ବିଦ୍ୟାଳୟରେ କାର୍ଯ୍ୟକାରୀ ହୋଇପାରୁନି ଶିକ୍ଷା କ୍ୟାଲେଣ୍ଡର

ସକାଳ ୯ଟା ୩୦ରେ ଖୋଲୁନି ବିଦ୍ୟାଳୟ, ନିୟମ କଡ଼ାକଡ଼ି କରିବାକୁ ହାତ ପାଉନି

ଭୁବନେଶ୍ବର : ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ୪ ବର୍ଷ ତିଳେ ଜାରି ହୋଇଥିଲା ଶିକ୍ଷା କ୍ୟାଲେଣ୍ଡର। ଶିକ୍ଷକ ଓ ପ୍ରଧାନଶିକ୍ଷକମାନେ କେତେବେଳେ ବିଦ୍ୟାଳୟକୁ ଆସିବେ? ପ୍ରତିଦିନ କେତୋଟି କ୍ଲାସ କରାଯିବ? ସେନେଇ ସବିଶେଷ ତଥ୍ୟ କ୍ୟାଲେଣ୍ଡରରେ ଉଲ୍ଲେଖ ହୋଇଛି। ଏପରିକି ସକାଳ ୯ଟା ୩୦ରୁ ବିଦ୍ୟାଳୟ ଖୋଲିବାକୁ କଡ଼ା ନିର୍ଦେଶ ବି ରହିଛି। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। ପୂର୍ବରୁ ଯେମିତି ଚାଲିଥିଲା ସେମିତି ଚାଲିଛି। ଶିକ୍ଷକ, ଛାତ୍ରଛାତ୍ରୀ ସକାଳ ୧୦ଟାରୁ ଆସି ଅପରାହ୍ଣ ୪ଟାରେ ପଳାଇ ଯାଉଛନ୍ତି। ଏହାର ତଦାରଖ କରିବାକୁ କେହି ନାହାନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଏବିଷୟରେ ଅବଗତ ଥିଲେ ମଧ୍ୟ କାର୍ଯ୍ୟକାରୀ କରି ନପାରି ହାତ ଟେକି ଦେଉଛନ୍ତି।

ବିଦ୍ୟାଳୟ ପାଠ୍ୟଖସଡ଼ାକୁ ସୁବ୍ୟବସ୍ଥିତ କରିବା ପାଇଁ ୨୦୧୪ ଅଗଷ୍ଟ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଥିଲା। କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍‌ରୁ ‌ଫେବ୍ରୁଆରି ମାସ ମଧ୍ୟରେ ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ ପ୍ରତିଦିନ ସକାଳ ୯ଟା ୩୦ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ସ୍କୁଲରେ ରହିବେ। ପ୍ରଥମରୁ ୫ମ ‌ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସମୟ ୯ଟା ୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ। ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସକାଳ ୯ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ସକାଳ ୯ଟା ୩୦ରୁ ୧୦ଟା ପର୍ଯ୍ୟନ୍ତ ପିଲାଙ୍କୁ ଶାରୀରିକ ସ୍ବାସ୍ଥ୍ୟ ଉପରେ ତାଲିମ ଦିଆଯିବ। ଏହାପରେ ୧୫ ମିନିଟ୍‌ ଧରି ପାର୍ଥନା, ସକାଳ ୧୦ଟା ୧୫ରୁ ଅପରାହ୍ନ ୧ଟା ୧୫ ମଧ୍ୟରେ ୪୫ ମିନିଟ୍‌ ଅବଧି ବିଶିଷ୍ଟ ୪ଟି ପରିୟଡ୍‌ ହେବ। ୪୫ ମିନିଟ୍‌ର ମଧ୍ୟାହ୍ନଭୋଜନ ବିରତି ପରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୪୦ ମିନିଟ୍‌ ଅବଧିର ୩ଟି ପିରିୟଡ୍‌ ଓ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ୪୫ ମିନିଟ୍‌ ଅବଧିର ୩ଟି ପିରିୟଡ୍‌ ନିଆଯିବ। ଜୁନ୍‌ରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପ୍ରତି ଶନିବାର ଭୋର ୬ଟା ୪୫ରୁ ୯ଟା ୪୫ ମଧ୍ୟରେ ୪୫ ମିନିଟ୍‌ ବିଶିଷ୍ଟ ୪ଟି ପିରିୟଡ୍‌ ହେବ। ଏହାପରେ ୩୦ ମିନିଟ୍‌ର ବିରତି ରଖାଯାଇଛି। ପୂର୍ବାହ୍ଣ ୧୦ଟା ୧୫ରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ୪୫ ମିନିଟ୍‌ ଅବଧିର ୩ଟି ପରିୟଡ୍‌ ‌ହେବ। ମଧ୍ୟାହ୍ନ ୧୨ଟା ୩୦ରେ ମଧ୍ୟାହ୍ନଭୋଜନ ହେବ।

ମାର୍ଚ୍ଚ ଓ ଏପ୍ରିଲ ମାସରେ ସକାଳ ୬ଟା ୩୦ରୁ ପୂର୍ବାହ୍ଣ ୧୧ଟା ପର୍ଯ୍ୟନ୍ତ ସବୁ ଶ୍ରେଣୀର ପାଠପଢ଼ା ହେବାକୁ ସ୍ଥିର ହୋଇଛି। ଭୋର ୬ଟା ୪୫ରୁ ୯ଟା ୫ ମଧ୍ୟରେ ୩୫ ମିନିଟ୍‌ ବିଶିଷ୍ଟ ୪ଟି ପିରିୟଡ୍‌ ହେବ। ୯ଟା ୩୦ ପର୍ଯ୍ୟନ୍ତ ବିରତି ହେବ। ୯ଟା ୩୦ରୁ ପୂର୍ବାହ୍ନ ୧୧ଟା ମଧ୍ୟରେ ୩୦ ମିନିଟ୍‌ ଅବଧି ବିଶିଷ୍ଟ ୩ଟି ପରିୟଡ୍‌ ହେବ। ପୂର୍ବାହ୍ଣ ୧୧ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ।

ଏହା ବ୍ୟତୀତ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ, ପ୍ରତି ମାସରେ ବିଦ୍ୟାଳୟ ପରିଚାଳନା କମିଟିର ବୈଠକକୁ ବାଧ୍ୟତାମୂଳକ କରାଯାଇଛି। କେଉଁ ଶ୍ରେଣୀର ଛାତ୍ରଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରିବେ ସେନେଇ ମଧ୍ୟ ଶିକ୍ଷା କ୍ୟାଲେଣ୍ଡରରେ ଉଲ୍ଲେଖ ହୋଇଥିଲା। ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରିବା, ଶିକ୍ଷକମାନଙ୍କ ମାସିକ କାର୍ଯ୍ୟାବଳୀ, କେଉଁ ଶ୍ରେଣୀ ପାଇଁ ସପ୍ତାହକୁ କେତୋଟି କ୍ଲାସ ହେବ ସେନେଇ ମଧ୍ୟ ନିୟମ ଜାରି ହୋଇଥିଲା। ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ତାହାକୁ କେହି ମାନୁନାହାନ୍ତି। ପୂର୍ବଭଳି ସେମିତି ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ଚାଲୁଛି। ଶିକ୍ଷକ/ଶିକ୍ଷୟିତ୍ରୀମାନେ ୧୦ରୁ ୧୫ ମିନିଟ୍‌ ବିଳମ୍ବରେ ଆସୁଥିଲେ ମଧ୍ୟ ସେମାନଙ୍କ କାର୍ଯ୍ୟର ଯାଞ୍ଚ କରିବା ଉପରେ କେହି ଗୁରୁତ୍ବ ଦେଉନାହାନ୍ତି।

ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ କିଛି କରିପାରିବୁନି। ନିୟମକୁ ତ୍ରୁଣମୂଳସ୍ତରରୁ ଲାଗୁ କରାଯାଉ ନାହିଁ। ପ୍ରଥମେ ପ୍ରଥମେ କିଛି ସ୍ଥାନରେ କଡ଼ାକଡ଼ି କରାଯାଇଥିଲେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଯେଉଁଥିପାଇଁ ଶିକ୍ଷା କ୍ୟାଲେଣ୍ଡର ଏବେ କେବଳ କାଗଜ କଲମରେ ରହିଯାଇଛି।

ସମ୍ବନ୍ଧିତ ଖବର