରିଛନ୍ତି। ସେହିପରି ମାଧୋ ସିଂହ ହାତ ଖର୍ଚ୍ଚ ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସେହିଭଳି ଓଡ଼ିଶା ସରକାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଚଳନ କରିଛନ୍ତି। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ୬୦:୪୦ ଅନୁପାତରେ ପାଣ୍ଠି ସହାୟତାରେ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାର ବିକାଶ, ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବୀକୃତି, ସୂଚନା, ଯୋଗାଯୋଗ ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରିବା ସହ ବହୁବିଭାଗୀୟ ପାଠ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ଦକ୍ଷତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ। ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରେ ଏକାଡେମିକ, ପ୍ରଶାସନିକ, ପାଠାଗାର, ଛାତ୍ରାବାସ କୋଠା ନିର୍ମାଣ ପାଇଁ ୩୨୫ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି। ସରକାର ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ-ବିଶ୍ବବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି। ସେହିପରି ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି ଯୋଜନା, ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/7168bfcd-4d5a-48fc-b6a6-c8b5da6cd4cf.jpeg)