ଭୁବନେଶ୍ୱର, (କେଶବ ପାଣି): ୨୦୨୦-୨୧ ଶିକ୍ଷାବର୍ଷ କେବେଠୁ ଆରମ୍ଭ ହେବ? ନୂଆ ଛାତ୍ରଛାତ୍ରୀଙ୍କ ନାମଲେଖା କେମିତି କରାଯିବ? ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟରେ କ୍ଲାସରୁମ୍ ପାଠପଢ଼ା ହେବ ନା ନାହିଁ? ଯଦି ସେପ୍ଟେମ୍ବର ମାସରେ ସ୍କୁଲ ଖୋଲେ, ତେବେ କୋମଳମତି ପିଲାମାନେ କେମିତି ଆସିବେ? ନା ଶିକ୍ଷାବର୍ଷ କ୍ୟାଲେଣ୍ଡର ବଦଳିଯିବ? ପ୍ରତିବର୍ଷ ଏପ୍ରିଲ ମାସରୁ ଆରମ୍ଭ ହେଉଥିବା ନୂତନ ଶିକ୍ଷାବର୍ଷ ଏଣିକି ଅକ୍ଟୋବରରୁ ଆରମ୍ଭ ହେବ କି? ବାର୍ଷିକ ପାଠ୍ୟକ୍ରମକୁ ସଂକ୍ଷିପ୍ତ କରାଯାଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ କି?
କରୋନା ମହାମାରୀ କ୍ରମଶଃ ବଢ଼ୁଥିବା ବେଳେ ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରତିଦିନ ଏଭଳି ପ୍ରଶ୍ନ ଉଙ୍କି ମାରୁଛି। ଓଡ଼ିଶା ସମେତ ସାରା ଦେଶରେ କୋଭିଡ୍-୧୯ ମାମଲା ଦିନକୁ ଦିନ ଉଦ୍ବେଗଜନକ ହେଉଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ସାଧାରଣତଃ ଏପ୍ରିଲ ମାସ ଆରମ୍ଭ ହେଉଥିବା ଶିକ୍ଷାବର୍ଷ ଇତିମଧ୍ୟରେ ୪ମାସ ବିଳମ୍ବ ହେଲାଣି। ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବି ଗଡ଼ିଯାଇଛି। ତଥାପି ଜୁଲାଇ ୧୫ସୁଦ୍ଧା ସରକାରୀ ବିଦ୍ୟାଳୟରେ ନାମଲେଖା କରିବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସେହି ଅନୁଯାୟୀ, ସାରା ରାଜ୍ୟରେ ଏବେ ନାମଲେଖା ଚାଲିଥିଲେ ମଧ୍ୟ ଆଶାନୁରୂପ ହୋଇପାରି ନାହିଁ। କରୋନା କଟକଣା ଭିତରେ ପେଟ ଚିନ୍ତାରେ ଥିବା ଲକ୍ଷାଧିକ ଅଭିଭାବକ ପିଲାଙ୍କ ନାମଲେଖା କଥାକୁ ଯେପରି ସମ୍ପୂର୍ଣ୍ଣ ଭାବେ ପାସୋରି ଦେଇଛନ୍ତି। ପ୍ରତିବର୍ଷ ପାଖାପାଖି ୬ ଲକ୍ଷ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଉଥିବା ବେଳେ ଏବେ ସୁଦ୍ଧା ୫୦ ପ୍ରତିଶତ ନାମଲେଖା ହୋଇପାରିନି। ଯେଉଁମାନେ ସ୍କୁଲ ପରିବର୍ତନ କରିବାକୁ ଚାହୁଁଥିଲେ, ସେମାନେ ବି ଦ୍ବନ୍ଦ୍ବରେ ପଡ଼ିଛନ୍ତି। କରୋନା ଭୟରେ ଘରୁ ବାହାରି ପାରୁନାହାନ୍ତି। ସେପଟେ ସିବିଏସ୍ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ) ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ଏ ପର୍ଯ୍ୟନ୍ତ ନାମଲେଖା ଆରମ୍ଭ ହୋଇପାରି ନାହିଁ। କିଛି ବିଦ୍ୟାଳୟ ଲୁଚାଛପାରେ ନୂତନ ଛାତ୍ରଛାତ୍ରୀଙ୍କ ନାମଲେଖା କରାଉଥିଲେ ମଧ୍ୟ ବହୁ ଅଭିଭାବକ, ଛାତ୍ରଛାତ୍ରୀ ଜାଣିପାରୁ ନାହାନ୍ତି। ନାମଲେଖା ନେଇ ବିଧିବଦ୍ଧ କୌଣସି ବିଜ୍ଞପ୍ତି ଜାରି ହୋଇ ନ ଥିବାରୁ ଲକ୍ଷାଧିକ ଅଭିଭାବକ ସେମାନଙ୍କ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ।
ଏ ତ ଗଲା ସ୍କୁଲ ଶିକ୍ଷା କଥା। ଯଦି ଉଚ୍ଚଶିକ୍ଷାକୁ ବିଚାରକୁ ନିଆଯାଏ, ତେବେ ଗତ ଏପ୍ରିଲ ୨୯ରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ, ମେ’ ୩୧ ଯାଏ ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନରେ ଶିକ୍ଷା ଦେବାକୁ କୁହାଯାଇଥିଲା। ଜୁନ୍ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରୋଜେକ୍ଟ ରିପୋର୍ଟ/ଇଣ୍ଟର୍ଣ୍ଣସିପ୍ ୱାର୍କ/ ପ୍ଲେସମେଣ୍ଟ ଡ୍ରାଇଭ, ଜୁନ୍ ୧୬ରୁ ୩୦ ଯାଏ ଗ୍ରୀଷ୍ମ ଛୁଟି, ଜୁଲାଇ ୧ରୁ ୧୫ ମଧ୍ୟରେ ଟର୍ମିନାଲ ପରୀକ୍ଷା, ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଅଗଷ୍ଟରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଖୋଲିବ। ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବରରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ୨୦୨୧ ଜାନୁଆରି ୧ରୁ ୨୫ ମଧ୍ୟରେ ସେମିଷ୍ଟର ପରୀକ୍ଷା, ଜାନୁଆରି ୨୭ରୁ ପୁଣିଥରେ ପାଠପଢ଼ା ଆରମ୍ଭ ହୋଇ ମେ’ ୨୫ରେ ସରିବ। ୨୦୨୧ ମେ’ ୨୬ରୁ ଜୁନ୍ ୨୫ ଯାଏ ପରୀକ୍ଷା କରାଯିବ। ଜୁଲାଇରେ ଗ୍ରୀଷ୍ମ ଛୁଟି ହେବା ସହ ଅଗଷ୍ଟ ୨ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ ବୋଲି କୁହାଯାଇଥିଲା। ଯାହାକୁ ଆଧାର କରି ରାଜ୍ୟ ସରକାର ବି ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ।
/sambad/media/post_attachments/wp-content/uploads/2020/02/school-300x200.jpg)
ତେବେ କରୋନା ବଢ଼ୁଥିବାରୁ ମନ୍ତ୍ରଣାଳୟର ଏହି ନକ୍ସା ଏବେ କାମ କରୁନି। କୌଣସି ଗୋଟିଏ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ମେ’, ଜୁନ୍ ମାସ ଗଲାଣି। ଜୁଲାଇ ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ଆଉ ପାଦେ ଆଗକୁ ବଢ଼ି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି କହିଛନ୍ତି। ତେଣୁ ସେପ୍ଟେମ୍ବର ମାସରେ ଓଡ଼ିଶାରେ ଥିବା ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଖୋଲିବ କି ନାହିଁ, ତାହାକୁ ନେଇ ବି ଅନିଶ୍ଚିତତା ରହିଛି।
ଶିକ୍ଷାବିତ୍ଙ୍କ ମତରେ ଆସନ୍ତା ଦୁଇ ମାସ ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ଏବଂ ପାଠପଢ଼ା ସମ୍ଭବପର ନୁହେଁ। ଅନ୍ଲାଇନ୍ରେ କ୍ଲାସ୍ ହେଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେବନି। କାରଣ ଏବେ ବି ସ୍କୁଲସ୍ତରରେ ୬୦ ପ୍ରତିଶତ ପିଲା ଅନ୍ଲାଇନ୍ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। କଲେଜ ଓ ବିଶ୍ବବିଦ୍ୟାଳୟସ୍ତରରେ ବି ଆବଶ୍ୟକ ଭିତ୍ତିଭୂମି ନାହିଁ। ତେଣୁ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଶିକ୍ଷାଦାନ ନେଇ ଏବେ ଦୁଇଟି ବିକଳ୍ପ ରହିଛି। ପ୍ରଥମତଃ ପିଲାଙ୍କ ପାଠ୍ୟକ୍ରମକୁ ସଂକ୍ଷିପ୍ତ କରିବେ ଏବଂ ଅକ୍ଟୋବରରୁ ଶିକ୍ଷାବର୍ଷ ଆରମ୍ଭ କରାଇବେ। ଯଦି ସେପ୍ଟେମ୍ବରରେ ଶିକ୍ଷାନୁଷ୍ଠାନ ଖୋଲିବ, ତେବେ ଏହି ମାସରେ ନାମଲେଖା ଶେଷ କରି ଅକ୍ଟୋବରରୁ ନୂତନ ଛାତ୍ରଛାତ୍ରୀଙ୍କ ପାଠପଢ଼ା କରାଇପାରିବେ। ଦଶହରା ଛୁଟି ରହିବ ନାହିଁ। ରବିବାର ବି ପିଲାଙ୍କ ପାଠପଢ଼ା କରାଇବେ। ତେବେ ଯାଇ ମେ’ ମାସରେ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ଶେଷ ହୋଇପାରିବ। ନହେଲେ ଶିକ୍ଷାବର୍ଷକୁ ବଦଳାଇବାକୁ ପଡ଼ିବ। ଏପ୍ରିଲ ମାସରୁ ଆରମ୍ଭ ହେଉଥିବା ଶିକ୍ଷାବର୍ଷକୁ ଅକ୍ଟୋବର ମାସରୁ କରାଇବେ। ସେହି ଅନୁଯାୟୀ ସଂକ୍ଷିପ୍ତ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ।